Home Covid ଟିକାଦାନ କ୍ଷେତ୍ରରେ ୧୧ରାଜ୍ୟ ତଳେ ଓଡିଶା

ଟିକାଦାନ କ୍ଷେତ୍ରରେ ୧୧ରାଜ୍ୟ ତଳେ ଓଡିଶା

ଭୁବନେଶ୍ୱର : କୋଭିଡ ଟିକାଦାନ କ୍ଷେତ୍ରରେ ଦେଶର ୧୧ଟି ରାଜ୍ୟ ତଳେ ଓଡିଶା ରହିଛି । ଟିକାଦାନ କ୍ଷେତ୍ରରେ ସବୁଠାରୁ ଆଗରେ ଉତ୍ତର ପ୍ରଦେଶ ରହିଥିବାବେଳେ ପଡୋଶୀ ପଶ୍ଚିମବଙ୍ଗ ଓ ଆନ୍ଧ୍ରପ୍ରଦେଶରେ ବି ଓଡିଶା ଠାରୁ ଅଧିକ ଟିକା ଦିଆଯାଇଛି । କେନ୍ଦ୍ରର ଟିକା ଯୋଗାଣରେ ମନ୍ଥରତା ଯୋଗୁଁ ରାଜ୍ୟରେ ଟିକାଦାନ ଧିମେଇ ଯାଇଛି ।

ବର୍ତ୍ତମାନ ସୁଦ୍ଧା ସମଗ୍ର ଦେଶରେ ମୋଟ୍‍ ୪୭,୮୫,୪୪,୧୧୪ ଡୋଜ୍‍ କୋଭିଡ ଟିକା ଦିଆଯାଇ ସାରିଲାଣି । ଏଥି ମଧ୍ୟରୁ ୩୭,୨୬,୨୬,୨୯୬ ଟି ପ୍ରଥମ ଡୋଜ୍‍ ହୋଇଥିବାବେଳେ ୧୦,୫୯,୧୭,୧୮୮ ଦ୍ୱିତୀୟ ଡୋଜ୍‍ । ଓଡିଶାରେ ଏବେ ସୁଦ୍ଧା ମୋଟ୍‍ ୧,୬୮,୩୫,୭୬୩ ଡୋଜ୍‍ ଟିକା ଦିଆଯାଇ ଥିବାବେଳେ ଏଥି ମଧ୍ୟୁ ପ୍ରଥମ ଡୋଜ୍‍ ସଂଖ୍ୟା ସର୍ବାଧିକ ୧,୨୮,୭୪,୮୭୭ ରହିଛି ।

ତେବେ ଓଡିଶା ଠାରୁ ଅଧିକ ଟିକା ଦେଇଥିବା ରାଜ୍ୟଗୁଡିକ ମଧ୍ୟରେ ଉତ୍ତରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ପଶ୍ଚିମବଙ୍ଗ, କର୍ଣ୍ଣାଟକ, କେରଳ, ଗୁଜୁରାଟ, ବିହାର, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ ଓ ତାମିଲନାଡୁ ଆଦି ରହିଛନ୍ତି । ଏହିସବୁ ରାଜ୍ୟରେ ୨ଲକ୍ଷରୁ ସାଢେ ୪ଲକ୍ଷ ପର୍ଯ୍ୟନ୍ତ ଡୋଜ୍‍ ଦିଆଯାଇ ସାରିଲାଣି । ଉତ୍ତରପ୍ରଦେଶରେ ସର୍ବାଧିଖ ୪,୮୮,୨୬,୨୭୯ ଡୋଜ୍‍ ଟିକା ଦିଆଯାଇ ସାରିଲାଣି ।

ପଡୋଶୀ ପଶ୍ଚିମବଙ୍ଗରେ ୩,୦୨,୪୯,୪୩୮ ଡୋଜ୍‍ ଟିକା ଦିଆଯାଇଥିବାବେଳେ ଆନ୍ଧ୍ରପ୍ରଦେଶରେ ୨,୨୩,୦୪,୭୫୪ ଡୋଜ୍‍ ଟିକା ଦିଆଯାଇଛି । ତେବେ ମହାରାଷ୍ଟ୍ରକୁ ବାଦ୍‍ ଦେଲେ ଅନ୍ୟ କୌଣସି ରାଜ୍ୟରେ ଦ୍ୱିତୀୟ ଡୋଜ୍‍ ଟିକାଦାନ ଏକ କୋଟି ଟପିପାରି ନାହିଁ । ମହାରାଷ୍ଟ୍ରରେ ଦିଆଯାଇଥିବା ୪,୫୦,୦୫,୬୬୯ ଡୋଜ୍‍ ମଧ୍ୟରୁ ଦ୍ୱିତୀୟ ଡୋଜ୍‍ର ପରିମାଣ ୧,୧୩,୫୪,୫୦୮ ରହିଛି । ତେବେ ସବୁଠାରୁ କମ୍‍ ୬୬,୬୪୯ଟି ଡୋଜ୍‍ ଟିକା ଲକ୍ଷାଦ୍ୱୀପରେ ଦିଆଯାଇଛି ।

କେନ୍ଦ୍ର ସରକାର ରାଜ୍ୟଗୁଡିକୁ ମାଗଣା ଟିକା ଯୋଗାଉଥିବାବେଳେ ଏଥି ମଧ୍ୟରେ କୋଭାକ୍ସିନ ଓ କୋଭିସିଲ୍ଡ ପ୍ରମୁଖ ରହିଛି । ଓଡିଶାକୁ ମଧ୍ୟ କେନ୍ଦ୍ର ସରକାର ଏହି ଦୁଇ ପ୍ରକାର ଟିକା ଯୋଗାଇ ଦେଉଛନ୍ତି । ତେବେ ଆବଶ୍ୟକ ମୁତାବକ ଟିକା ଯୋଗାଣ ହୋଇପାରୁନଥିବାରୁ ରାଜ୍ୟରେ ଅପେକ୍ଷାରତ ବ୍ୟକ୍ତିଙ୍କୁ ଦ୍ୱିତୀୟ ଡୋଜ୍‍ ଟିକା ଦିଆଯାଇ ପାରୁନାହିଁ । ଏପରିକି ଅଧିକାଂଶ ସମୟରେ ଟିକାଦାନ କେନ୍ଦ୍ରଗୁଡିକ ବନ୍ଦ କରିବାକୁ ପଡୁଛି ।

ଅନ୍ୟ ପକ୍ଷରେ କେନ୍ଦ୍ର ସରକାର ରାଜ୍ୟ କୋଟାରୁ ୨୫ ପ୍ରତିଶତ ଟିକା ଘରୋଇ ଡାକ୍ତରଖାନାଗୁଡିକ ଯୋଗାଉଥିଲେ ମଧ୍ୟ ସେମାନେ ତାହାକୁ ଖର୍ଚ୍ଚ କରିପାରୁ ନାହାନ୍ତି । କାରଣ ଘରୋଇ ଡାକ୍ତରଖାନାରେ ଗୋଟିଏ ଡୋଜ୍‍ ଟିକାର ଦର ପ୍ରାୟ ୧୪୦୦ ଟଙ୍କା ପଡୁଥିବାରୁ ଲୋକେ ସରକାରୀ ଡାକ୍ତରଖାନାରେ ମାଗଣା ଟିକା ନେଉଛନ୍ତି ।

ରାଜଧାନୀ ଭୁବନେଶ୍ୱର ଓ ଗଞ୍ଜାମରେ କୋଭାକ୍ସିନ ଟିକା ଦିଆଯାଉଥିବାବେଳେ ଅନ୍ୟ ସମସ୍ତ ସ୍ଥାନରେ ଲୋକଙ୍କୁ କୋଭିସିଲ୍ଡ ଟିକା ଦିଆଯାଉଛି । ଯଦିଓ ଓଡିଶା ବଜାରକୁ ସ୍ପୁଟନିକ-ଭି ଟିକା ଆସିଛି ଏହାକୁ ଘରୋଇ ଡାକ୍ତରଖାନରେ ପଇସା ନେଇ ନେବାକୁ ଲୋକେ ଆଗ୍ରହ ପ୍ରକାଶ କରୁନାହାନ୍ତି ।

ଟିକାଦାନର ସୁବିଧା ଓ ଟିକା ନଷ୍ଟର ପରିମାଣକୁ ଦେଖି କେନ୍ଦ୍ର ସରକାର ରାଜ୍ୟଗୁଡିକୁ ଟିକା ଯୋଗାଣ କରୁଥିବାବେଳେ ଏ ଦୁଇଟି ମାନଦଣ୍ଡ ପାଳନରେ ଓଡିଶା ଢେର ଆଗରେ ରହିଛି । ଏପରିକି ଓଡିଶା ଏବେ ଦୈନିକ ସାଢେ ୩ଲକ୍ଷ ଡୋଜ୍‍ ଟିକା ଦେବାପାଇଁ ଲକ୍ଷ୍ୟଧାର୍ଯ୍ୟ କରିଛି । କେନ୍ଦ୍ର ସରକାର ଯଦି ଚାହିଦା ମୁତାବକ ଟିକା ଯୋଗାଣ କରନ୍ତି ତେବେ ଏହା ଦେବା କ୍ଷେତ୍ରରେ କୌଣସି ସମସ୍ୟା ନାହିଁ ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।