Home Judiciary ସମବାୟ ଟ୍ରିବ୍ୟୁନାଲରେ ନାହାନ୍ତି ବିଚାରପତି

ସମବାୟ ଟ୍ରିବ୍ୟୁନାଲରେ ନାହାନ୍ତି ବିଚାରପତି

ଭୁବନେଶ୍ୱର : ସମବାୟ ନିର୍ବାଚନରେ ବିଭିନ୍ନ କାରଣରୁ ପ୍ରାର୍ଥୀପତ୍ର ରଦ୍ଦ, ନିର୍ବାଚନରେ ଅନିୟମିତତା ଓ ଅନ୍ୟାନ୍ୟ କାରଣ ଦର୍ଶାଇ ଶହ ଶହ ମାମଲା ରୁଜୁ ହେଉଥିବାବେଳେ ଏହାର ବିଚାରପାଇଁ ରାଜ୍ୟ ସମବାୟ ଟ୍ରିବ୍ୟୁନାଲରେ ଜଣେ ହେଲେ ବିଚାରପତି ନାହାନ୍ତି । ନିର୍ବାଚନ ପ୍ରକ୍ରିୟା ଆରମ୍ଭ ବେଳଠାରୁ ପ୍ରାୟ ୫ମାସ ଧରି ଏହି ପଦବୀ ଖାଲିପଡିଥିବାବେଳେ ତାହା କାହିଁକି ପୂରଣ କରାଯାଉନାହିଁ ସେଥିଘେନି ସମବାୟବିତ୍‍ମାନେ ଆଶ୍ଚର୍ଯ୍ୟପ୍ରକଟ କରୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ସମବାୟ ନିର୍ବାଚନ ପାଇଁ ପ୍ରସ୍ତୁତ ଭୋଟର ତାଲିକାରେ ତ୍ରୁଟି ଯୋଗୁଁ କିଛି ଆଶାୟୀପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିପାରିନଥିବାବେଳେ ଯେଉଁମାନେ ବି ଦାଖଲ କରିଥିଲେ ସେମାନଙ୍କ ମଧ୍ୟରୁ କେତେକଙ୍କର ନାମାଙ୍କନପତ୍ରକୁ ତନଖିବେଳେ ନାକଚ କରିଦିଆଯାଇଛି । ଏଥିଯୋଗୁଁ ବହୁ ସ୍ଥାନରେ ପ୍ରାର୍ଥୀମାନେ ନିଦ୍ୱର୍ନ୍ଦରେ ନିର୍ବାଚିତ ହୋଇଛନ୍ତି ।

ତେବେ ଯେଉଁମାନଙ୍କ ପ୍ରାର୍ଥୀପତ୍ର କଟିଯିବା ଯୋଗୁଁ ଅନ୍ୟମାନେ ର୍ନିଦ୍ୱନ୍ଦରେ ନିର୍ବାଚିତ ହେଲେ କିମ୍ବା ସେମାନଙ୍କ ନିର୍ବାଚନ ଜିଣିବା ସହଜ ହୋଇଗଲା ତାହାକୁ ନିର୍ବାଚନରୁ ବାଦ୍‍ ପଡିଥିବା ବହୁ ପ୍ରାର୍ଥୀ ସହଜରେ ହଜମ କରିପାରୁନାହାନ୍ତି । ଆଇନାନୁଯାୟୀ ନିର୍ବାଚନରେ ତ୍ରୁଟି ବିଚ୍ୟୁତି ଓ ଅନ୍ୟାନ୍ୟ କାରଣ ଘେନି ରାଜ୍ୟ ସମବାୟ ଟ୍ରିବ୍ୟୁନାଲରେ ଅଭିଯୋଗକାରୀ ମାମଲା ରୁଜୁ କରିପାରିବେ ଏବଂ ସମବାୟ ଟ୍ରିବ୍ୟୁନାଲ ମାମଲାକୁ ବିଚାରପାଇଁ ଗ୍ରହଣ କରିବେ କି ନାହିଁ, ଏଥିରେ କାହାକୁ ନୋଟିସ୍‍ କରାଯିବ, ଅଭିଯୋଗ ଠିକ୍‍ କି ନୁହେଁ ଓ କାହାର ପ୍ରାର୍ଥୀତ୍ୱ ରହିବ ଓ କାହାର ପଦବୀ କଟିବ ତାହା ଆଇନାନୁଯାୟୀ ଟ୍ରିବ୍ୟୁନାଲ ବିଚାର କରିବାକଥା ।

ଏବେ ପ୍ରାଥମିକ ସ୍ତରର ସମବାୟ ସମିତିଗୁଡିକର ନିର୍ବାଚନ ପରେ କେନ୍ଦ୍ରୀୟ ସଂସ୍ଥାଗୁଡିକର ନିର୍ବାଚନ ସରିଲାଣି । ଶୀର୍ଷ ସମବାୟସମିତିଗୁଡିକ ପାଇଁ ଏବେ ର୍ନିବାଚନ ପ୍ରକ୍ରିୟା ଚାଲିଛି । ଏଯାବତ୍‍ ର୍ନିବାଚନରେ ତ୍ରୁଟିବିଚ୍ୟୁତି ଓ ପକ୍ଷପାତିତା ଘେନି ପ୍ରାୟ ୩ଶହ ପର୍ଯ୍ୟନ୍ତ ଅଭିଯୋଗ ଆସିଥିବା ସମବାୟବିତ୍‍ମାନେ କହୁଛନ୍ତି ।

ସମବାୟ ଟ୍ରିବ୍ୟୁନାଲରେ ବିଚାରପତି ନଥିବାରୁ ଏଠାରେ ଯେତେସବୁ ମାମଲା ରୁଜୁ ହୋଇଛି ତାହା ଉପରେ କେବେ ଶୁଣାଣି ହେବ ସେ ସଂକ୍ରାନ୍ତରେ ଟ୍ରିବ୍ୟୁନାଲର କର୍ମଚାରୀମାନେ କିଛି କହିପାରୁ ନାହାନ୍ତି । ଟ୍ରିବ୍ୟୁନାଲରେ ବିଚାରପତି ନିଯୁକ୍ତି ପରେ ମାମଲା ରୁଜୁପାଇଁ ଆଉ ଅନେକ ଅପେକ୍ଷା କରି ରହିଛନ୍ତି । ବିଚାରପତି ନଥିବାରୁ ସମବାୟ ଟ୍ରିବ୍ୟୁନାଲ ସମ୍ପୂର୍ଣ୍ଣ ଅଚଳାବସ୍ଥାରେ ଥିବାବେଳେ ଏଠାରେ ନିୟୋଜିତ ଅନ୍ୟ କର୍ମଚାରୀମାନେ କିନ୍ତୁ ଏକ ପ୍ରକାର ବିନା କାମରେ ବେତନ ନେଉଛନ୍ତି ।

ଅଭିଯୋଗ ହେଉଛି ଯେ ସମବାୟ ଟ୍ରିବ୍ୟୁନାଲରେ ଅବସ୍ଥାପିତ ଥିବା ବିଚାରପତିଙ୍କୁ ଅନ୍ୟତ୍ର ବଦଳି କରାଯିବାପରେ ତାଙ୍କ ସ୍ଥାନରେ ପ୍ରାୟ ୫ମାସ ଧରି ଆଉ କାହାକୁ ନିଯୁକ୍ତି ଦିଆଯାଇନାହିଁ । କେବେ ସୁଦ୍ଧା ଏହି ଟ୍ରିବ୍ୟୁନାଲର ବିଚାରପତି ପଦବୀ ପୂରଣ ହେବ ସେ ସଂକ୍ରାନ୍ତରେ ବି ସମବାୟ ବିଭାଗ, ଆଇନ୍‍ ବିଭାଗ ଆଦି ପାଖରେ ତଥ୍ୟ ନାହିଁ । (ତଥ୍ୟ)