Home News in Odia କୋଭିଡ ଯୋଗୁଁ ଆସିଲେନି ବିଦେଶୀ ପର୍ଯ୍ୟଟକ

କୋଭିଡ ଯୋଗୁଁ ଆସିଲେନି ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ୱର : କୋଭିଡ ଭୟ ଯୋଗୁଁ ଓଡିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ଆଶାତୀତ ଭାବେ ହ୍ରାସ ପାଇଛି । ଏପରିକି ୨୦୨୧ ମସିହାରେ ଓଡିଶାକୁ ମାତ୍ର ୨୨୬୯ଜଣ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି ।

ସମଗ୍ର ଦେଶକୁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ସଂକ୍ରାନ୍ତରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ନିହାଲ ଚାନ୍ଦ ଲୋକସଭାରେ ଦେଇଥିବା ସୂଚନାରୁ ଏହା ଜଣାପଡିଛି । ଏଥିରେ ଦର୍ଶାଯାଇଛି ଯେ ୨୦୧୯ ମସିହାରେ ଓଡିଶାକୁ ୧,୧୫,୧୨୮ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିଲେ । ହେଲେ ୨୦୨୦ରେ କୋଭିଡଯୋଗୁଁ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ୧୦,୨୦୬ରେ ସୀମିତ ଥିବାବେଳେ ୨୦୨୧ ରେ ଏହା ୨୨୬୯କୁ ହ୍ରାସ ପାଇଥିଲା ।

ଉଲ୍ଲେଖନୀୟ ଯେ କୋଭିଡ ମହାମାରୀ ଭୟରେ ବିଶ୍ୱର ଅନେକ ଦେଶ ଆର୍ନ୍ତଜାତୀୟ ବିମାନ ଚଳାଚଳ ଉପରେ କଟକଣା ଲଗାଇଥିଲେ । ଭାରତ ସରକାର ମଧ୍ୟ ଦୀର୍ଘଦିନ ପର୍ଯ୍ୟନ୍ତ ଆର୍ନ୍ତଜାତୀୟ ଉଡାଣ ରଦ୍ଦ କରିଥିବାବେଳେ ଘରୋଇ ବିମାନ ଚଳାଚଳ ବନ୍ଦ ରହିଥିଲା । ବିମାନ ଚଳାଚଳ ପରେ ବି କୋଭିଡ ଭୟରେ ବିଦେଶୀ ପର୍ଯ୍ୟଟକ ତ ଦୂରରକଥା ଘରୋଇ ପର୍ଯ୍ୟଟକ ବି ଆସିନଥିଲେ ।

ସେହିଭଳି ୨୦୧୯ମସିହାରେ ଭାରତକୁ ୩.୧୪ କୋଟିରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିଥିବା ମନ୍ତ୍ରୀ ଉଲ୍ଲେଖ କରିଥିଲେ । ୨୦୨୦ରେ ଏହି ସଂଖ୍ୟା ୪.୪୬ଲକ୍ଷକୁ ହ୍ରାସ ପାଇଥିବାବେଳେ ୨୦୨୧ରେ କରୋନା ପ୍ରଭାବ ଯୋଗୁଁ ଏହା ୩୫ହଜାର ଟପିପାରି ନଥିଲା । ଅବସ୍ଥା ଏଭଳି ହୋଇଥିଲା ଯେ ୨୦୨୧ ମସିହାରେ ଲକ୍ଷାଦ୍ୱୀପକୁ ମାତ୍ର ୪ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବାବେଳେ ତ୍ରିପୁରାକୁ ୫ଜଣ, ଛତିଶଗଡକୁ ୮ଜଣ ବିଦେଶୀ ପର୍ଯ୍ୟଟକଙ୍କ ଆଗମନ ହୋଇଥିଲା ।

ତେବେ ୨୦୨୧ରେ କରୋନା ମହାମାରୀ ସତ୍ୱେ ପଡୋଶୀ ଆନ୍ଧ୍ରପ୍ରଦେଶକୁ ୨୭,୫୫୧ ଜଣ ବିଦେଶୀ ପର୍ଯ୍ୟଟକ ଆସିଥିବାବେଳେ ପଶ୍ଚିମବଙ୍ଗକୁ ୩୪,୮୨୮ ଜଣ ଆସିଥିଲେ । ତେବେ ଏହି ଦୁଇ ରାଜ୍ୟକୁ ସିଧାସଳଖ ଭାବେ ଆର୍ନ୍ତଜାତୀୟ ବିମାନ ଚଳାଚଳ କରୁଥିବାରୁ ଅଧିକ ସଂଖ୍ୟାରେ ବିଦେଶୀ ପର୍ଯ୍ୟଟକ ଆସୁଥିବା କୁହାଯାଉଛି ।

କେନ୍ଦ୍ରମନ୍ତ୍ରୀ ଦର୍ଶାଇଛନ୍ତି ଯେ କରୋନାର ପ୍ରକୋପ ଥମିବାପରେ ଭାରତକୁ ବିଦେଶୀ ପର୍ଯ୍ୟଟକମାନେ ଆସିବାରେ ଲାଗିଛନ୍ତି । ୨୦୨୨ରେ ହାରାହାରି ଭାବେ ୬.୧୯ ନିୟୁତ ବିଦେଶୀ ପର୍ଯ୍ୟଟକ ଆସିଥିବାର ସୂଚନା ଥିବାବେଳେ ଏମାନଙ୍କ ମଧ୍ୟରୁ କେଉଁ ରାଜ୍ୟକୁ କେତେ ଆସିଛନ୍ତି ତାହାର ହିସାବ ହୋଇପାରି ନାହିଁ ।

ଭାରତକୁ କିଭଳି ଅଧିକରୁ ଅଧିକ ବିଦେଶୀ ପର୍ଯ୍ୟଟକ ଆସିବେ ସେଥିପାଇଁ କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରୁଛନ୍ତି । ଏଥି ମଧ୍ୟରେ ସ୍ୱଦେଶ ଦର୍ଶନ ଯୋଜନାର ପୁନଃ କାର୍ଯ୍ୟକାରିତା, ପ୍ରସାଦ ଯୋଜନାରେ ପର୍ଯ୍ୟଟନ ସ୍ଥଳୀର ବିକାଶ, ୨୪ ଘଣ୍ଟିଆ ବହୁଭାଷୀ ପର୍ଯ୍ୟଟକ ସହାୟତା କେନ୍ଦ୍ର କାର୍ଯ୍ୟକାରୀ, ୫ଟି ବର୍ଗରେ ଇ-ଭିସା ଆଦି କାର୍ଯ୍ୟକାରୀ କରୁଛନ୍ତି । (ତଥ୍ୟ)