Home Energy ମହରଗରୁ ଯାଇ କାନ୍ତାରରେ ଗ୍ରାହକ

ମହରଗରୁ ଯାଇ କାନ୍ତାରରେ ଗ୍ରାହକ

ଭୁବନେଶ୍ୱର : ସେସୁର ପରିଚାଳନା ଭାର ଟାଟା ପାୱାର ହାତକୁ ଯିବାପରେ ଗ୍ରାହକଙ୍କ ଅବସ୍ଥା ଏବେ ମହରଗରୁ ଯାଇ କାନ୍ତାରରେ ପଡିବା ଭଳି ହୋଇଛି । ଖୋଦ ରାଜଧାନୀରେ କରୋନା ବାହାନାରେ ଦୁଇ ମାସରେ ଥରେ ମିଟର ରିଡିଂ ନିଆଯାଉଥିବାବେଳେ ବିଦ୍ୟତ୍‍ ସମସ୍ୟା ନେଇ ଅଭିଯୋଗ କଲେ ଗ୍ରାହକଙ୍କ ମୋବାଇଲକୁ ଆଉ ପୂର୍ବଭଳି ଏସ୍‍ଏମ୍‍ଏସ୍‍ ଜରିଆରେ ଅଭିଯୋଗର ବିବରଣୀ ଆସୁନାହିଁ ।

କରୋନାର ଦ୍ୱିତୀୟ ଲହର ସମୟରେ ରାଜଧାନୀର କେତେକ ଅଞ୍ଚଳରେ ନିୟମିତ ମିଟର ରିଡିଂ ନିଆଗଲା ନାହିଁ । ପଚାରିବାରୁ ଉତ୍ତର ମିଳିଲା କରୋନା ପାଇଁ ଏଭଳି ହୋଇଛି । ଏହାପରେ ଦୁଇମାସର ଏକାଥରେ ମିଟରି ରିଡିଂ ନିଆଗଲେ ବି ଗ୍ରାହକଙ୍କ ପାଇଁ ଅର୍ଥ ପଇଠରେ କିଛି ରିଆତି ମିଳିଲା ନାହିଁ । ତିରୋଟ ସମୟରେ ସେମାନେ ଏକକାଳୀନ ଅର୍ଥ ଜମା କଲେ । ଖୋଦ ରାଜଧାନୀରେ ଯଦି ଟାଟା ପାୱାର କର୍ତ୍ତୃପକ୍ଷ କିଛି ଅଞ୍ଚଳରେ ମିଟର ରିଡିଂର ବିକଳ୍ପ ବ୍ୟବସ୍ଥା କରିପାରୁ ନାହାନ୍ତି ତେବେ ଗାଁ ଗହଳର ଅବସ୍ଥା କିଭଳି ଥିବ ତାହା ସହଜରେ ଅନୁମେୟ ।

ଅନୁରୂପ ଅବସ୍ଥା ଗ୍ରାହକସେବା କେନ୍ଦ୍ରର । ପୂର୍ବରୁ ସେସୁ ନିୟନ୍ତ୍ରଣରେ ଏହି କେନ୍ଦ୍ର ଥିବାବେଳେ ଅଭିଯୋଗ କରିବା ମାତ୍ରେ ଗ୍ରାହକ ଦେଇଥିବା ମୋବାଇଲ୍‍ ନମ୍ବରକୁ ଅଭିଯୋଗର ସବିଶେଷ ବିବରଣୀ ଆସୁଥିଲା । ହେଲେ ଏବେ ଆଉ ତାହା ନାହିଁ । ଅଭିଯୋଗ କେନ୍ଦ୍ରର କର୍ମଚାରୀମାନେ ଅଭିଯୋଗ ନମ୍ବର ଟିପି ରଖିବାକୁ ଗ୍ରାହକଙ୍କୁ ପରାମର୍ଶ ଦେଉଛନ୍ତି । ଏ ବାବଦରେ ବି ଗ୍ରାହକଟି ଖର୍ଚ୍ଚାନ୍ତ ହେଉଛି । ସେହିଭଳି ପୂର୍ବରୁ ଥରେ ଅଭିଯୋଗ କଲାପରେ ଅଭିଯୋଗ କେନ୍ଦ୍ରର କର୍ମଚାରୀ ସମସ୍ୟା ଉପୁଜିଥିବା ଅଞ୍ଚଳର ବିଦ୍ୟୁତ୍‍ କର୍ତ୍ତୃପକ୍ଷଙ୍କ ସହିତ କଥାହୋଇ ଅଭିଯୋଗକାରୀଙ୍କୁ ଜଣାଉଥିଲେ । ଏପରିକି ଅଭିଯୋଗ ସମାଧାନ ନହେବା ପର୍ଯ୍ୟନ୍ତ ବାରମ୍ବାର ଫୋନ୍‍ କରି ବୁଝୁଥିଲେ । ହେଲେ ଏବେ ଆଉ ତାହା ହେଉନାହିଁ ।

ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ ଅଭିଯୋଗ ସମାଧାନ ପାଇଁ ଗ୍ରାହକମାନେ ନିଜ ଅଞ୍ଚଳର କୌଣସି ବିଦ୍ୟୁତ୍‍ ଅଧିକାରୀଙ୍କ ନମ୍ବର ମାଗିଲେ କିମ୍ବା ଟାଟା କର୍ତ୍ତୃପକ୍ଷଙ୍କର କୌଣସି ଅଧିକାରୀଙ୍କ ଫୋନ୍‍ ନମ୍ବର ମାଗିଲେ ତାହା ଦେବାକୁ ଉପରୁ ନିର୍ଦ୍ଦେଶ ନଥିବା ଗ୍ରାହକସେବା କେନ୍ଦ୍ରର କର୍ମଚାରୀମାନେ ରୋକଠୋକ୍‍ ଜଣାଇ ଦେଉଛନ୍ତି । ଅଭିଯୋଗ ସଂକ୍ରାନ୍ତରେ ଫୋନ୍‍ କଲେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ ନହେଲେ ଅଧିକାରୀ ଫୋନ୍‍ ଧରୁନାହାନ୍ତି ବୋଲି କହି ଗ୍ରାହକସେବା କର୍ମଚାରୀ ନିଜ ଦାୟିତ୍ୱ ସାରିଦେଉଛନ୍ତି ।

ଟାଟା ପାୱାର ହାତକୁ ବିଦ୍ୟୁତ ବିତରଣ ବ୍ୟବସ୍ଥା ଯିବାପରେ ଦୁଇ ଦୁଇଥର ଦରବୃଦ୍ଧି ଘଟିଲାଣି । ଅନେକ ଗ୍ରାହକ ଉନ୍ନତ ସେବା ପାଇବା ଆଶାରେ ନିରବ ଅଛନ୍ତି । ହେଲେ ଟାଟା ପାୱାରର ସେବା ସେସୁ ତୁଳନାରେ ଖରାପ ହେବାରେ ଲାଗିଛି । ତେଣୁ ପୂର୍ବରୁ କର୍ମଚାରୀ ଛଟେଇକୁ ନେଇ ସାଧାରଣରେ ଅସନ୍ତୋଷ ଥିବାବେଳେ ଏବେ ଏଭଳି ଗ୍ରାହକ ସେବା ଦେଖି ସେମାନେ ମହରଗରୁ ଯାଇ କାନ୍ତାରରେ ପଡିଥିବା କହୁଛନ୍ତି । ଗୋଟିଏ ପଟେ ଦରବୃଦ୍ଧି ଓ ଅନ୍ୟପଟେ ପୂର୍ବାପେକ୍ଷା ନିମ୍ନମାନର ସେବା ଏବେ ବିଦ୍ୟୁତ୍‍ ଗ୍ରାହକଙ୍କ ରକ୍ତଚାପ ବଢାଇବାରେ ଲାଗିଛି । (ତଥ୍ୟ)