Home General ଖବରକାଗଜ ହକରମାନଙ୍କୁ ପରିଚୟପତ୍ର ବଣ୍ଟନ

ଖବରକାଗଜ ହକରମାନଙ୍କୁ ପରିଚୟପତ୍ର ବଣ୍ଟନ

ଭୁବନେଶ୍ୱୂର : ଖବରକାଗଜ ହକରମାନଙ୍କୁ ପରିଚୟପତ୍ର ବଣ୍ଟନ କାର୍ଯ୍ୟକ୍ରମ ଆଜି ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାସ୍ଥିତ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ଓ ଲୋକସଂପର୍କ ଉପଦେଷ୍ଟା ମାନସ ରଞ୍ଜନ ମଙ୍ଗରାଜ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ ।

ଖବରକାଗଜ ହକରମାନଙ୍କୁ କୋଭିଡ୍ ସହାୟତା ପ୍ରଦାନ ଓ ପରିଚୟପତ୍ର ପ୍ରଦାନ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିନବ ପଦକ୍ଷେପ ବୋଲି କହିଥିଲେ । ଏହି ପରିପ୍ରେକ୍ଷୀରେ ଶ୍ରୀ ମଂଗରାଜ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ଗତ ଡିସେମ୍ବର ମାସ ୨୩ ତାରିଖରେ ଖବରକାଗଜ ହକରମାନଙ୍କୁ ସ୍ୱତନ୍ତ୍ର କୋଭିଡ୍ ସହାୟତା ପ୍ରଦାନ କରିଥିଲେ । ରାଜ୍ୟର ପ୍ରାୟ ୭୩୦୦ ହକରମାନଙ୍କୁ ତାଲିକା ଭୁକ୍ତ କରି ସ୍ୱତନ୍ତ୍ର କୋଭିଡ୍ ସହାୟତା ପ୍ରଦାନ କରାଯାଇଛି । ସେଥି ମଧ୍ୟରୁ ଖୋର୍ଦ୍ଧା ଉପଖଣ୍ଡର ୬ଟି ବ୍ଲକର ୧୬୭ ଜଣ ହକରଙ୍କୁ ପଂଜୀକୃତ କରାଯାଇଛି ।

ଖବରକାଗଜ ହକରମାନଙ୍କୁ ମଧ୍ୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ସାମିଲ କରି ସହାୟତା ପ୍ରଦାନ କରାଯିବ । ସେମାନଙ୍କୁ ପରିଚୟ ପତ୍ର ଦେବା ଦ୍ୱାରା ସେମାନେ ବିଶେଷ ସୁବିଧା ପାଇବେ । ସୂଚନା ଓ ଲୋକ ସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ବିଷ୍ଣୁପଦ ସେଠୀ ସମ୍ମାନିତ ଅତିଥି ଭାବେ କହିଥିଲେ ଯେ, ଖବରକାଗଜ ହକରମାନେ ସେମାନଙ୍କର ସେବା ପାଇଁ ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯାଇ ମାନ୍ୟତା ଦିଆଯାଇଛି । ରାଜ୍ୟରେ ୭ ହଜାରରୁ ଊର୍ଦ୍ଧ୍ୱ ହକରମାନଙ୍କର ଡାଟା ବେସ ପ୍ରସ୍ତୁତ କରାଯାଇଛି ।

ସେମାନଙ୍କୁ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ଅନ୍ତର୍ଭୁକ୍ତ କରାଯାଇ ପଂଜୀକୃତ ହକରମାନଙ୍କୁ ଆକସ୍ମିକ ଦୁର୍ଘଟଣା ଜନିତ ମୃତ୍ୟୁ, ପ୍ରାକୃତିକ ମୃତ୍ୟୁ , ଦୁର୍ଘଟଣା ଯୋଗୁଁ ସଂପୂର୍ଣ୍ଣ ଶାରିରୀକ ଅକ୍ଷମ, ଶରୀରର ଅଙ୍ଗ ଅକ୍ଷମ କ୍ଷେତ୍ରରେ ସେମାନଙ୍କୁ ବା ସେମାନଙ୍କର ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି । ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ଯୁଗାନ୍ତକାରୀ ନିଷ୍ପତି ଯୋଗୁଁ ଖବରକାଗଜ ହକରମାନେ ଉପକୃତ ହେବେ ବୋଲି ପ୍ରମୁଖ ଶାସନ ସଚିବ ଶ୍ରୀ ସେଠୀ ପ୍ରକାଶ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ, ପରିଚୟ ପତ୍ର ପାଇବା ଦ୍ୱାରା ଗ୍ରାଂମାଂଚଳ ଓ ସହରାଂଚଳରେ କାର୍ଯ୍ୟକରୁଥିବା ହକରମାନଙ୍କର ବିଶେଷ ସୁବିଧା ହେବ । ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଯୋଗଦେଇ କହିଲେ ଯେ, ଖବରକାଗଜ ହକରମାନଙ୍କୁ କୋଭିଡ୍ ସହାୟତା ଓ ପରିଚୟ ପତ୍ର ପ୍ରଦାନ କରାଯାଇ ସେମାନଙ୍କର ଶ୍ରମର ମର୍ଯ୍ୟାଦା ଦିଆଯାଇଛି । ସେମାନେ ଖରା, ବର୍ଷା, ଶୀତ ଓ ବର୍ଷର ସବୁ ସମୟରେ ପରିଶ୍ରମ କରି ଲୋକମାନଙ୍କ ନିକଟରେ ସଂବାଦପତ୍ର ପହଁଚାଉଛନ୍ତି ।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ ଯୋଗୁଁ ଖବର କାଗଜ ହକରମାନେ ଉପକୃତ ହେଉଛନ୍ତି । ଖବରକାଗଜ ହକର ଜିତେନ୍ଦ୍ର ବେହେରା କହିଥିଲେ ଯେ, କୋଭିଡ୍ ସହାୟତା ଓ ପରିଚୟ ପତ୍ର ପାଇ ଆମେ ହକରଭାଇମାନେ ବିଶେଷ ଖୁସି ଅଛୁ । କୋଭିଡ୍ କଟକଣା ପରିପ୍ରେକ୍ଷୀରେ ଆଜି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଉପଖଣ୍ଡର ବିଭିନ୍ନ ବ୍ଲକର ୭୦ ଜଣ ହକରଙ୍କୁ ଆଜି ପରିଚୟ ପତ୍ର ବଣ୍ଟନ କରାଯାଇଥିବା ବେଳେ ଦିନେ ୨ ଦିନ ଭିତରେ ସମସ୍ତ ହିତାଧିକାରୀଙ୍କୁ ଏସବୁ ପରିଚୟ ପତ୍ର ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକ ସଂପର୍କ କାର୍ଯ୍ୟାଳୟକୁ ଗ୍ରହଣ କରିବେ ।

ଖୋର୍ଦ୍ଧା ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ମାନସ ରଂଜନ ବିଶ୍ୱାଳ ସ୍ୱାଗତ ଭାଷଣ ପ୍ରଦାନ କରିବା ସହ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ, ଖୋର୍ଦ୍ଧା ମନୋଜ କୁମାର ପାଢୀ, ସୂଚନା ଓ ଲୋକସଂପର୍କ ବିଭାଗ ଯୁଗ୍ମ ନିର୍ଦ୍ଦେଶକ ମାନସ ରଞ୍ଜନ ଖୁଣ୍ଟିଆ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ, ଭୁବନେଶ୍ୱର ପଠାଣି ରାଉତ ଓ ଗଣମାଧ୍ୟମର ପ୍ରତିନିଧି ପ୍ରମୁଖ ଯୋଗଦେଇଥିଲେ ।