Home General ଗାଡି ଭଡା ଏବେ ଦୁଇ ଗୁଣା

ଗାଡି ଭଡା ଏବେ ଦୁଇ ଗୁଣା

ଭୁବନେଶ୍ୱର : ଯାତ୍ରୀମାନେ ଏବେ ଦୁଇଗୁଣାରୁ ଅଧିକ ଭଡା ଦେଇ ବସ୍‍, ଅଟୋ ଆଦିରେ ଯାତାୟତ କରୁଛନ୍ତି । କରୋନା ଯୋଗୁଁ ଯାତ୍ରୀ ନହେବା ଓ ତେଲର ଅହେତୁକ ଦର ବୃଦ୍ଧିକୁ ଆଳ କରି ବେସରକାରୀ ଯାନଗୁଡିକରେ ଏଭଳି ଭଡା ଆଦାୟ ହେଉଥିବାବେଳେ ଏଥିପ୍ରତି ପରିବହନ ବିଭାଗ ଏକ ପ୍ରକାର ନିରବ ।

ଭୁବନେଶ୍ୱରରୁ କଟକକୁ ବସ୍‍ଭଡା ଏବେ ୫୦ ଟଙ୍କା । ସରକାରୀ ଧାର୍ଯ୍ୟ ଦର ଅନୁସାରେ ଏହା ୨୫ରୁ ୩୦ ଟଙ୍କା ପଡିବାକଥା । ହେଲେ ଯାତ୍ରୀମାନଙ୍କ ଠାରୁ ୫୦ଟଙ୍କା କରି ଆଦାୟ ହେଉଛି । ବସ୍‍ କର୍ମଚାରୀଙ୍କ ଉତ୍ତର ସରକାରୀ କୋଭିଡ ନିୟମ ଅନୁଯାୟୀ ଆମେ ବସ୍‍ରେ ଧାର୍ଯ୍ୟ ଆସନ ଠାରୁ ଅଧିକ ଯାତ୍ରୀ ନେଉନାହୁଁ । ତେଣୁ ଯେତିକି ଯାତ୍ରୀ ବସିକରି ଯାଉଛନ୍ତି ସେଥିରେ ଯଦି ଆମେ ସରକାରୀ ଧାର୍ଯ୍ୟ ଦରରେ ଭଡା ନେବୁ ତେବେ ଗାଡିରେ ତେଲ ପକାଇବାକୁ ପଇସା ଅଣ୍ଟିବ ନାହିଁ । କର୍ମଚାରୀଙ୍କ ଖାଇବା ପିଇବା ଓ ଅନ୍ୟାନ୍ୟ ଖର୍ଚ୍ଚ ବି ରହିଛି ।

କେବଳ କଟକ-ଭୁବନେଶ୍ୱର ନୁହେଁ, ସାରା ରାଜ୍ୟରେ ଏବେ ଏହିଭଳି ଅବସ୍ଥା । ଅଗଷ୍ଟ ପହିଲାରୁ ‘ବି’ ବର୍ଗ ଜିଲ୍ଲାରେ କଟକଣା ସହିତ ବସ୍‍ ଚଳାଚଳ ପାଇଁ ଅନୁମତି ମିଳିଥିବାବେଳେ ଅଧିକାଂଶ ବସ୍‍ ରାସ୍ତାକୁ ଓହ୍ଲାଉ ନାହାନ୍ତି । କାରଣ ଥରେ ଚକା ଗଡିଲେ ସରକାରଙ୍କୁ ଟିକସ ଗଣିବାକୁ ପଡିବ । ଅନ୍ୟ ପକ୍ଷରେ ଯେଉଁସବୁ ବସ୍‍ ଚାଲୁଛି ସେଥିରେ ଅଧା ସିଟ୍‍ ବି ପୂରଣ ହେଉନାହିଁ । କରୋନା ଭୟରେ ଲୋକେ ଦୁଇ ଚକିଆ ଯାନରେ ଯାଉଛନ୍ତି ପଛେ ବସ୍‍ରେ ବସୁନାହାନ୍ତି ।

କେବଳ ବସ୍‍ ନୁହେଁ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ସହରରେ ଏବେ ଅଟୋ ଭଡା ବି ଦୁଇଗୁଣ ହୋଇଯାଇଛି । ରାଜଧାନୀରେ ଯେଉଁ ସ୍ଥାନକୁ ପୂର୍ବରୁ ୧୦ଟଙ୍କା ଭଡା ପଡୁଥିଲା ଏବେ ତାହା ୨୦ ଟଙ୍କା କିମ୍ବା ତାହାଠାରୁ ଅଧିକ ପଡୁଛି । ଉତ୍ତର ବି ସମାନ, ତେଲ ଦର ବଢିଛି ଓ କରୋନା ଯୋଗୁଁ ଯାତ୍ରୀ ହେଉନାହାନ୍ତି ।

ଇତି ମଧ୍ୟରେ କିସ୍ତିରେ ଗାଡି କିଣିଥିବା ଅଟୋ ମାଲିକଙ୍କ ଠାରୁ ଆରମ୍ଭ କରି ବସ୍‍ ଓ ଟ୍ରକମାଲିକ ସମେସ୍ତ କିସ୍ତି ଆଦାୟରେ କୋହଳ ପାଇଁ ଅର୍ଥଲଗାଣକାରୀ ସଂସ୍ଥା ଉପରେ ଚାପ ପକାଇବାପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି । ଅଟୋଚାଳକମାନେ ତ ରାଜରାସ୍ତାରେ ଏଥିପାଇଁ ଧାରଣା ଦେଇଛନ୍ତି । ବସ୍‍ମାଲିକମାନେ ବି କିସ୍ତି ଓ ଅନ୍ୟାନ୍ୟ ଟିକସ ଛାଡ ସମେତ ଗାଡି ଚଳାଇବାପାଇଁ ସହଜ କିସ୍ତରେ ଅର୍ଥ ଯୋଗାଇବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି ।

ହେଲେ ଏସବୁ ବିଷୟରେ ସରକାର ନିଷ୍ପତ୍ତି ନେଇପାରୁନଥିବାବେଳେ ଏବେ ଲୋକେ କିନ୍ତୁ ଦୁଇ ଗୁଣାରୁ ଅଧିକ ଭଡା ଦେଇ ଯା ଆସ କରୁଛନ୍ତି । ଅବଶ୍ୟ ସରକାରୀ ଟାଉନବସ୍‍ ଓ ଦୂରଗାମୀ ବସ୍‍ଗୁଡିକରେ ସରକାରଙ୍କ ଧାର୍ଯ୍ୟ ଦର ଅନୁଯାୟୀ ଭଡା ନିଆଯାଉଛି । ହେଲେ ଅଧିକାଂଶ ରୁଟ୍‍ରେ ସରକାରୀ ବସ ଚଳାଚଳ କରୁନଥିବା ଓ ଏହାର ସଂଖ୍ୟା ସମୁଦ୍ରକୁ ଶଙ୍ଖେ ଭଳି ଥିବାରୁ ଲୋକେ ବାଧ୍ୟ ହୋଇ ବେସରକାରୀ ଯାନରେ ଯା ଆସ କରୁଛନ୍ତି । ତେଣୁ ପରିବହନ ବିଭାଗ ତୁରନ୍ତ ଏ ଦିଗରେ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । (ତଥ୍ୟ)