Home Environment ୨୦ ବର୍ଷରେ ୬ ବଡ ବାତ୍ୟା……

୨୦ ବର୍ଷରେ ୬ ବଡ ବାତ୍ୟା……

ଭୁବନେଶ୍ୱର : ରାଜ୍ୟ ଉପରେ ଗତ ୨୦ବର୍ଷ ମଧ୍ୟରେ ୬ଟି ବଡ ବାତ୍ୟାର ପ୍ରଭାବ ପଡିଛି । ଏଥି ସହିତ କିଛିବର୍ଷ ରାଜ୍ୟରେ ଜଳବାୟୁ ପରିବର୍ତ୍ତନ ବି ଲକ୍ଷ୍ୟ କରାଯାଉଛି ।

ବିଧାୟକ ପ୍ରଶାନ୍ତ ବେହେରାଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁଦାମ ମାରାଣ୍ଡି । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟରେ ଜଳବାୟୁ ପରିବର୍ତ୍ତନ ସହିତ ଅନଚାନକ ବୃଷ୍ଟିପାତ ଓ କମ୍‍ ସମୟରେ ଅଧିକ ବୃଷ୍ଟିପାତ, ବର୍ଷାଦିନେ ଦୀର୍ଘ ସମୟ ଧରି ପାଗ ଶୁଖିଲା ବି ରହୁଛି ।

ରାଜ୍ୟରେ ଜଳବାୟ ଓ ପାଣିପାଗର ଏଭଳି ପରିବର୍ତ୍ତନ ସଂକ୍ରାନ୍ତରେ ସରକାର ଅବଗତ ଅଛନ୍ତି । ଏହାର ପ୍ରତିକାର ପାଇଁ ରାଜ୍ୟ ସରକାର ଜଙ୍ଗଲ ଓ ପରିବେଶ ବିଭାଗ ଅଧିନରେ ଜଳବାୟୁ ପରିବର୍ତ୍ତନ କାର୍ଯ୍ୟ ଖସଡା ପ୍ରସ୍ତୁତ କରି ୧୧ଟି ବିଭାଗ ସମନ୍ୱୟରେ କାର୍ଯ୍ୟକାରୀ କରୁଛନ୍ତି । ଏଗୁଡିକ ମଧ୍ୟରେ ଉପକୂଳ ଅଞ୍ଚଳରେ ଜାତୀୟ ବାତ୍ୟା ପରିଚାଳନା ପ୍ରକଳ୍ପ ଅଧିନରେ ଲୁଣାବନ୍ଧ ନିର୍ମାଣ, ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳ ନିର୍ମାଣ, ବାତ୍ୟା ସହନଶୀଳ ଭିତ୍ତିଭୂମି ବିକାଶ, ସ୍କୁଲ କଲେଜ ପିଲାଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠିଗୁଡିକୁ ବାତ୍ୟା ମୁକାବିଲା କ୍ଷେତ୍ରରେ ତାଲିମ ଓ ସଚେତନ ଆଦି ରହିଛି ।

ସେହିଭଳି ବିଦ୍ୟୁତ୍‍ ବିତରଣ ବ୍ୟବସ୍ଥାରେ ଉନ୍ନତି, ବାତ୍ୟା ସହନଶୀଳ ବିଜୁଳି ବ୍ୟବସ୍ଥା, ରାଜ୍ୟ ସ୍ୱାସ୍ଥ୍ୟ ନୀତିରେ ଜଳବାୟୁ ପରିବର୍ତ୍ତନକୁ ଗୁରୁତ୍ୱଦେବା, ସମସ୍ତଙ୍କ ପାଇଁ ଜଳ ଯୋଗାଣ ନିଶ୍ଚିତ କରିବା ଆଦି ରହିଛି । ସେହିଭଳି ପାଣିପାଗ କ୍ଷେତ୍ରରେ ସୃଷ୍ଟି ଅନିୟମିତତା ଏବଂ ଫସଲ ଉପରେ ଏହାର ପ୍ରଭାବ ତଥା ପ୍ରତିକାର ନିମନ୍ତେ କୃଷି ଉତ୍ପାଦନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ କମଟି ଗଠନ କରାଯାଇଛି ।