Home Covid ଦିନକରେ ସର୍ବାଧିକ ୪୮ ମୃତ

ଦିନକରେ ସର୍ବାଧିକ ୪୮ ମୃତ

ଭୁବନେଶ୍ୱର : ଲକଡାଉନ୍‍ କଟକଣା ଅବଧି ସରିବାର ଗୋଟିଏ ଦିନ ପୂର୍ବରୁ ରାଜ୍ୟରେ ରେକର୍ଡ ସଂଖ୍ୟକ ୪୮ଜଣ ମୃତ୍ୟୁବରଣ କରିବା ସହିତ ମୋଟ୍‍ ମୃତ୍ୟୁସଂଖ୍ୟା ୪ହଜାର ଟପିଯାଇଛି । ରାଜ୍ୟରେ ମୋଟ୍‍ ୪୦୧୮ ଜଣ ମୃତ୍ୟୁବରଣ କରିଥିବାବେଳେ ଖୋରଧା ଜିଲ୍ଲା ୬୪୭ ମୃତ୍ୟୁ ସହିତ ଶୀର୍ଷ ସ୍ଥାନରେ ରହିଛି ।

ତୃତୀୟ ପର୍ଯ୍ୟାୟ ଲକଡାଉନ୍‍ ଅବଧି ଜୁନ୍‍ ୩୦ତାରିଖରେ ସମାପ୍ତ ହେଉଥିବାବେଳେ ୨୯ ତାରିଖରେ ରାଜ୍ୟର ୪୮ଜଣ କରୋନାରେ ପ୍ରାଣ ହରାଇଛନ୍ତି । ବର୍ତ୍ତମାନ ସୁଦ୍ଧା ଦୈନିକ କରୋନା ମୃତ୍ୟୁରେ ଏହା ସର୍ବକାଳୀନ ରେକର୍ଡ । ମୃତ୍ୟୁବରଣ କରିଥିବା ୪୦ଜଣଙ୍କ ମଧ୍ୟରେ ଖୋରଧାରୁ ସର୍ବାଧିକ ୭ଜଣ ଥିବାବେଳେ କଟକ ଓ ନୟାଗଡରେ ୫ଜଣ କରି, ଗଞ୍ଜାମ, ଓ ସୁନ୍ଦରଗଡରେ ୪ଜଣ କରି, ବରଗଡ, ବୌଦ୍ଦ ଓ ଢେଙ୍କାନାଳରେ ୩ଜଣ କରି, ଅନୁଗୁଳ, ବାଲେଶ୍ୱର, ଭଦ୍ରକ ଓ ଝାରସୁଗୁଡାରୁ ୨ଜଣ କରି ଏବଂ ଜଗତ୍‍ସିଂହପୁର, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ପୁରୀ ଓ ସମ୍ବଲପୁରରେ ଜଣେ କରି କରୋନାର ଶିକାର ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ଖୋରଧାରେ ସର୍ବାଧିକ ୬୪୭ଜଣ ମୃତ୍ୟୁବରଣ କରିଥିବାବେଳେ ସୁନ୍ଦରଗଡରେ ୩୫୩,ଗଞ୍ଜାମରେ ୩୩୭, କଟକରେ ୨୮୫, ବରଗଡରେ ୧୩୮ ଜଣ ମରିଛନ୍ତି । ତେବେ ପଶ୍ଚିମଓଡିଶାରେ ଯେଉଁସବୁ ଜିଲ୍ଲାରେ କରେନା ସଂକ୍ରମଣ ଆଶାତୀତ ଭାବେ ହ୍ରାସ ପାଇଛି ସେଠାରେ କିନ୍ତୁ ଦୈନିକ ମୃତ୍ୟୁ ଜାରି ରହିଛି ।

ସେହିଭଳି ରାଜ୍ୟରେ ଆଉ ୩୩୭୧ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏଥି ମଧ୍ୟରେ ଖୋରଧାରୁ ସର୍ବାଧିକ ୫୩୦ଜଣ ରହିଥିବାବେଳେ କଟକରୁ ୪୬୮, ବାଲେଶ୍ୱରରୁ ୨୫୮, ମୟୁରଭଞ୍ଜରୁ ୨୨୨, କେନ୍ଦ୍ରାପଡା ୨୧୯ ଯାଜପୁରରୁ ୨୧୦, ପୁରୀରୁ ୧୯୩, ଭଦ୍ରକରୁ ୧୭୬, ଜଗତ୍‍ସିଂହପୁର ୧୩୫ ଜଣ ରହିଛନ୍ତି ।

ଅନ୍ୟ ସମସ୍ତ ଜିଲ୍ଲାରେ ସଂକ୍ରମଣ ସଂଖ୍ୟା ୩ଅଙ୍କ ତଳେ ରହିଥିବାବେଳେ ସବୁଠାରୁ କମ୍‍ ମାତ୍ର ୩ଜଣ ଦେବଗଡ ଜିଲ୍ଲାରେ ଚିହ୍ନଟ ହୋଇଛନ୍ତି । ନୂଆପଡାରେ ୮ଜଣ ନୂଆ ସଂକ୍ରମିତ ବାହାରିଥିବାବେଳେ କଳାହାଣ୍ଡିରେ ୧୧, ଗଜପତି ଓ ବଲାଙ୍ଗିରରେ ୧୨ଜଣ କରି, ଝାରସୁଗୁଡାରେ ୧୫ ଓ ବୌଦରେ ୧୯ଜଣ ଚିହ୍ନଟ ହୋଇଛନ୍ତି ।

ସେହିଭଳି ରାଜ୍ୟରେ କରୋନା ସଂକ୍ରମିତଙ୍କ ତାଲିକା ୯,୦୯,୮୦୦ରେ ପହଞ୍ଚି ଥିବାବେଳେ ଏମାନଙ୍କ ମଧ୍ୟରୁ ୮,୭୪,୩୦୭ଜଣ ସୁସ୍ଥ ହୋଇସାରିଲେଣି । ତେବେ ରାଜ୍ୟରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ଆଜି ସୁଦ୍ଧା ୩୧,୪୨୨ ରହିଛି ।