Home Education କେତେ ପିଲା ମାଟ୍ରିକ ପରୀକ୍ଷା ଦେବେ ?

କେତେ ପିଲା ମାଟ୍ରିକ ପରୀକ୍ଷା ଦେବେ ?

ଭୁବନେଶ୍ୱର : ବିନା ପରୀକ୍ଷାରେ ଦଶମ ଶ୍ରେଣୀରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୯୭.୮୯ ପ୍ରତିଶତ ପାଶ୍‍ କରିଯିବା ପରେ ଜୁଲାଇ ୩୦ରୁ ଅସନ୍ତୁଷ୍ଟ ପ୍ରାର୍ଥୀଙ୍କ ପାଇଁ ମାଧ୍ୟମିକ ଶିକ୍ଷାବୋର୍ଡ କର୍ତ୍ତୃପକ୍ଷ ପରୀକ୍ଷା କରିବାକୁ ଘୋଷଣା କରିଛନ୍ତି । ତେବେ ସମଗ୍ର ରାଜ୍ୟରେ ୧୦ହଜାର ପିଲା ଏହି ପରୀକ୍ଷା ଦେବେ କି ନାହିଁ ସନ୍ଦେହ ।

କରୋନା ଯୋଗୁଁ ପରୀକ୍ଷାକେନ୍ଦ୍ରରେ ମାଟ୍ରିକ ପରୀକ୍ଷା କରାଇବା ସମ୍ଭବପର ହୋଇନଥିବାରୁ କର୍ତ୍ତୃପକ୍ଷ ସ୍ୱତନ୍ତ୍ର ଫର୍ମୁଲା ପ୍ରୟୋଗ କରି ପରୀକ୍ଷା ଦେବାକୁ ଥିବା ୫,୭୪,୧୨୫ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫,୬୨,୦୧୦ଙ୍କୁ ପାଶ୍‍ କରାଇଥିବାବେଳେ ତଥାପି ବି ୧୨,୧୧୫ ଜଣ ଫେଲ୍‍ ହୋଇଛନ୍ତି । ଫେଲ୍‍ ହୋଇଥିବା ପରୀକ୍ଷାର୍ଥୀଙ୍କ ଭିତରୁ ସଂଖ୍ୟାଧିକ ଜୁଲାଇ ୩୦ରେ ପରୀକ୍ଷା ଦେବା ସପକ୍ଷରେ ନାହାନ୍ତି ।

ମାଟ୍ରିକ ଫଳ ପ୍ରକାଶନ ପରେ ଅନେକ କୃତୀ ଛାତ୍ରଛାତ୍ରୀ ଯଥେଷ୍ଟ କମ୍‍ ନମ୍ବର ପାଇଥିବା ଘେନି ଅଭିଯୋଗ ଆଣିଥିବାବେଳେ ଆଉ କେତେକ ବିଦ୍ୟାଳୟରେ ଅସାଧୁ ଉପାୟ ଅବଲମ୍ବନ କରାଯାଇ ଛାତ୍ରଛାତ୍ରୀଙ୍କ ନବମ ଓ ଦଶମ ପ୍ରିବୋର୍ଡ ପରୀକ୍ଷାର ନମ୍ବର ବଢାଯାଇଥିବା ଘେନି ଅଭିଭାବକ ମହଲରୁ ଗୁରୁତର ଅଭିଯୋଗ ଆସିଛି । ଯେଉଁ ଛାତ୍ରଛାତ୍ରୀମାନେ କମ୍‍ ନମ୍ବର ରଖିଛନ୍ତି ସେମାନେ ଜୁଲାଇ ୩୦ରୁ ଆରମ୍ଭ ହେଉଥିବା ଅଫ୍‍ଲାଇନ୍‍ ପରୀକ୍ଷାର ସୁଯୋଗ ନେବାପାଇଁ ୫ତାରିଖରୁ ଫର୍ମ ଫିଲପ କରିବାକୁ କୁହାଯାଇଛି ।

ଅନ୍ୟ ପକ୍ଷରେ କୃତୀ ଛାତ୍ରଛାତ୍ରୀ, ସେମାନଙ୍କ ଶିକ୍ଷକ, ଅଭିଭାବକ ଓ ଶିକ୍ଷାବିତ୍‍ମାନେ କହୁଛନ୍ତି ଯେ ପରୀକ୍ଷା ହେବନାହିଁ ବୋଲି କର୍ତ୍ତୃପକ୍ଷ ସୂଚନା ଦେବା ପରଠାରୁ ତିନିମାସରୁ ଅଧିକ ସମୟ ଧରି ଛାତ୍ରଛାତ୍ରୀଙ୍କର ପାଠ ସହ ଆଉ ସମ୍ପର୍କ ନାହିଁ । ଏ ପରିପ୍ରେକ୍ଷୀରେ ମାସକ ଭିତରେ ବର୍ଷକର ସିଲାବସ୍‍ ସାରି ସେମାନେ ପରୀକ୍ଷାଦେବା ସମ୍ଭବପର ନୁହେଁ । ଏହାଛଡା ଯୁକ୍ତ ଦୁଇ ଶ୍ରେଣୀରେ ନାମ ଲେଖାଇବା ପରେ ଦଶମ ପରୀକ୍ଷା ପିଲାମାନେ ଦେବାପାଇଁ ପସନ୍ଦ କରିବେ ନାହିଁ ।

ଏବର୍ଷ ମାଟ୍ରିକ ଫଳ ଅନୁଯାୟୀ ୨୬୫୬ଜଣ ପିଲା ଏ-୧ ଗ୍ରେଡ୍‍ ପାଇଥିବାବେଳେ ୨୨,୧୩୧ଜଣ ଏ-୨ ଓ ୫୨,୨୯୯ଜଣ ବି-୧ ଗ୍ରେଡ ପାଇଛନ୍ତି । ବିଶେଷକରି ଏ-୧ ଓ ଏ-୨ ଗ୍ରେଡ୍‍ ପାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଅନେକ ଯେତିକି ନମ୍ବର ପାଇଛନ୍ତି ତାହାଠାରୁ ସେମାନେ ଅଧିକ ନମ୍ବର ପାଇବାକଥା ବୋଲି ଦାବି କରୁଛନ୍ତି । ବିନା ମାଟ୍ରିକ ପରୀକ୍ଷାରେ ଜରୁରୀକାଳୀନ ଭିତ୍ତିରେ ପିଲାମାନଙ୍କୁ ସେମାନଙ୍କ ପୂର୍ବ ରେକର୍ଡ ଆଧାରରେ ନମ୍ବର ଦିଆଯାଇଥିବା କଥା ବୋର୍ଡ କର୍ତ୍ତୃପକ୍ଷ ରୋକଠୋକ ଭାବେ କହୁଥିବାବେଳେ ଅନେକ ଅସନ୍ତୁଷ୍ଟ ଅଭିଭାବକ ଓ ଛାତ୍ରଛାତ୍ରୀ ଏଥିଲାଗି ନିଜ ନିଜ ବିଦ୍ୟାଳୟର ଶିକ୍ଷକମାନଙ୍କୁ ଦାୟୀ କରୁଛନ୍ତି ।

ଲିଖିତ ଭାବେ ମାଟ୍ରିକ ପରୀକ୍ଷା ଦେବାପାଇଁ ଦିଆଯାଉଥିବା ସୁଯୋଗ ଆଧାରରେ ଯେଉଁ ଛାତ୍ରଛାତ୍ରୀମାନେ ଆଗ୍ରହ ପ୍ରକାଶ କରିବେ ସେମାନେ ଯେ ଏବେ ପାଇଥିବା ନମ୍ବର ଠାରୁ ନିଶ୍ଚିତ ଭାବେ ଅଧିକ ନମ୍ବର ରଖିବେ ଏ ଗ୍ୟାରେଣ୍ଟି ନଥିବାରୁ ବହୁ ଅଭିଭାବକ ଭାଗ୍ୟକୁ ଆଦରି ପିଲାମାନଙ୍କ ଫର୍ମପୂରଣ କରିବାକୁ ରାଜି ନୁହନ୍ତି । କେବଳ ଓଡିଶା ମାଧ୍ୟମିକ ଶିକ୍ଷାବୋର୍ଡ ନୁହେଁ ବିଭିନ୍ନ ରାଜ୍ୟର ବୋର୍ଡ ଏବଂ କେନ୍ଦ୍ରୀୟ ଆଇସିଏସ୍‍ଇ ଓ ସିବିଏସ୍‍ଇ ମଧ୍ୟ ବିନା ପରୀକ୍ଷାରେ ଦଶମ ଓ ଦ୍ୱାଦଶ ଶ୍ରେଣୀର ଫଳ ପ୍ରକାଶ କରିବାକୁ ବାଧ୍ୟ ହେଉଛନ୍ତି । (ତଥ୍ୟ)