Home Covid କୋଟିଏ ନେଲେଣି ଟିକା

କୋଟିଏ ନେଲେଣି ଟିକା

ଭୁବନେଶ୍ୱର : କୋଭିଡ-୧୯ ଟିକାକରଣ କ୍ଷେତ୍ରରେ ଓଡିଶା ଆଉ ଏକ ମାଇଲଖୁଣ୍ଟ ଅତିକ୍ରମ କରିଛି । ଆଜି ସୁଦ୍ଧା ଏକ କୋଟି ଲୋକଙ୍କୁ ପ୍ରଥମ ଡୋଜ୍‍ ଟିକା ଦିଆଯାଇଛି ।

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର କହିଛନ୍ତି କୋଭିଡ-୧୯ ଟିକାରଣର ପ୍ରଥମ ଡୋଜ୍‍ ସହିତ ଏକ କୋଟି ଲୋକଙ୍କୁ ଟିକାକରଣ କରିବାରେ ଓଡିଶା ଐତିହାସିକ ମାଇଲଖୁଣ୍ଟ ଅତିକ୍ରମ କରିଛି ।

ଶ୍ରୀ ମହାପାତ୍ର କହିଛନ୍ତି ଯେ ଆମେ ଆମର ସମସ୍ତ ଜନସଂଖ୍ୟାକୁ ଟିକାକରଣ ପାଇଁ ଅଗ୍ରସର ହେଉଥିବାବେଳେ ଏଭଳି ସଫଳତାପାଇଁ ରାଜ୍ୟବାସୀ ଏବଂ ଉତ୍ସର୍ଗୀକୃତ ସ୍ୱାସ୍ଥ୍ୟକର୍ମୀ ଧନ୍ୟବାଦର ପାତ୍ର ।

ଗତକାଲି ପର୍ଯ୍ୟନ୍ତ ରାଜ୍ୟରେ ୧,୨୦,୬୦,୩୯୧ ଡୋଜ୍‍ ଟିକା ଦିଆଯାଇଥିବାବେଳେ ପ୍ରଥମ ଡୋଜ୍‍ ଟିକା ଏକ କୋଟିରୁ ଅଧିକ ରହିଥିବାବେଳେ କେବଳ ୨୨ଲକ୍ଷ ଦ୍ୱିତୀୟ ଡୋଜ୍‍ ନେଇଛନ୍ତି ।

ଯଦିଓ ରାଜ୍ୟରେ ପ୍ରତିଦିନ ୩ରୁ ସାଢେ ୩ଲକ୍ଷ ଟିକାକରଣ ପାଇଁ ସମସ୍ତ ପ୍ରସ୍ତୁତି ଚଳାଇଛନ୍ତି ତଥାପି କେନ୍ଦ୍ର ଟିକା ଯୋଗାଣ କରୁନଥିବାରୁ ଏହି ଲକ୍ଷ୍ୟ ହାସଲ ହୋଇପାରୁନାହିଁ ।

ଆଜି କେବଳ ରାଜ୍ୟର ତିନିଟି ଜିଲ୍ଲାରେ ୧୬୩ଟି କେନ୍ଦ୍ରରେ ଟିକାକରଣ କାର୍ଯ୍ୟକ୍ରମ ଚାଲିଛି । କେନ୍ଦ୍ରାପଡାରେ ୮୦ଟି କେନ୍ଦ୍ରରେ ଟିକାକରଣ ହୋଇଥିବାବେଳେ ପୁରୀରେ ୬୭ ଓ ରାୟଗଡାରେ ୧୬ଟି ସ୍ଥାନରେ ଟିକାକରଣ ହୋଇଛି । ସର୍ବଶେଷ ସୂଚନା ଅନୁଯାୟୀ ରାଜ୍ୟରେ ୯,୮୧,୧୯୦ ଡୋଜ୍‍ କୋଭିସିଲ୍ଡ ଏବଂ ୩,୯୧,୫୪୦ ଡୋଜ୍‍ କୋଭାକ୍ସିନ ରହିଛି ।

ଟିକାଦାନ ଅଭିଯାନକୁ ତ୍ୱରାନ୍ୱିତ କରିବାକୁ ସରକାର ସୋମବାର ଠାରୁ ଗଞ୍ଜାମ ଜିଲ୍ଲାରେ କୋଭାକ୍ସିନ ଟିକା ଦେବାକୁ ସ୍ଥିର ହୋଇଛି । ଏପରିକି ରାଜ୍ୟ ସରକାର ବାରମ୍ବାର କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟକୁ ଘରୋଇ ଡାକ୍ତରଖାନାପାଇଁ ଦିଆଯାଇଥିବା ୨୦ ପ୍ରତିଶତ ଟିକା କୋଟା ବଦଳାଇବାକୁ ଅନରୋଧ କରିଛନ୍ତି । କିନ୍ତୁ ମନ୍ତ୍ରାଳୟ ପକ୍ଷରୁ ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇନାହିଁ ।