Home General ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର : ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ବୁଧବାର ଘନୀଭୂତ ହେବା ସହ ଏକ ଘୁର୍ଣ୍ଣିଝଡ଼ ରେ ପରିଣତ ହେବାର ସମ୍ଭାବନା ଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆ ଯାଇଛି |

ଡିସେମ୍ବର ୩ ତାରିଖ ଅପରାହ୍ନ ସୁଦ୍ଧା ଏହା ଅବପାତର ରୂପ ନେବାର ସମ୍ଭାବନା ଥିବା ବେଳେ ପାଣିପାଗ ଅନୁକୂଳ ରହିଲେ ଡିସେମ୍ବର ୪ ତାରିଖ ସକାଳ ସୁଦ୍ଧା ଉତ୍ତର ଆନ୍ଧ୍ର ପ୍ରଦେଶ ଉପକୂଳରେ ଘୁର୍ଣ୍ଣିଝଡ଼ ର ରୂପ ନେଇପାରେ ବୋଲି ସିଇସି ପକ୍ଷରୁ କୁହାଯାଇଛି |

ଉଭୟ ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡିଶା ମୁହାଁ ହୋଇଥିବା ଏହି ଲଘୁଚାପ ଡିସେମ୍ବର ୪ ତାରିଖରେ ଗଞ୍ଜାମ ଉପକୂଳ ଅତିକ୍ରମ କରିବା ପରେ ଏହାର ପ୍ରଭାବ କମିବ ଓ ସମାନ୍ତରାଳ ଭାବେ ଏହା ଓଡିଶା ଉପକୂଳ ଦେଇ ବାଲେଶ୍ୱର ଜିଲ୍ଲା ପର୍ଯ୍ୟନ୍ତ ଆସି ପଶ୍ଚିମବଙ୍ଗ ରେ ପ୍ରବେଶ କରିବ ବୋଲି ସୂଚନା ମିଳିଛି |

ଏହାର ପ୍ରଭାବରେ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ପବନର ବେଗ ଘଣ୍ଟା ପ୍ରତି ୭୫ ରୁ ୮୫ କିଲୋମିଟର ରହିବ ଏବଂ ଧୀରେ ଧୀରେ ବେଗ କମିଯାଇ ବାଲେଶ୍ୱର ଉପକୂଳ ରେ ପହଂଚିବା ବେଳକୁ ଘଣ୍ଟା ପ୍ରତି ୪୫ ରୁ ୫୫ ହେବ | ଏହାର ପ୍ରଭାବ ରେ ଡିସେମ୍ବର ୩ ତାରିଖ ପୂର୍ବାହ୍ନ ରୁ ଓଡିଶା ଉପକୂଳରେ ବର୍ଷା ହେବାର ସମ୍ଭାବନା ରହିଛି | ତେବେ ଅନେକ ଉପକୂଳ ଓ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ ଡିସେମ୍ବର ତିନି ରୁ ପାଞ୍ଚ ତାରିଖ ମଧ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି |

ପୁରୀ, ଜଗତସିଂହପୁର, ନୟାଗଡ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଯାଜପୁର, ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଅନୁଗୋଳ ଓ ଢ଼େଙ୍କାନାଳ ଜିଲ୍ଲାର ଅନେକ ସ୍ଥାନରେ ବର୍ଷlର ପରିମାଣ ୨୫୦ ମିଲିମିଟର ବା ଅଧିକ ହେବାର ସମ୍ଭାବନା ଅଛି ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।