Home General ଡିସେମ୍ବର ପହିଲାରୁ ବିଧାନସଭା ଅଧିବେଶନ

ଡିସେମ୍ବର ପହିଲାରୁ ବିଧାନସଭା ଅଧିବେଶନ

ଭୁବନେଶ୍ୱର: ରାଜ୍ୟ ବିଧାନସଭାର ଶୀତକାଳୀନ ଅଧିବେଶନ ଡିସେମ୍ବର ୧ତାରିଖରୁ ଆରମ୍ଭ ହୋଇ ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ ।

ବିଧାନସଭା ସଚିବାଳୟ ଦ୍ୱାରା ଜାରି ହୋଇଥିବା କାର୍ଯ୍ୟସୂଚୀ ଅନୁଯାୟୀ, ଅଧିବେଶନରେ ୨୬ କାର୍ଯ୍ୟଦିବସ ରହିବ ଏବଂ ୨୦୨୧-୨୨ ବର୍ଷ ପାଇଁ ପ୍ରଥମ ଅତିରିକ୍ତ ବଜେଟ୍‍ଣ୍ଟ ଶୀତ ଅଧିବେଶନର ପ୍ରଥମ ଦିନରେ (୧ ଡିସେମ୍ବର) ଉପସ୍ଥାପିତ ହେବ ।

ଖର୍ଚ୍ଚ ଦାବି ଉପରେ ଗୃହରେ ୭-୯ ଡିସେମ୍ବର ମଧ୍ୟରେ ଚାଲିବାକୁ ଥିବାବେଳେ ଚଳିତ ବର୍ଷର ପ୍ରଥମ ଅତିରିକ୍ତ ବଜେଟ୍ ଉପରେ ବ୍ୟୟମଞ୍ଜୁରୀ ବିଲ୍ ୧୦ ଡିସେମ୍ବରରେ ଉପସ୍ଥାପନ ହେବ ।

ବେସରକାରୀ କାର୍ଯ୍ୟଦିବସ ପାଇଁ ପାଞ୍ଚଞ୍ଚଦିନ (୩-୧୭-୨୪-୨୯-୩୧ ଡିସେମ୍ବର) ଧାର୍ଯ୍ୟ କରାଯାଇଛି । ୫-୧୨-୧୯-୨୬ ଡିସେମ୍ବରରେ ରବିବାର ଏବଂ ୨୫ ଡିସେମ୍ବରରେ ବଡ ଦିନ ହେତୁ ବିଧାନସଭା ବନ୍ଦ ରହିବ ।

ଅତିରିକ୍ତ ବଜେଟ୍ ପ୍ରସ୍ତୁତି ପାଇଁ ଅର୍ଥ ବିଭାଗ କସରତ ଆରମ୍ଭ କରିସାରିଛି । ସର୍ତକତାର ସହ ବଜେଟ୍ ପ୍ରସ୍ତୁତ କରୁଥିବା ବିଭିନ୍ନ ବିଭାଗ ସହିତ ପରାମର୍ଶ ଜାରି ରହିଛି ।

ଗତ ବର୍ଷ ନଭେମ୍ବରରେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ରାଜ୍ୟ ବିଧାନସଭାରେ ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ୧୧,୨୦୦ କୋଟି ଟଙ୍କାର ଅତିରିକ୍ତ ବଜେଟ୍ ଉପସ୍ଥାପନ କରିଥିଲେ । ଏହି ବର୍ଷ ଅତରିକ୍ତ ବଜେଟ୍‍ ପରିମାଣ ସାମାନ୍ୟ ବୃଦ୍ଧି ହେବାର ସମ୍ଭାବନା ଅଛି ।

ଅତିରିକ୍ତ ବଜେଟର ନଜର ସ୍ୱାସ୍ଥ୍ୟ, ଖାଦ୍ୟ ଏବଂ ସାମାଜିକ ନିରାପତ୍ତା, ଜୀବିକା କାର୍ଯ୍ୟକ୍ରମ, ରୋଜଗାର ସୃଷ୍ଟି ଇତ୍ୟାଦି ସହିତ କୋଭିଡ ମୁକାବିଲା ଉପରେ ରହିବାର ସମ୍ଭାବନା ରହିଛି । ଏହା ବ୍ୟତୀତ କାଳିଆ, ବିଏସକେ, ମମତା, ମିଶନ ଶକ୍ତି ଏବଂ ଅନ୍ୟାନ୍ୟ ଯୋଜନା ପାଇଁ ଅତିରିକ୍ତ ବଜେଟ୍‍ରେ ପାଣ୍ଠି ବ୍ୟବସ୍ଥା ରହିବ ।

ଏହା ବ୍ୟତୀତ ଜଗନ୍ନାଥ ମନ୍ଦିର, ସମଲେଶ୍ୱରୀ ମନ୍ଦିର, ଏସସିବି ମେଡିକାଲ କଲେଜ ଏବଂ କ୍ରୀଡା ସୁବିଧା ପାଇଁ ଚାଲିଥିବା ମେଗା ଭିତ୍ତିଭୂମି ପ୍ରକଳ୍ପ ଲାଗି ପର୍ଯ୍ୟାପ୍ତ ଅର୍ଥ ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି ।