Home Covid କୋଟିଏ ଟପିଲା ନମୂନା ପରୀକ୍ଷା

କୋଟିଏ ଟପିଲା ନମୂନା ପରୀକ୍ଷା

ଭୁବନେଶ୍ୱର : ରାଜ୍ୟରେ କୋଭିଡ ନମୂନା ପରୀକ୍ଷା ଏକ କୋଟିକୁ ଟପିଯାଇଛି । ଗତକାଲି ୪୪ହଜାର ନମୂନା ପରୀକ୍ଷା ପରେ ରାଜ୍ୟରେ ମୋଟ୍‍ କରୋନା ପରୀକ୍ଷା ସଂଖ୍ୟା ୧,୦୦,୪୧,୨୦୪ ହୋଇଛି । ଏଥିରୁ ୪.୩୪ ପ୍ରତିଶତ ପଜିଟିଭ ଚିହ୍ନଟ ହୋଇଛି ।

କରୋନାର ଦ୍ୱିତୀୟ ଲହରୀ ଭୟଙ୍କର ହେଉଥିବାବେଳେ ନମୂନା ପରୀକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଥିବା । ବର୍ତ୍ତମାନ ଦୈନିକ ୪୦ହଜାର ଉପରେ ନମୂନା ପରୀକ୍ଷା ହେଉଥିବାବେଳେ ଏହାକୁ ବଢାଇବାପାଇଁ ସବୁ ସ୍ତରରୁ ଦାବି ଉଠିବାରେ ଲାଗିଛି ।

ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୯୯୮ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୦୪୫ ଜଣ କ୍ୱାରେଣ୍ଟାଇନ୍‍ର ହୋଇଥିବାବେଳେ ୨୯୪୪ ଲୋକାଲକେସ୍‍ ରହିଛି । ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋରଧାରୁ ସର୍ବାଧିକ ୯୧୯ ଜଣ ଚିହ୍ନଟ ହୋଇଥିବାବେଳେ କଟକରୁ ୫୧୭, ସୁନ୍ଦରଗଡରୁ ୪୭୪, ନୂଆପଡାରୁ ୪୨୦, ଝାରସୁଗୁଡାରୁ ୩୯୬, ବରଗଡରୁ ୩୩୦, ଅନୁଗୁଳରୁ ୩୨୫, ସମ୍ବଲପୁରରୁ ୩୨୩, ମୟୁରଭଞ୍ଜରୁ ୩୦୮ ଜଣ ଚିହ୍ନଟ ହୋଇଛନ୍ତି ।

ଅନ୍ୟ ଜିଲ୍ଲା ମଧ୍ୟରେ କଳାହାଣ୍ଡିରୁ ୨୯୨, ପୁରୀରୁ ୨୮୮, ନବରଙ୍ଗପୁରରୁ ୨୫୫, ବଲାଙ୍ଗିରରୁ ୨୩୬, ଯାଜପୁରରୁ ୨୨୬, ରାୟଗଡାରୁ ୧୮୧, କେନ୍ଦୁଝରରୁ ୧୬୦, ସୋନୁପରରୁ ୧୩୧, ନୟାଗଡାରୁ ୧୨୧, ଗଞ୍ଜାମରୁ ୧୨୮, ଗଜପତିରୁ ୧୨୧ ଜଣ ଚିହ୍ନଟ ହୋଇଛନ୍ତି । ସବୁଠାରୁ କମ୍‍ ୨୨ଜଣ ସଂକ୍ରମିତ ଢେଙ୍କାନାଳ ଜିଲ୍ଲାରୁ ଚିହ୍ନଟ ହୋଇଥିବାବେଳେ ମାଲକାନଗିରିରୁ ୩୦, କନ୍ଧମାଳରୁ ୪୫ ଓ କୋରାପୁଟରୁ ୫୭ଜଣ ବାହାରିଛନ୍ତି ।

ସେହିଭଳି କରୋନା ରାଜ୍ୟରେ ଆଉ ୧୨ ମୁଣ୍ଡ ନେବାପରେ ମୋଟ୍‍ ମୃତ୍ୟୁ ସଂଖ୍ୟା ୨୦୨୯ରେ ପହଞ୍ଚିଛି । ମୃତ ୧୨ଜଣଙ୍କ ମଧ୍ୟରେ ଖୋରଧାରୁ ସର୍ବାଧିକ ୪ଜଣ ଥିବାବେଳେ ପୁରୀ ଓ ରାୟଗଡାରୁ ୨ଜଣ କରି ଏବଂ ସୁନ୍ଦରଗଡ, କେନ୍ଦୁଝର, କଟକ ଓ ଅନୁଗୁଳରୁ ଜଣେ କରି ରହିଛନ୍ତି ।

ରାଜ୍ୟରେ ମୋଟ୍‍ କରୋନା ରୋଗୀଙ୍କ ସଂଖ୍ୟା ୪,୩୫,୫୧୩ରେ ପହଞ୍ଚି ଥିବାବେଳେ ଏମାନଙ୍କ ମଧ୍ୟରୁ ୩,୭୫,୭୨୧ ଜଣ ସୁସ୍ଥହୋଇ ସାରିଲେଣି । ବର୍ତ୍ତମାନ ରାଜ୍ୟରେ ସକ୍ରିୟ କରୋନା ରୋଗୀଙ୍କ ସଂଖ୍ୟା ୫୭,୭୧୦ରେ ପହଞ୍ଚିଛି । ଖୋରଧା ଜିଲ୍ଲାରେ ସର୍ବାଧିକ ୧୦,୪୩୦ ଜଣ ରୋଗୀ ରହିଛନ୍ତି ।