Home Agriculture କାଳିଆ ଯୋଜନା ମୋର ସବୁଠାରୁ ପ୍ରିୟ

କାଳିଆ ଯୋଜନା ମୋର ସବୁଠାରୁ ପ୍ରିୟ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଆଜି କାଳିଆ ଯୋଜନା ଅନ୍ତର୍ଗତ ଭୂମିହୀନ କୃଷକ ପରିବାର ମାନଙ୍କୁ ୩୮୬ କୋଟି ଟଙ୍କାର ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରିଛନ୍ତି । ଏହାଦ୍ବାରା ୧୮ ଲକ୍ଷ ଭୂମିହୀନ କୃଷକ ପରିବାର ଉପକାର ପାଇବେ। ଏଥିରେ ପ୍ରତ୍ଯେକ ଭୂମିହୀନ ଚାଷୀ କାଳିଆ ଯୋଜନାର କିସ୍ତି ସହିତ ଅତିରିକ୍ତ ଭାବେ  ୧୦୦୦ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ଅନ୍ତର୍ଭୁକ୍ତ । 

ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଉଦବୋଧନ ଦେଇ କହିଛନ୍ତି ଯେ ରାଜ୍ୟର ୧୮ ଲକ୍ଷ ଭୂମିହୀନ ଚାଷୀ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରି ସେ ବହୁତ  ଖୁସି।  ଚାଷୀ, ଶ୍ରମିକ ଓ ମଜଦୁର ମାନଙ୍କ ପରି ଖଟିଖିଆ ବର୍ଗ ହେଉଛନ୍ତି ଆମ ଅର୍ଥନୀତି ନାଭିକେନ୍ଦ୍ର ।

ଏ ସମସ୍ତଙ୍କ ତ୍ୟାଗ  ହିଁ ଆମ ଅର୍ଥନୀତି କୁ ସମୃଦ୍ଧ କରିଥାଏ । କୃଷି କ୍ଷେତ୍ରର ସବୁ ସଫଳତା ପଛରେ ଭୂମିହୀନ ଚାଷୀ ର ତ୍ୟାଗ ଓ ପରିଶ୍ରମ ରହିଛି ବୋଲି ମତ ବ୍ୟକ୍ତ  କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆମେ ତା’ର ତ୍ୟାଗକୁ ସମ୍ମାନ କରୁ ।  ତା’ର ସ୍ଵାର୍ଥର ସୁରକ୍ଷା ପାଇଁ ଆମର ଲଢେଇ ଜାରି ରହିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ M S Swaminathan Committee ର ସୁପାରିସ କୁ କାର୍ଯ୍ୟକାରୀ କରିବା ପାଇଁ ମୁଁ ସବୁବେଳେ ଦାବି କରି ଆସିଛି ଏବଂ ଏହା ପୂରଣ ହେଲା ପର୍ଯ୍ୟନ୍ତ ଆମର ଲଢେଇ ଜାରି ରହିବ ବୋଲି ସେ ଦୃଢୋକ୍ତି ପ୍ରକାଶ କରିଥିଲେ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଚାଷୀ ହେଉଛନ୍ତି ଆମର ଗର୍ବ ଓ ଗୌରବ । ତେଣୁ ଚାଷୀର ସ୍ଵାର୍ଥର ସୁରକ୍ଷା ସବୁବେଳେ ତାଙ୍କର ପ୍ରାଥମିକତା ହୋଇ ରହି ଆସିଛି ବୋଲି ସେ ପ୍ରକାଶ କରିଥିଲେ । କାଳିଆ ଯୋଜନା ଯୋଗୁଁ ରାଜ୍ୟର ଲକ୍ଷ ଲକ୍ଷ ଚାଷୀ ପରିବାର ମୁହଁରେ ହସ ଆଣିଛି  ଓ ମନରେ ଭରସା ଦେଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଏଥିପାଇଁ ,” କାଳିଆ ଯୋଜନା ମୋର ସବୁଠାରୁ ପ୍ରିୟ ଯୋଜନା । “

ମୁଖ୍ୟମନ୍ତ୍ରୀ କହିଥିଲେ ଯେ  ବର୍ତ୍ତମାନ କୋଭିଡ ଯୋଗୁଁ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପଢିଛି । ପ୍ରଥମ ଲହରରେ କୃଷି ହିଁ ଆମ ଅର୍ଥନୀତି କୁ ବଞ୍ଚାଇ ଥିଲା । ଦ୍ଵିତୀୟ ଲହରରେ ଲକଡାଉନ ସଟଡାଉନ ଯୋଗୁଁ ଲୋକଙ୍କ ଜୀବିକା ଉପରେ ଗଭୀର ପ୍ରଭାବ ପଡିଛି । ସେଥିପାଇଁ ରାଜ୍ୟ ସରକାର ଚାଷୀ,ଶ୍ରମିକ, ଉଠା ଦୋକାନୀ , ଦୁଗ୍ଧ ଚାଷୀ ଆଦି ବିଭିନ୍ନ ବର୍ଗର ଲୋକ ମାନଙ୍କ ପାଇଁ କୋଭିଡ ପ୍ଯାକେଜ ଘୋଷଣା କରିଛନ୍ତି ବୋଲି ସେ କହିଥିଲେ ।

ପରିଶେଷରେ  ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ବିରୋଧରେ ଲଢେଇ କେବଳ ସରକାର ବା ଡାକ୍ତର ବା ସ୍ୱାସ୍ଥ୍ୟକର୍ମୀ ମାନଙ୍କର ନୁହେଁ । ଏହା ଆମ ସମସ୍ତଙ୍କର ଲଢେଇ । ତେଣୁ ଏହି ଲଢେଇରେ ବିଜୟ ପାଇଁ ଚାଷୀ ଭାଇ ମାନେ ସମସ୍ତେ ଟୀକା ନେବା ସହିତ କୋଭିଡର ନିୟମ ପାଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିବେଦନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ କୃଷି ଓ  କୃଷକ ମାନଙ୍କ ଉନ୍ନତି  ପାଇଁ ରାଜ୍ୟ ସରକାର ନେଇଥିବା ବିଭିନ୍ନ ପଦକ୍ଷେପ ଉପରେ ଆଲୋକପାତ କରିଥିଲେ । କୃଷକ ମାନଙ୍କ ସ୍ଵାର୍ଥର ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦୂର ଦୃଷ୍ଟି ଓ ଦୃଢ ନେତୃତ୍ଵର ସେ ଉଚ୍ଚ ପ୍ରଶଂସା କରିଥିଲେ ।

ଏହି ସହାୟତା ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ ରେ ସିଧାସଳଖ ଜମା କରାଯାଇଛି ।କାଳିଆ ଯୋଜନାରେ ଚାଷୀମାନେ ୩ ଟି କିସ୍ତି ରେ ୧୨,୫୦୦  ଟଙ୍କା ପାଇଥାନ୍ତି । ସୂଚନାଯୋଗ୍ୟ ଯେ ବଳରାମ ଯୋଜନାରେ ମଧ୍ୟ ଭୂମିହୀନ ଚାଷୀ ମାନଙ୍କୁ ବିଭିନ୍ନ ପ୍ରକାର ଆନୁଷଙ୍ଗିକ କାର୍ଯ୍ୟ ପାଇଁ କୃଷିଋଣ ସହାୟତା ଯୋଗାଇ ଦିଆଯାଉଛି ।

ମୁଖ୍ୟମନ୍ତ୍ରୀଙ୍କ ସଚିବ(5T) ଶ୍ରୀ ଭି . କେ. ପାଣ୍ଡିଆନ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ । କୃଷି ବିଭାଗ କମିଶନର ତଥା ସଚିବ ଏସ . କେ . ବଶିଷ୍ଠ   ସ୍ଵାଗତ ଭାଷଣ ଦେଇଥିଲେ ଏବଂ କୃଷି ନିର୍ଦ୍ଦେଶକ ଧନ୍ୟବାଦ ଅର୍ପଣ କରିଥିଲେ ।

ଏହି  କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର , କୃଷି ଉତ୍ପାଦନ କମିଶନର ଏବଂ ୩୦ ଟି ଜିଲ୍ଲା ର ଭୂମିହୀନ ଚାଷୀ ମାନେ ଭିଡିଓ କାନଫରେନସିଂ ଜରିଆରେ ଯୋଗ ଦେଇଥିଲେ ।