Home Judiciary ଯନ୍ତ୍ରୀ କରିବେ ଅଦାଲତ ଅବମାନନା ମାମଲା

ଯନ୍ତ୍ରୀ କରିବେ ଅଦାଲତ ଅବମାନନା ମାମଲା

ଭୁବନେଶ୍ୱର : ଚାକିରି କ୍ଷେତ୍ରରେ ୮ବର୍ଷ ଧରି ଘାଣ୍ଟି ହେଉଥିବା ଅନୁସୂଚିତ ଜନଜାତି ବର୍ଗର ଅନ୍ୟୁନ ୪୦ଜଣ କନିଷ୍ଠ ଯନ୍ତ୍ରୀଙ୍କୁ ଆଇନ୍‍ ଅଦାଲତର ସ୍ପଷ୍ଟ ନିର୍ଦ୍ଦେଶ ସତ୍ୱେ ନିୟମିତ କରାଯାଉନାହିଁ । କିଛି ତଳିଆ ଅଧିକାରୀଙ୍କ ମନ୍ଦ ଉଦ୍ଦେଶ୍ୟ ହେତୁ ଏଭଳି ଘଟୁଥିବାରୁ ଏହି ଯନ୍ତ୍ରୀମାନେ ପୁଣିଥରେ ଆଇନ୍‍ ଅଦାଲତର ଦ୍ୱାରସ୍ଥହୋଇ ବିଭାଗୀୟ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବାକୁ ପ୍ରସ୍ତୁତ ହେଉଛନ୍ତି ।

ଜଳସମ୍ପଦ ବିଭାଗର ଜଣେ ବରିଷ୍ଠ ଅଧିକାରୀ ସ୍ୱୀକାର କରିଛନ୍ତି ଯେ ଏହି କନିଷ୍ଠ ଯନ୍ତ୍ରୀମାନଙ୍କୁ ୨୦୨୦ ମସିହାରୁ ନିୟମିତ କରାଯିବା କଥା । କିନ୍ତୁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟକୁ ତଳ ଦପ୍ତରରୁ ନଥିପତ୍ର ପଠାଯିବାରେ ବିଳମ୍ବ ହେଉଥିବାରୁ ନିର୍ଦ୍ଧାରିତ ସମୟସମୀା ମଧ୍ୟରେ ସେମାନଙ୍କୁ ନିୟମିତ କରାଯାଇ ପାରିନାହିଁ ।

ମାମଲାର ବିବରଣୀରୁ ପ୍ରକାଶ ଯେ ରାଜ୍ୟ ସରକାର ତାଙ୍କ ବିଭିନ୍ନ ବିଭାଗରେ ଖାଲି ପଡିଥିବା କନିଷ୍ଠ ଯନ୍ତ୍ରୀ ପଦବୀଗୁଡିକ ସରକାରୀ ପ୍ୟାନେଲରୁ ପୂରଣ କରିବାପାଇଁ ନିଷ୍ପତ୍ତି ନେଇଥିଲେ । ଏ ସଂକ୍ରାନ୍ତରେ ବିଭାଗୀୟ କମିଟି ବିଭିନ୍ନ ବିଭାଗରୁ ଭିନ୍ନ ଭିନ୍ନ ବର୍ଗର ପ୍ରାର୍ଥୀଙ୍କ ନାମ ସୁପାରିଶ୍‍ କରିଥିଲେ । ଜଳସମ୍ପଦ ବିଭାଗରେ ୩ଶହରୁ ଅଧିକ ଯନ୍ତ୍ରୀ ପଦବୀରୁ ଶତାଧିକ ଅନୁସୂଚିତ ଜନଜାତିବର୍ଗଙ୍କ ଲାଗି ସଂରକ୍ଷିତ ଥିଲା । ପ୍ୟାନେଲରେ ଉକ୍ତ ବର୍ଗର ଆବଶ୍ୟକ ସଂଖ୍ୟକ ଯୋଗ୍ୟପ୍ରାର୍ଥୀ ନଥିବାରୁ ଢେର କମ୍‍ ସଂଖ୍ୟକ ପ୍ରାର୍ଥୀଙ୍କ ନାମ ସୁପାରିଶ୍‍ କରାଯାଇଥିଲା ।

ଅନ୍ୟ ବିଭାଗଗୁଡିକ ସୁପାରିଶ୍‍ ମୁତାବକ ନିଯୁକ୍ତି ଦେଇଥିବାବେଳେ ଜଳସମ୍ପଦ ବିଭାଗର କିଛି ତଳିଆ କର୍ମଚାରୀଙ୍କ ଅନୈତିକ ଖେଳ ଯୋଗୁଁ ଅନୁସୂଚିତ ଜନଜାତିବର୍ଗର ୬୧ଜଣ ପ୍ରାର୍ଥୀ କନିଷ୍ଠଯନ୍ତ୍ରୀ ନିଯୁକ୍ତିରୁ ବଞ୍ଚିତ ହୋଇଥିଲେ । ୨୦୧୩-୧୪ରୁ ଏହି ବଞ୍ଚିତ ପ୍ରାର୍ଥୀମାନେ ତଳୁ ଉପର ପର୍ଯ୍ୟନ୍ତ ବିଭିନ୍ନ ଅଧିକାରୀ, ରାଜନୈତିକନେତା ଆଦିଙ୍କୁ ବାରମ୍ବାର ଗୁହାରୀ କରିଥିଲେ ମଧ୍ୟ ସେମାନଙ୍କ ଦୁଃଖ କେହି ଶୁଣିନଥିଲେ । ଏଭଳି ସମୟରେ ବିନା ପାରିଶ୍ରମିକରେ ଏହି ବର୍ଗର ପ୍ରାର୍ଥୀମାନଙ୍କୁ ନିଯୁକ୍ତି ଦେବାପାଇଁ ଜଣେ ପୂର୍ବତନ ସରକାରୀ ଓକିଲ ମାମଲା ରୁଜୁ କରିଥିଲେ ।

ଆଇନ ଅଦାଲତ ଏହି ପ୍ରାର୍ଥୀମାନଙ୍କୁ ତୁରନ୍ତ ନିଯୁକ୍ତି ଦେବା ଓ ସେମାନଙ୍କ ବ୍ୟାଚ୍‍ର ଅନ୍ୟମାନେ ଯେବେଠାରୁ ନିଯୁକ୍ତି ପାଇଛନ୍ତି ସେବେଠାରୁ ସଂରକ୍ଷିତବର୍ଗର ଏହି ପ୍ରାର୍ଥୀମାନଙ୍କୁ ବରିଷ୍ଠତା ସମେତ ଅନ୍ୟାନ୍ୟ ଚାକିରିଗତ ସୁବିଧା ଦେବା ସଂଗେ ସଂଗେ ନିର୍ଦ୍ଧାରିତ ସମୟରେ ନିୟମିତ କରିବାକୁ କହିଥିଲେ । ଏହି ଆଦେଶକୁ ଟଳାଇ ଦେବାପାଇଁ ଉଦ୍ୟମ ହୋଇଥିଲା । କିନ୍ତୁ ଜଳସମ୍ପଦ ବିଭାଗର ତତ୍କାଳୀନ ଶାସନ ସଚିବଙ୍କ ସମେତ ଅର୍ଥ ଓ ଆଇନ୍‍ ବିଭାଗ ଅଦାଲତଙ୍କ ନିର୍ଦ୍ଦେଶନାମା କାର୍ଯ୍ୟକାରୀ କରିବା ସପକ୍ଷରେ ମତଦେବା ପରେ ବି ମାସ ମାସଧରି ଫାଇଲ ଚାପି ରଖାଯାଇଥିଲା ।

ତେବେ ଏହି ବଞ୍ଚିତ ପ୍ରାର୍ଥୀମାନଙ୍କ ଓକିଲ ଏ ସଂକ୍ରାନ୍ତାରେ ମୁଖ୍ୟମନ୍ତ୍ରୀଙ୍କ ଦପ୍ତରର ଦୃଷ୍ଟି ଆକର୍ଷଣ କରିବାପରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ୨୦୧୮ ମସିହାରେ ଏମାନଙ୍କୁ ଠିକା ନିଯୁକ୍ତି ମିଳିଥିଲା ।

ଅଦାଲତଙ୍କ ନିର୍ଦ୍ଦେଶ ମୁତାବକ ଅନ୍ୟ ପ୍ରାର୍ଥୀମାନଙ୍କ ଭଳି ୨୦୨୦ରେ ଏହି ୬୧ଜଣ ଏସ୍‍ଟି ବର୍ଗର କନିଷ୍ଠ ଯନ୍ତ୍ରୀଙ୍କ ନିୟମିତ କରାଯିବା କଥା । ଏହା ସତ୍ୱେ ବି ଅମଲାତାନ୍ତ୍ରିକ ଖେଳ ଯୋଗୁଁ ଇତି ମଧ୍ୟରେ ମାତ୍ର ୨୦ଜଣଙ୍କୁ ନିୟମିତ କରାଯାଇଥିବାବେଳେ ତଳ ଦପ୍ତରରୁ ଆବଶ୍ୟକୀୟ କାଗଜପତ୍ର ମିଳିନଥିବା ବାହାନାରେ ଆଉ ୪୧ଜଣଙ୍କୁ ନିୟମିତ କରାଯାଇନାହିଁ । ଏଭଳି ସ୍ଥିତିରେ ଅନିଚ୍ଛା ସତ୍ୱେ ବିଭାଗୀୟ କର୍ତ୍ତୃପକ୍ଷଙ୍କ ବିରୁଦ୍ଧରେ ଅଦାଲତ ଅବମାନନା ମାମଲା ରୁଜୁ କରିବା ଛଡା ଅନ୍ୟ ବାଟ ନାହିଁ ବୋଲି ସେମାନଙ୍କ ଆଇନ୍‍ ପରାମର୍ଶଦାତା ପ୍ରହଲାଦ କୁମାର ସିଂହ କହିଛନ୍ତି । (ତଥ୍ୟ)