Home News in Odia ଡାଏଲ୍‌-୧୧୨ର ଶୁଭାରମ୍ଭ

ଡାଏଲ୍‌-୧୧୨ର ଶୁଭାରମ୍ଭ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍ସ ଜରିଆରେ ଆପଦକାଳୀନ ତ୍ୱରିତ ସହାୟତା ବ୍ୟବସ୍ଥା ଡାଏଲ୍‌-୧୧୨ର ଶୁଭାରମ୍ଭ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଆଜିଠାରୁ ଜନସାଧାରଣ ବିପଦପୂର୍ଣ୍ଣ ସମୟରେ ପୁଲିସ, ଅଗ୍ନିଶମ ସେବା, ସ୍ୱାସ୍ଥ୍ୟ, ବିପର୍ଯ୍ୟୟ ମୁକାବିଲା ଏବଂ ଅନ୍ୟାନ୍ୟ ଆପଦକାଳୀନ ସେବାସଂପୃକ୍ତ ଆବଶ୍ୟକତା ନିମନ୍ତେ ଏକକ ନମ୍ବର ୧୧୨କୁ ଡାଏଲ୍‌ କରିପାରିବେ ।

ମୁଖ୍ୟମନ୍ତ୍ରୀ ମଧ୍ୟ ଅତ୍ୟାଧୁନିକ ରାଜ୍ୟ ଆପଦକାଳୀନ ବ୍ୟବସ୍ଥା କେନ୍ଦ୍ର ଉଦ୍‌ଘାଟନ କରିବା ସହିତ ମୋବାଇଲ୍‌ ଡାଟା ଟର୍ମିନାଲସଂପନ୍ନ ଆପଦକାଳୀନ ତ୍ୱରିତ ସେବା ପ୍ରଦାୟକ ଯାନର ଶୁଭାରମ୍ଭ କରିଛନ୍ତି । ଏହି ପ୍ରକଳ୍ପ ପାଇଁ ଓଡ଼ିଶା ସରକାର ୧୫୭.୧୨ କୋଟି ଟଙ୍କାର ବ୍ୟବସ୍ଥା ଓ ୨୫୦୦ ପଦବୀର ବନ୍ଦୋବସ୍ତ କରିଛନ୍ତି । ଏହି ନୂତନ ବ୍ୟବସ୍ଥା ଫଳରେ ଏବେ ପ୍ରଚଳିତ ପୁଲିସ୍‌-୧୦୦, ଅଗ୍ନିଶମ-୧୦୧ ଓ ଆମ୍ବୁଲାନ୍ସ-୧୦୮/୧୦୨ ନମ୍ବରଗୁଡ଼ିକ ୧୧୨ ନମ୍ବର ସହିତ ପର୍ଯ୍ୟାୟ କ୍ରମେ ସମନ୍ୱିତ ହେବ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ।

ନୂତନ ବ୍ୟବସ୍ଥା ଉପରେ ସନ୍ତୋଷ ବ୍ୟକ୍ତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏହି ବ୍ୟବସ୍ଥାରେ ଭଏସ୍‌ କଲ୍‌, ଏସ୍‌ଏମ୍‌ଏସ୍‌, ପ୍ୟାନିକ୍‌ ଏସ୍‌ଓଏସ୍‌ ଅନୁରୋଧ ଏବଂ େୱବ୍‌ ଅନୁରୋଧ ମଧ୍ୟ ସ୍ୱତନ୍ତ୍ର ଭାବରେ ବିକଶିତ ୧୧୨ ଇଣ୍ଡିଆ ଆପ୍‌ ମାଧ୍ୟମରେ ବିଭିନ୍ନ ତଥ୍ୟ ଗ୍ରହଣ କରିବାର ସୁବିଧା ରହିଥିବା ୨୪ ଘଣ୍ଟିଆ ସେବା ଉପଲବ୍ଧ ହେବ ।

ଆପଦକାଳୀନ ତ୍ୱରିତ ସେବା କେନ୍ଦ୍ରଟି ଜିଲ୍ଲା ସ୍ତରରେ ୩୪ଟି ଜିଲ୍ଲା ସମନ୍ୱୟ କେନ୍ଦ୍ର ସହିତ ଡିଜିଟାଲ୍‌ ମାଧ୍ୟମରେ ସଂଯୁକ୍ତ ହୋଇଛି ଏବଂ ଠିକଣା ଭାବରେ ଆପଦକାଳୀନ ସେବା ପ୍ରଦାୟକ ଯାନଗୁଡ଼ିକ ପ୍ରସ୍ତୁତ ରହିଛି । ମାନ୍ୟବର ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ୧୧୨ ଇଣ୍ଡିଆ ମୋବାଇଲ୍‌ ଆପ୍‌ ଡାଉନ୍‌ଲୋଡ୍‌ କରିବା ଏବଂ ବିପଦ ସମୟରେ ନିଜ ନିଜ ଅଞ୍ଚଳର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ୧୧୨ ସେ୍ୱଚ୍ଛାସେବୀ ଭାବରେ ପଂଜୀକୃତ ହେବାକୁ ଅନୁରୋଧ ଜଣାଇଛନ୍ତି ।

ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର, ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ, ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ, ଗୃହ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-‘ଟି’) ଶ୍ରୀ ଭି.କେ. ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ।