Home Health ଏମ୍‍ସରୁ ଯୋଗଦେଲେ ବିରୋଧିଦଳ ନେତା

ଏମ୍‍ସରୁ ଯୋଗଦେଲେ ବିରୋଧିଦଳ ନେତା

ଭୁବନେଶ୍ୱର : କୋଭିଡ ମୁକ୍ତ ହୋଇ ପରବର୍ତ୍ତୀ ଚିକିତ୍ସା ଗ୍ରହଣ କରୁଥିବା ବିରୋଧିଦଳ ନେତା ପ୍ରଦୀପ୍ତ ନାୟକ ଆଜି ଭୁବନେଶ୍ୱର ଏମ୍‍ସରୁ ଭିଡିଓ କନଫରେନ୍ସିଂ ଯୋଗେ ବିଧାନସଭା କାର୍ଯ୍ୟରେ ଯୋଗ ଦେଇଛନ୍ତି । ହାତ ଓ ଶରୀରରେ ଚିକିତ୍ସା ଯନ୍ତ୍ରପାତି ଲାଗିଥିଲେ ମଧ୍ୟ ଶ୍ରୀ ନାୟକ ଗୃହ କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ ।

ଆଜି ବିଧାନସଭାର ପ୍ରଥମ ଦିବସରେ ସ୍ୱର୍ଗତ ପୂର୍ବତନ୍ତ୍ର ସଦସ୍ୟ, ସୁରକ୍ଷାକର୍ମୀ ଓ କୋଭିଡ ଯୋଦ୍ଧାଙ୍କ ପାଇଁ ଗୃହରେ ଶୋକ ପ୍ରସ୍ତାବ ଆଗତ ହୋଇଥିଲା । ମୁଖ୍ୟମନ୍ତ୍ରୀ ଆଗତ କରିଥିବା ଶୋକ ପ୍ରସ୍ତାବ ଉପରେ ପରମ୍ପରା ଅନୁଯାୟୀ ବିରୋଧିଦଳ ନେତା ଶ୍ରୀ ନାୟକ ନିଜର ବକ୍ତବ୍ୟ ରଖିବା ସହିତ ସ୍ୱର୍ଗତ ସଦସ୍ୟମାନଙ୍କ ସ୍ମୃତିଚାରଣ କରିଥିଲେ ।

ଏମ୍‍ସରୁ ଭିଡିଓ କନଫରେନ୍ସି ମାଧ୍ୟମରେ ଶ୍ରୀ ନାୟକ ଯୋଗଦେଇଥିବାବେଳେ ଅତ୍ୟନ୍ତ ଦୁର୍ବଳ ଦିଶୁଥିଲେ । କୋଭିଡ ପରବର୍ତ୍ତୀ ଚିକିତ୍ସାରେ ଥିବା ଶ୍ରୀ ନାୟକଙ୍କ ଶରୀର ପତଳା ହୋଇଥିବାବେଳେ କଣ୍ଠ ସ୍ୱର ମଧ୍ୟ କ୍ଷୀଣ ଥିଲା । ପଦେ ଦୁଇପଦ କଥା କହିବାପରେ ସେ ଧଇଁ ସଇଁ ହୋଇ ପଡୁଥିଲେ । ଶୋକ ପ୍ରସ୍ତାବ ଉପରେ ନିଜର ବକ୍ତବ୍ୟ ରଖିବାପାଇଁ ତାଙ୍କୁ ଢେର ଅଧିକ ସମୟ ନେବାକୁ ପଡିଥିଲା ।

ଶ୍ରୀ ନାୟକ ବକ୍ତବ୍ୟ ଦେବା ସମୟରେ ତାଙ୍କ ଡାହାଣ ହାତ ଆଙ୍ଗୁଠିରେ କିଛି ଚିକିତ୍ସା ଯନ୍ତ୍ରପାତି ଖଞ୍ଜା ଯାଇଥିବାବେଳେ ସେ ମୁଣ୍ଡରେ ଟୋପି ପିନ୍ଧିଥିବା ଲକ୍ଷ୍ୟ କରାଯାଇଥିଲା । ଡାକ୍ତରଖାନା ଶଯ୍ୟା ନିକଟରେ ପଡିଥିବା ଚେୟାରରେ ବସି ବିଧାନସଭା କାର୍ଯ୍ୟରେ ଅଂଶଗ୍ରହଣ କରିବା ଜଣେ ଚିକିତ୍ସାଧିନ ସଦସ୍ୟଙ୍କ କ୍ଷେତ୍ରରେ ଅତ୍ୟନ୍ତ ବିରଳ ଥିଲା ।

ଶ୍ରୀ ନାୟକ ଏମ୍‍ସରୁ ଭିଡିଓ କନଫରେନ୍ସି ଯୋଗେ ବିଧାନସଭା କାର୍ଯ୍ୟରେ ଯୋଗ ଦେଇଥିବାବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବୀନ ନିବାସରୁ, ବିଧାୟକ ପ୍ରଫୁଲ ସାମଲ, ମନ୍ତ୍ରୀ ପ୍ରଫୁଲ ମଲ୍ଲିକ ଲୋକସେବା ଭବନରୁ ଯୋଗ ଦେଇଥିବାବେଳେ ରାଜସ୍ୱ ମନ୍ତ୍ରୀ ସୁଦାମ ମାରାଣ୍ଡି ମଧ୍ୟ ଭୁବନେଶ୍ୱର ବାହାରୁ ଭିଡିଓ କନଫରେନ୍ସି ଯୋଗେ ବିଧାନସଭା କାର୍ଯ୍ୟରେ ଅଂଶଗ୍ରହଣ କରିଥିଲେ ।