Home General ଏଣିକି ଅନଲାଇନରେ ବିଏମ୍‌ସି କଲ୍ୟାଣମଣ୍ଡପ ବୁକିଂ

ଏଣିକି ଅନଲାଇନରେ ବିଏମ୍‌ସି କଲ୍ୟାଣମଣ୍ଡପ ବୁକିଂ

ଭୁବନେଶ୍ୱର : ପାରିବାରିକ ବା ସାମାଜିକ ଉତ୍ସବ ଇତ୍ୟାଦି ନିମନ୍ତେ ଯଦି କେହି ଭୁବନେଶ୍ୱର ମହାନଗର ନିଗମ (ବି ଏମ୍ ସି) ମାଲିକାନାରେ ଥିବା କଲ୍ୟାଣମଣ୍ଡପ ମାନଙ୍କରେ କରିବାକୁ ଚାହୁଁଛନ୍ତି ତେବେ କେବଳ ଗୋଟିଏ ମାତ୍ର କ୍ଲିକ୍‌ରେ ଏହି ବୁକିଂ କରିହେବ । ଆଜିଠାରୁ ବି ଏମ୍ ସି କର୍ତୃପକ୍ଷ ନିଜ ଅଧିନସ୍ଥ କଲ୍ୟାଣମଣ୍ଡପ ଗୁଡ଼ିକର ଅନ୍‌ଲାଇନ୍ ବୁକିଂ ଆରମ୍ଭ କରିଛନ୍ତି ।

କୌଣସି ଉତ୍ସବ ଇତ୍ୟାଦି କରିବାକୁ ଗଲେ ଭୁବନେଶ୍ୱରରେ ଥିବା ବି ଏମ୍ ସି କଲ୍ୟାଣମଣ୍ଡପ ଗୁଡ଼ିକୁ ବୁକିଂ କରିବା ପାଇଁ ଏହାର ସ୍ୱୟଂଚାଳିତ ଅନ୍‌ଲାଇନ୍ ବ୍ୟବସ୍ଥା କରିଛନ୍ତି ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ଼୍‌(ବି ଏସ୍ ସି ଏଲ୍‌) । ଏହା ଦ୍ୱାରା ନାଗରିକମାନ ସୁରୁଖୁରୁରେ ନିଜ ଘରୁ ଏହାର ବୁକିଂ ଭୁବନେଶ୍ୱର ଡ଼ଟ୍ ମି ପୋର୍ଟାଲ୍ (ଭଷଙ୍କଭବଦ୍ଭରଗ୍ଦଙ୍ଗବକ୍ସ.ଜ୍ଞର) ର ସିଟିଜେନ୍ ସର୍ଭିସ୍‌ରେ ଥିବା ପସନ୍ଦର ଚୟନ କରି ବୁକିଂ କରିପାରିବେ ।

ବର୍ତମାନ ବି ଏମ୍ ସି ଅଧିନରେ ଯେଉଁସବୁ କଲ୍ୟାଣମଣ୍ଡପ ଗୁଡ଼ିକ ରହିଛି ସେଗୁଡ଼ିକ ହେଲା- ସହିଦନଗର (ଉପର ଏବଂ ତଳ ମହଲା), ଭି ଏସ୍ ଏସ୍ ନଗର, ଚନ୍ଦ୍ରଶେଖରପୁର, ବଡ଼ଗଡ଼, ୟୁନିଟ୍‌-୮(କମ୍ୟୁନିଟି ସେଂଟର), ଶାସ୍ତ୍ରୀନଗର, ବୁଦ୍ଧେଶ୍ୱରୀ କଲୋନୀ ଏବଂ ୟୁନିଟ୍‌-୬ ।

ଜଣେ ବ୍ୟକ୍ତି ଅନ୍‌ଲାଇନ୍‌ରେ ବି ଏମ୍ ସି କଲ୍ୟାଣମଣ୍ଡପ ବୁକିଂ କରିବାକୁ ଚାହୁଁଥିଲେ ସେହି ସମୟରେ ମଣ୍ଡପ ଗୁଡ଼ିକର ବୁକିଂ ସି୍ଥତି କିପରି ଅଛି ତାହା ଜାଣିବା ପାଇଁ ଭୁବନେଶ୍ୱର ଡ଼ଟ୍ ମି ପୋର୍ଟାଲ କୁ ଯାଇ ଉପଲବ୍ଧ ତାରିଖ ଗୁଡ଼ିକୁ ଚୟନ କରି ସ୍ୱତନ୍ତ୍ର ମଣ୍ଡପର ବୁକିଂ ପାଇଁ ବିଭିନ୍ନ ଅନ୍‌ଲାଇନ୍ ଦେୟ ପ୍ରକ୍ରିୟା ଯାହାକି ୟୁପିଆଇ, କ୍ରେଡ଼ିଟ୍ କାର୍ଡ଼ ଏବଂ ଡ଼େବିଟ୍ କାର୍ଡ଼ ଇତ୍ୟାଦି ମାଧ୍ୟମରେ କରିପାରିବେ । ଏହି ସ୍ୱୟଂଚାଳିତ ପ୍ରକ୍ରିୟା ମାଧ୍ୟମରେ ବୁକିଂ କୁ ନିଶ୍ଚିତ କରାଯାଇ ପଞ୍ଜୀକୃତ ଇ-ମେଲ୍ ଏବଂ ମୋବାଇଲ୍ ନମ୍ବରରେ ବୁକିଂ ସାର୍ଟିଫିକେଟ୍ ଦିଆଯାଇଥାଏ ।

ବି ଏମ୍ ସି ର କମିଶନର ତଥା ମୁଖ୍ୟ ପରିଚାଳନା ନିର୍ଦ୍ଦେଶକ ବି ଏସ୍ ସି ଏଲ୍ ଶ୍ରୀ ସଂଜୟ କୁମାର ସିଂହ କହିଲେ ଯେ, “ଏହି ନୂଆ ପଦକ୍ଷେପ ଦ୍ୱାରା ନାଗରିକମାନେ ବିଶେଷ କରି ବରିଷ୍ଠ ନାଗରିକ ନିଜ ସନ୍ତାନ ସନ୍ତତିଙ୍କ ବିବାହ ଇତ୍ୟାଦି କରାଇବାର ସ୍ଥାନକୁ ଘରେ ରହି ଯୋଗାଡ଼ କରିପାରିବେ ଏବଂ ଅନ୍ୟାନ୍ୟ ସାମାଜିକ ଉତ୍ସବର ଆୟୋଜନ ସୁଲଭ ମୂଲ୍ୟରେ ପାଇପାରିବେ । ଏହି ଅନ୍‌ଲାଇନ୍ ବୁକିଂ ଦ୍ୱାରା କାରବାରରେ ସ୍ୱଚ୍ଛତା ରକ୍ଷା ହୋଇପାରିବ ଏବଂ ସେବା ପ୍ରଦାନ ସୁଗମ ହେବ” ।

ସୂଚନାଯୋଗ୍ୟ କି, ଭୁବନେଶ୍ୱର ସ୍ମାର୍ଟସିଟି ଅଧିନରେ ଭୁବନେଶ୍ୱର ଡ଼ଟ୍ ମି ପୋର୍ଟାଲର ପରିଚାଳନା କରାଯାଇ ନଗର ପ୍ରଶାସନର ବିଭିନ୍ନ ପଦକ୍ଷେପକୁ ସ୍ୱଚ୍ଛ ଏବଂ ସରଳ କରାଯାଉଛି । ଏହି ପଦକ୍ଷେପ ଦ୍ୱାରା ନାଗରିକମାନେ ଭୁବନେଶ୍ୱର ଡ଼ଟ୍ ମି ପୋର୍ଟାଲର ଉପଯୋଗ କରି ବର୍ତମାନ ଏକ ଶହରୁ ଉର୍ଦ୍ଧ୍ୱ ପ୍ରକାରର ସେବା ୧୬ ଗୋଟି ସରକାରୀ ସଂସ୍ଥାରୁ ପାଇପାରୁଛନ୍ତି । ଏଗୁଡ଼ିକ ମଧ୍ୟରେ ସର୍ବସାଧାରଣ ପରିବହନ ବ୍ୟବସ୍ଥା, ଅଧିକ ଶକ୍ତିସମ୍ପନ୍ନ ୱାଇଫାଇ ବ୍ୟବସ୍ଥା, ନାଗରିକ ସେବା, ସହରୀ ଉତ୍ସବ, ସହରାଂଚଳ ମାନଚିତ୍ର ଇତ୍ୟାଦିର ସୁଯୋଗ ନେଇପାରୁଛନ୍ତି ।

ବର୍ତମାନ ସୁଧା ୪ ଲକ୍ଷରୁ ଉର୍ଦ୍ଧ୍ୱ ନାଗରିକ ଭୁବନେଶ୍ୱର ଡ଼ଟ୍ ମି ପୋର୍ଟାଲ ର ଉପଯୋଗ କରିସାରିଥିବା ବେଳେ ୨ ଲକ୍ଷରୁ ଉର୍ଦ୍ଧ୍ୱ ଅଭିଯୋଗର ସମାଧାନ ଏହି ପୋର୍ଟାଲ ମାଧ୍ୟମରେ ହୋଇପାରିଛି । ପୋର୍ଟାଲରେ ଥିବା ଡ଼୍ୟାସ୍‌ବୋର୍ଡ଼ ମାଧ୍ୟମରେ ନାଗରିକ ମାନଙ୍କ ଆବଶ୍ୟକୀୟ ସେବା ସମ୍ପୃକ୍ତ ଅଫିସର ମାନଙ୍କ ସ୍ତରରେ କେତେକାଂଶରେ ପହଂଚିଛି ତାହା ଚିହ୍ନିତ ହୋଇପାରୁଛି । ଚଳିତ ବର୍ଷ ବି ଏସ୍ ସି ଏଲ୍ କୁ ଗୃହ ଏବଂ ନଗର ଉନ୍ନୟନ ମନ୍ତ୍ରାଳୟ ଦ୍ୱାରା ଆୟୋଜିତ ଇଣ୍ଡିଆ ସ୍ମାର୍ଟସିଟି ଆୱାର୍ଡ଼ ପ୍ରତିଯୋଗୀତା ୨୦୨୦ ରେ ଭୁବନେଶ୍ୱର ଡ଼ଟ୍ ମି ପାଇଁ ସମ୍ମାନଜନକ ପୁରସ୍କାର ମିଳିଛି ।