Home Covid ସ୍କୁଲରେ କରୋନା ଯୋଗୁଁ ଓଡିଶାରେ ଛାନିଆ

ସ୍କୁଲରେ କରୋନା ଯୋଗୁଁ ଓଡିଶାରେ ଛାନିଆ

ଭୁବନେଶ୍ୱର : କରୋନା କଟକଣା ମଧ୍ୟରେ ସ୍କୁଲ ଖୋଲିବାପରେ ବିଭିନ୍ନ ରାଜ୍ୟରେ ଏବେ ଛାତ୍ରଛାତ୍ରୀମାନେ ବହୁ ସଂଖ୍ୟାରେ କରୋନାରେ ସଂକ୍ରମିତ ହେଉଛନ୍ତି । ଏ ଖବର ଗଣମାଧ୍ୟମରେ ପ୍ରଚାରିତ ହେବାପରେ ଓଡିଶାରେ ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ ଶିକ୍ଷୟତ୍ରୀ ମହଲରେ ଆତଙ୍କ ସୃଷ୍ଟି ହୋଇଛି ।

ଦିଲ୍ଲୀ ଓ କର୍ଣ୍ଣାଟକର କେତେକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନେ କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି । ଓଡିଶା ଭଳି ଏହିସବୁ ରାଜ୍ୟରେ ବି ବର୍ଷାଧିକକାଳ ଧରି ଶିକ୍ଷାନୁଷ୍ଠାନଗୁଡିକ କରୋନା ମାଡରେ ବନ୍ଦଥିଲା । ତେବେ ଦ୍ୱିତୀୟ ଲହର ସଂକ୍ରମଣ ନିୟନ୍ତ୍ରଣକୁ ଆସୁଥିବାରୁ ସମ୍ପୃକ୍ତ ରାଜ୍ୟ ସରକାରମାନେ ପର୍ଯ୍ୟାୟକ୍ରମେ ବିଦ୍ୟାଳୟଗୁଡିକର ବିଭିନ୍ନ ଶ୍ରେଣୀ ଖୋଲୁଛନ୍ତି । ଏଥିପାଇଁ ପିଲାମାନଙ୍କୁ ବିଦ୍ୟାଳୟରେ ମାସ୍କ ପରିଧାନ, ସାନିଟାଇଜର ବ୍ୟବହାର, ସାବୁନରେ ହାତ ଧୋଇବା ଏବଂ ପରସ୍ପର ଠାରୁ ଦୂରତା ରଖିବା ବାଧ୍ୟତାମୂଳକ କରାଯାଇଛି । କେବଳ ସେତିକି ନୁହେଁ ପିଲାମାନଙ୍କର ଖେଳ ପିରିୟଡ ବାତିଲ କରାଯିବା ସହ ବିଦ୍ୟାଳୟର କ୍ୟାଣ୍ଟିନ ମଧ୍ୟ ବନ୍ଦ ରହିଛି ।

ଓଡିଶାରେ କରୋନା ସଂକ୍ରମଣ ଦ୍ରୁତ ହ୍ରାସ ପାଇବା ପରିପ୍ରେକ୍ଷୀରେ ପ୍ରଥମ ପର୍ଯ୍ୟାୟରେ ଦ୍ୱାଦଶ ଓ ଦଶମ ଶ୍ରେଣୀରେ ପୂରା କଟକଣା ଭିତରେ ପାଠପଢା ଆରମ୍ଭ ହୋଇଛି । ଏହା ପରେ ପରେ ଉଚ୍ଚଶିକ୍ଷା ଓ ବୈଷୟିକ ଶିକ୍ଷାନୁଷ୍ଠାନଗୁଡିକ ଖୋଲୁଛି । ଏବେ ନବମ ଓ ଏକାଦଶ ସମେତ ଅନ୍ୟାନ୍ୟ ଶ୍ରେଣୀରେ ମଧ୍ୟ ପାଠପଢା ଆରମ୍ଭ ପାଇଁ ପ୍ରକ୍ରିୟା ଜାରି ରହିଛି ।

ଏଠାରେ ଉଲ୍ଲେଖନୀୟ ଯେ ୨୦୨୧ ମାର୍ଚ୍ଚମାସରେ ପ୍ରଥମ ପର୍ଯ୍ୟାୟ ଲକଡାଉନ୍‍ ଓ ସଟ୍‍ଡାଉନ ଘୋଷଣା ହେବା ପରଠାରୁ ଓଡିଶା ସମେତ ବିଭିନ୍ନ ରାଜ୍ୟରେ ସ୍କୁଲ କଲେଜରେ ପାଠପଢା ବନ୍ଦ ଥିଲା । ଭର୍ଚୁଆଲ ମୋଡ୍‍ରେ ପାଠପଢା ପରେ ଆରମ୍ଭ ହୋଇଥିଲେ ମଧ୍ୟ ରାଜ୍ୟର ଅଧିକାଂଶ ଦୁର୍ଗମ ଅଞ୍ଚଳରେ ବିଦ୍ୟୁତ୍‍ ଓ ଇଣ୍ଟରନେଟ୍‍ ସେବା ନଥିବା ଏବଂ ଆର୍ଥିକ ଦୁରବସ୍ଥା ଯୋଗୁଁ ସଂଖ୍ୟାଧିକ ଅଭିଭାବକ ପିଲାଙ୍କ ପାଇଁ ସ୍ମାର୍ଟଫୋନ୍‍ ଓ କମ୍ପ୍ୟୁଟର ଆଦି ବ୍ୟବସ୍ଥା କରିପାରୁନଥିବାରୁ ବିଦ୍ୟାଳୟ ସ୍ତରରେ ଦୁଇ ତୃତୀୟାଂଶରୁ ଅଧିକ ପିଲା ଭର୍ଚୁଆଲ କ୍ଲାସ ସୁଯୋଗରୁ ବଞ୍ଚିତ ହେଉଛନ୍ତି ।

ଅନ୍ୟ ପକ୍ଷରେ କରୋନାର କରାଳ ସ୍ଥିତି ଯୋଗୁଁ ଦୁଇବର୍ଷ ହେବ ମାଟ୍ରିକ, ସିବିଏସ୍‍ଇ, ଉଚ୍ଚଶିକ୍ଷା ପରିଷଦ, ଓ ବିଶ୍ୱବିଦ୍ୟାଳୟ ଆଦିରେ ଶେଷ ପରୀକ୍ଷା ହୋଇପାରୁ ନାହିଁ । ବିକଳ୍ପ ପନ୍ଥାରେ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପିଲାଙ୍କୁ ପାଶ୍‍ କରାଯାଉଛି । ଏ ପରିପ୍ରେକ୍ଷୀରେ କରୋନା ଥମିବା ଯୋଗୁଁ ଓଡିଶା ସମେତ ବିଭିନ୍ନ ରାଜ୍ୟରେ ପୁଣି ଶ୍ରେଣୀଗୃହରେ ପର୍ଯ୍ୟାୟକ୍ରମେ ପାଠପଢା ଆରମ୍ଭ ହୋଇଛି ଏବଂ ବର୍ଷାଧିକ କାଳଧରି ଶ୍ରେଣୀରୁ ଦୂରରେ ଥିବା ପିଲାମାନେ ଆଗ୍ରହ ପ୍ରକାଶ କରି ଶିକ୍ଷାନୁଷ୍ଠାନ ଆସୁଛନ୍ତି ।

ପ୍ରକାଶିତ ସମାଚାର ଅନୁଯାୟୀ କର୍ଣ୍ଣାଟକରେ କେବଳ ଗୋଟିଏ ସ୍କୁଲରେ ପ୍ରାୟ ତିନିଶହ ଛାତ୍ରଛାତ୍ରୀ କରୋନା ପଜିଟିଭ ଚିହ୍ନିତ ହୋଇଛନ୍ତି । ଦିଲ୍ଲୀ ସମେତ ଆଉ କେତେକ ରାଜ୍ୟରେ ବି ସ୍କୁଲ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେଉଥିବା ଜଣାପଡିଛି । ଏ ପରିପ୍ରେକ୍ଷୀରେ ସମସ୍ତ ପ୍ରକାର ପ୍ରତିଷେଧମୂଳକ ପଦକ୍ଷେପ ଶ୍ରେଣୀଗୃହରେ ନିଆଯାଉଥିବା ସତ୍ୱେ କରୋନା ସଂକ୍ରମଣ ନେଇ ଅଭିଭାବକ, ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ଛାନିଆ । (ତଥ୍ୟ)