Home General ତାରାଙ୍କ ନନା ଅବତାର

ତାରାଙ୍କ ନନା ଅବତାର

ଭୁବନେଶ୍ୱର : କଂଗ୍ରେସଦଳର ମୁଖ୍ୟ ସଚେତକ ତାରା ପ୍ରସାଦ ବାହିନିପତି ଆଜି ବିଧାନସଭା ଗୃହକୁ ପୂଜକ ବେଶରେ ପ୍ରବେଶ କରିବା ସହିତ ଗୃହ ମଧ୍ୟରେ ଗଙ୍ଗାଜଳ ସିଞ୍ଚନ କରିଛନ୍ତି । ଏଥି ସହିତ କଂଗ୍ରେସ ଓ ବିଜେପି ସଦସ୍ୟମାନେ ପ୍ଳାକାର୍ଡ ପ୍ରଦର୍ଶନ ଏବଂ ହୋ ହଲ୍ଲା କରିବା ଯୋଗୁଁ ପ୍ରଥମାର୍ଦ୍ଧରେ ବିଧାନସଭା ଚାଲିପାରି ନାହିଁ ।

ଆଜି ଗୃହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଶ୍ରୀ ବାହିନିପତି ହଳଦିଆ ରଙ୍ଗର ଲୁଗା ପିନ୍ଧିବା ସହିତ କାନ୍ଧରେ ଉତ୍ତରୀୟ ପକାଇ ଗୃହକୁ ପ୍ରବେଶ କରିଥିଲେ । ହାତରେ ଗଙ୍ଗାଜଳ ଥିବା ମାଟି ପାତ୍ର ଓ ଆମ୍ବାଡାଳ ଧରିଥିଲେ । ଗୃହ ମଧ୍ୟଭାଗକୁ ଆସି ବାଚସ୍ପତିଙ୍କ ପୋଡିୟମ ସମ୍ମୁଖରେ ଚେୟାର ଉପରେ ଛିଡାହୋଇ ଚାରିଆଡେ ଆମ୍ବଡାଳରେ ଗଙ୍ଗାଜଳ ସିଞ୍ଚନ କରିଥିଲେ । ଏପରିକି ବାଚସ୍ପତିଙ୍କ ଉପରେ ମଧ୍ୟ ଗଙ୍ଗାଜଳ ସିଞ୍ଚନ କରୁଥିବା ଦେଖିବାକୁ ମିଳିଥିଲା ।

ଶ୍ରୀ ବାହିନିପତି ଗୃହ ମଧ୍ୟରେ ସଦସ୍ୟ ଓ ଅନ୍ୟାନ୍ୟଙ୍କ ଉପରେ ଗଙ୍ଗାଜଳ ସିଞ୍ଚନ କରୁଥିବାବେଳେ ବାଚସ୍ପତି ନିଜ ଆସନରେ ଛିଡାହୋଇ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିବାପାଇଁ ଅନୁରୋଧ କରୁଥିଲେ । ହେଲେ ସଦସ୍ୟମାନେ ଏଥିପ୍ରତି କର୍ଣ୍ଣପାତ ନକରିବାରୁ ବାଚସ୍ପତି ବାଧ୍ୟହୋଇ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବି କରିଛନ୍ତି ।

ଗୃହ ବାହାରକୁ ଆସି ତାରା କହିଛନ୍ତି ଯେ ମମିତା ମେହେର ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିବା ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ପବିତ୍ର ବିଧାନସଭାକୁ ପଶି ଥିବାରୁ ସେ ବ୍ରାହ୍ମଣ ହିସାବରେ ଗଙ୍ଗାଜଳ ସିଞ୍ଚନ କରି ଗୃହକୁ ପବିତ୍ର କରିଛନ୍ତି ।

ଉଲ୍ଲେଖନୀୟ ଯେ ବିଧାନସଭା ପରିସର ଅପବିତ୍ର ଅଭିଯୋଗ କରି ଗତକାଲି ବିଜେପି ସଦସ୍ୟମାନେ ଗୃହ ବାହାରେ ବିଧାନସଭା ଚାରିପଟେ ଗଙ୍ଗାଜଳ ଓ ଗୋବରପାଣି ସିଞ୍ଚନ ସହିତ ଝାଡୁମାରି ଥିଲେ ।

ତେବେ ଆଜି କଂଗ୍ରେସ ସଦସ୍ୟ ଶ୍ରୀ ବାହିନିପତିଙ୍କ ଏଭଳି ଅଭିନବ ପ୍ରଦର୍ଶନକୁ ବିଜେଡି ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ନାପସନ୍ଦ କରିବା ସହିତ ବିରୋଧିଦଳଗୁଡିକ ନାଟକ କରୁଥିବା କହିଛନ୍ତି । ସେ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ଗୃହରେ ବିବୃତ୍ତି ରଖି ସାରିବାପରେ ଏଭଳି ଡ୍ରାବାଜିର କୌଣସି କାରଣ ନାହିଁ ।