Home Covid ଓଡିଶାରେ ଓମିକ୍ରନ

ଓଡିଶାରେ ଓମିକ୍ରନ

ଭୁବନେଶ୍ୱର : ଦ୍ରୁତ ବେଗରେ ସଂକ୍ରମିତ କରୁଥିବା ଓମିକ୍ରନ ଶେଷରେ ଓଡ଼ିଶାରେ ପ୍ରବେଶ କରିଛି । ରାଜ୍ୟରେ ୨ଜଣଙ୍କଠାରେ ଏହି ଭୂତାଣୁ ଚିହ୍ନଟ ହୋଇଥିବା ନେଇ ଇନଷ୍ଟିଚ୍ୟୁଟ୍‍ ଅଫ୍‍ ଲାଇଫ୍‍ ସାଇନ୍ସ (ଆଇଏଲଏସ୍‍)ର ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । ଓଡ଼ିଶାରେ ଓମିକ୍ରନ ପହଞ୍ôଚବା ପରେ ଏହାର ମୁକାବିଲା ନେଇ ସ୍ୱାସ୍ଥ୍ୟ ବିଭାଗ ତତ୍ପର ହୋଇଉଠିଛି ।

ଆଇଏଲଏସ୍‍ର ସୂଚନା ଅନୁଯାୟୀ ବିଦେଶ ଫେରନ୍ତା ୧୨ଜଣ କୋଭିଡ ସଂକ୍ରମିତଙ୍କ ଜିନମ ସିକ୍ୱେନ୍ସିଂ ପରୀକ୍ଷା କରାଯାଇଥିଲା । ଏଥିରୁ ୨ଜଣଙ୍କଠାରେ ଓମିକ୍ରନ ଥିବା ଜଣାପଡିଛି । ଏହି ଦୁଇଜଣଙ୍କ ମଧ୍ୟରୁ ଜଣେ ନାଇଜେରିଆ ଫେରନ୍ତା ହୋଇଥିବା ବେଳେ ଆଉଜଣେ କାତାରରୁ ଆସିଛନ୍ତି ।

ସୂଚନା ଅନୁଯାୟୀ ନାଇଜେରିଆ ଫେରନ୍ତା ଜଣକ ଜଗତସିଂହପୁର ଜିଲ୍ଲାର ହୋଇଥିବା ବେଳେ କାତାରରୁ ଆସିଥିବା ବ୍ୟକ୍ତି ଖୋର୍ଦ୍ଧା ଜିଲ୍ଲାର । ଉଭୟ ଚିକିତ୍ସାଧୀନ ଥିବାବେଳେ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‍ ରହିଛି ବୋଲି ଆଇଏଲଏସ ଦର୍ଶାଇଛି । ଉଭୟ ଓମିକ୍ରନ ସଂକ୍ରମିତ ସଙ୍ଗରୋଧରେ ଥିବାବେଳେ ସେମାନଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ ପାଇଁ ପ୍ରକ୍ରିୟା ଜାରି ରହିଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ଓମିକ୍ରନ ଏବେ ଦେଶର ୧୨ଟି ରାଜ୍ୟକୁ ବ୍ୟାପିଥିବା ବେଳେ ପଡୋଶୀ ଆନ୍ଧ୍ର ଓ ପଶ୍ଚିମବଙ୍ଗରେ ଓମିକ୍ରନ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସରକାର ଉଭୟ ରାଜ୍ୟର ସୀମାରେ ଜଗିଥିବା ବେଳେ ଏବେ ସିଧାସଳଖ ବିଦେଶରୁ ଆସି ରାଜ୍ୟରେ ପହଞ୍ôଚଥିବା ଦୁଇଜଣଙ୍କଠାରେ ଓମିକ୍ରନ ଚିହ୍ନଟ ହେବା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି ।