Home Election ତିନି ମେୟର ବିଜେଡିର

ତିନି ମେୟର ବିଜେଡିର

ଭୁବନେଶ୍ୱର : ରାଜ୍ୟର ତିନି ମହାନଗର ନିଗମରେ ପ୍ରଥମ ଥର ପାଇଁ ମେୟର ପଦବୀ ଲାଗି ହୋଇଥିବା ସିଧାସଳଖ ନିର୍ବାଚନରେ ବିଜୁ ଜନତା ଦଳ ବାଜି ମାରି ନେଇଛି । ତିନିଟି ଯାକ ମେୟର ପଦବୀକୁ ବିଜେଡି କବଜା କରିଥିବାବେଳେ ଏଥିରେ ଦୁଇଜଣ ମହିଳା ମେୟର ଅଛନ୍ତି ।

ରାଜ୍ୟ ରାଜଧାନୀରେ ଭୁବନେଶ୍ୱର ମହାନଗର ନିଗମ, କଟକ ମହାନଗର ନିଗମ ଓ ବ୍ରହ୍ମପୁର ମହାନଗର ନିଗମରେ ଚଳିତ ଥର ମେୟର ପଦବୀ ଲାଗି ସିଧାସଳଖ ନିର୍ବାଚନ ହୋଇଥିଲା । ଏଥିରେ ଭୁବନେଶ୍ୱରରୁ ବିଜେଡିର ସୁଲୋଚନା ଦାସ ଏକ ଲକ୍ଷ ୭୪ହଜାରରୁ ଅଧିକ ଭୋଟ ପାଇ ବିଜୟୀ ହୋଇଥିବାବେଳେ କଟକ ମହାନଗର ନିଗମରୁ ବିଜେଡିର ସୁବାସ ସିଂହ ଏକ ଲକ୍ଷ ୧୩ହଜାରରୁ ଅଧିକ ଏବଂ ବ୍ରହ୍ମପୁର ମହାନଗର ନିଗମରୁ ବିଜେଡିର ସଂଘମିତ୍ରା ଦଳା ୬୬ହଜାରରୁ ଅଧିକ ଭୋଟ ପାଇଁ ଜିଣିଛନ୍ତି ।

ଭୁବନେଶ୍ୱର ଓ ବ୍ରହ୍ମପୁର ମହାନଗର ନିଗମରେ ବିଜେପି ପ୍ରାର୍ଥୀମାନେ ଦ୍ୱିତୀୟ ସ୍ଥାନରେ ଥିବାବେଳେ କଟକରେ କଂଗ୍ରେସ ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଭୁବନେଶ୍ୱରର ବିଜେପି ପ୍ରାର୍ଥୀ ଏକ ଲକ୍ଷ ୧୦ହଜାରରୁ ଅଧିକ ଭୋଟ ପାଇଥିବା ଜଣାଯାଇଛି ।

ତିନିଟି ମେୟର ପଦବୀ ସମେତ ବିଜେଡି ରାଜ୍ୟର ମୋଟ୍‍ ୭୩ଟି ପୌରାଞ୍ଚଳର ଅଧ୍ୟକ୍ଷ ପଦବୀ ହାତେଇ ନେଇଛି । ସେହିଭଳି ବିଜେପି ସପକ୍ଷରେ ୧୬ ଓ କଂଗ୍ରେସ ସପକ୍ଷରେ ୭ଟି ପୌର ସଂସ୍ଥାର ଅଧ୍ୟକ୍ଷ ପଦବୀ ଯାଇଛି ।

ବିଜେଡିର ବିପୁଳ ବିଜୟରେ ଉଲ୍ଲସିତ ବିଜୁ ଜନତାଦଳର ନେତା ଓ କର୍ମୀମାନେ ଆଜି ସଂଧ୍ୟାରେ ହଜାର ହଜାର ସଂଖ୍ୟାରେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିଜୟର ଶ୍ରେୟ ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମଧ୍ୟ କର୍ମୀମାନଙ୍କୁ ସେମାନଙ୍କର ପରିଶ୍ରମ ପାଇଁ ବଧେଇ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଟୁଇଟ୍‍ କରି ପୌର ର୍ନିବାଚନରେ ବିଜୁ ଜନତାଦଳକୁ ଓଡିଶାବାସୀ ବିପୁଳ ଭଲପାଇବା ଦେଇଥିବାରୁ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି । ଏହି ବିଜୟ ନୂଆ ଓଡିଶା ଓ ସମୃଦ୍ଧ ଓଡିଶା ଗଠନ ଦିଗରେ ଆମର ସଙ୍କଳ୍ପକୁ ଆହୁରି ମଜବୁତ କରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।