Home Covid ଲଗାମଛଡା ଦର ବୃଦ୍ଧି

ଲଗାମଛଡା ଦର ବୃଦ୍ଧି

ଭୁବନେଶ୍ୱର : ଔଷଧର କଳାବେପାରକୁ ରୋକିବାପାଇଁ ଚଢଉ ଚାଲିଥିବାବେଳେ ମେଡିକାଲ ଉପକରଣ ବିକ୍ରି କରୁଥିବା ବ୍ୟବସାୟୀମାନେ ଏବେ ଲୋକଙ୍କୁ ଲୁଟି ଚାଲିଛନ୍ତି । ବିଶେଷକରି କରୋନା ସମୟରେ ଅକ୍ସିମିଟର, ଥର୍ମୋମିଟର, ରକ୍ତଚାପ ମାପିବା ଓ ମଧୁମେହ ପରୀକ୍ଷା କରିବା ଯନ୍ତ୍ରପାତିରେ ମନଇଚ୍ଛା ଦର କଷୁଛନ୍ତି ।

କରୋନା ସଂକ୍ରମିତଙ୍କୁ ଯେତେ ସମ୍ଭବ ଘରେ ସଂଗରୋଧରେ ରହି ଚିକିତ୍ସା ପାଇଁ ଉଭୟ ସରକାର ଓ ଡାକ୍ତରମାନେ ପରାମର୍ଶ ଦେଉଛନ୍ତି । ତେବେ ଘରେ ରହି ଚିକିତ୍ସା ସମୟରେ ବାରମ୍ବାର ନିଜର ଅମ୍ଳଜାନ ସ୍ତର ସହିତ ରକ୍ତଚାପ ଓ ଶର୍କରା ସ୍ତର ମାପିବା ପାଇଁ ପରାମର୍ଶ ଦିଆଯାଉଛି । ବିଶେଷକରି ଅମ୍ଳଜାନ ସ୍ତର ଉପରେ ବିଶେଷଜ୍ଞମାନେ ସର୍ବାଧିକ ଗୁରୁତ୍ୱ ଦେଉଛନ୍ତି । ଅମ୍ଳଜାନ ସ୍ତର କମିଲେ ତୁରନ୍ତ ଡାକ୍ତରଖାନା ଆସିବାକୁ କୁହାଯାଉଛି ।

ଏହାକୁ ଦୃଷ୍ଟିରେ ରଖି କରୋନା ସଂକ୍ରମିତଙ୍କ ସହିତ ସାଧାରଣ ଲୋକେ ଏବେ ଅମ୍ଳଜାନ ମାପିବାପାଇଁ ଆବଶ୍ୟକ ହେଉଥିବା ଅକ୍ସିମିଟର, ଜ୍ୱର ମାପିବାପାଇଁ ଥର୍ମୋମିଟର ସହିତ ରକ୍ତଚାପ ଓ ମଧୁମେହ ପରୀକ୍ଷା ପାଇଁ ଆବଶ୍ୟକ ସାଜ ସରଞ୍ଜାମ ଖରିଦ କରୁଛନ୍ତି । କରୋନା ସମୟରେ ଅନ୍‍ଲାଇନ୍‍ରେ ମଗାଇଲେ ବିଳମ୍ବ ହେଉଥିବାରୁ ସିଧାସଳଖ ଲୋକେ ଯାଇ ଦୋକାନରୁ ଏହା କିଣୁଛନ୍ତି । ଏଥି ସହିତ ଗରମ ବାମ୍ଫ ନେବାପାଇଁ ବି ଭାପୋରାଇଜର ଖରିଦ କରୁଛନ୍ତି ।

ତେବେ ଲୋକଙ୍କ ବିକଳିଆ ଅବସ୍ଥା ଦେଖି ଏହିସବୁ ସାମଗ୍ରୀ ବିକ୍ରି କରୁଥିବା ଔଷଧ ଓ ଅନ୍ୟ ଦୋକାନୀମାନେ ମନଇଚ୍ଛା ଦର ନେଉଛନ୍ତି । ଅଧିକାଂଶ ଅକ୍ସିମିଟର ଉପରେ ଦର ଲେଖା ନଥିବାରୁ ଯିଏ ଯେତେ ପାରୁଛି ନେଉଛି । ବିଭିନ୍ନ ଦୋକାନରେ ଭିନ୍ନ ଭିନ୍ନ ଦର । ସେହିଭଳି ବଜାରରୁ ଏବେ ଭାପୋରାଇଜର ଏକ ପ୍ରକାର ଉଭାନ ହୋଇଯାଇଛି । ଜଣେ ଜଣେ ଲୋକ ଦୁଇ ତିନୋଟି କରି କିଣି ନେଉଛନ୍ତି । ଫଳରେ ମାସକ ତଳେ ଯେଉଁ ଭାପୋରାଇଜରର ଦାମ ୨୦୦ ରୁ ୨୫୦ ଟଙ୍କା ଥିଲା ଏବେ ତାହା ୩୦୦ରୁ ୩୫୦ ଟଙ୍କାରେ ବିକ୍ରି ହେଉଛି । ରକ୍ତଚାପ ମାପିବା ଓ ମଧୁମେହ ମାପିବା ଯନ୍ତ୍ର କ୍ଷେତ୍ରରେ ବି ଅନୁରୂପ ଅବସ୍ଥା ।

ଏହିସବୁ ସାମଗ୍ରୀର ଦର ଉପରେ କେହି ନଜର ଦେଉନଥିବାରୁ କଳାବେପାରୀଙ୍କୁ ଏହା ବେଶ୍‍ ସୁହାଇଛି । ଲୋକଙ୍କୁ ମନଇଚ୍ଛା ଶୋଷଣ କରୁଛନ୍ତି । ତେଣୁ ଔଷଧ କଳାବଜାର ରୋକିବାପାଇଁ ଚଢଉ ସମୟରେ ଅନ୍ୟାନ୍ୟ ଡାକ୍ତରୀ ସାମଗ୍ରୀ କେତେ ଦରରେ ଓ କିଭଳି ବିକ୍ରି ହେଉଛି ସେଥିପ୍ରତି ଦୃଷ୍ଟି ଦେବାପାଇଁ ଦାବି ହେଉଛି ।

କେବଳ କରୋନାରେ ଆବଶ୍ୟକ ହେଉଥିବା ଏହିସବୁ ସାମଗ୍ରୀ ନୁହେଁ ସର୍ଜିକାଲ ମାସ୍କ ଓ ଗ୍ଲୋବ୍ସର ଦର ମଧ୍ୟ ଆକାଶଛୁଆଁ ହୋଇଛି । ଡାକ୍ତରମାନେ ଏବେ କପଡାମାସ୍କ ବଦଳରେ ସର୍ଜିକାଲ ମାସ୍କ ପିନ୍ଧିବାକୁ ଏପରିକି ଦୁଇଟି ମାସ୍କ ପିନ୍ଧିବାକୁ ପରାମର୍ଶ ଦେଉଥିବାରୁ ଏହାର ଦର ହୁ ହୁ ହୋଇ ବଢିବାରେ ଲାଗିଛି । ତେଣୁ କରୋନା ସମୟରେ ଅତି ଆବଶ୍ୟକ ହେଉଥିବା ଏହିସବୁ ସାମଗ୍ରୀର ଦର ପ୍ରତି ସରକାର ତୁରନ୍ତ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । (ତଥ୍ୟ)