Home Administration ଇତିହାସ ପାଲିଟିବ ଧାଡିରେ ଛିଡାହେବା

ଇତିହାସ ପାଲିଟିବ ଧାଡିରେ ଛିଡାହେବା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡ଼ିଓ କନ୍‌ଫରେନ୍ସ ମାଧ୍ୟମରେ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ଦ୍ୱାରା ୫-‘ଟି’ କାର୍ଯ୍ୟକ୍ରମ ଅନ୍ତର୍ଗତ ୯ଟି ନାଗରିକକୈନ୍ଦ୍ରିକ ସେବାକୁ ଲୋକାର୍ପିତ କରିଛନ୍ତି । ରାଜ୍ୟର ଯେ କୌଣସି ପରିବହନ କାର୍ଯ୍ୟାଳୟକୁ ଚୟନ କରିବାର ସ୍ୱାଧୀନତା ହଜାର ହଜାର ଲୋକଙ୍କୁ ସୁବିଧା ଦେବ ଏବଂ ପରିବହନ କାର୍ଯ୍ୟାଳୟରେ ଲମ୍ବା ଧାଡ଼ିରେ ଛିଡ଼ାହେବା ଏବେ ଇତିହାସ ପାଲଟିବ ବୋଲି ସେ କହିଛନ୍ତି । ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ରାଜ୍ୟ ସରକାର ସ୍ୱୟଂକ୍ରିୟ ପ୍ରଣାଳୀରେ ଏବଂ ଅନ୍‌ଲାଇନ୍‌ ମାଧ୍ୟମରେ ସୁବିଧାଜନକ ନାଗରିକ କୈନ୍ଦ୍ରିକ ସେବା ଯୋଗାଇଦେବା ପାଇଁ ପ୍ରତିବଦ୍ଧ । ଆମର ଦୈନନ୍ଦିନ ଜୀବନରେ ପରିବହନ କ୍ଷେତ୍ରକୁ ଗୁରୁତ୍ୱ ଦେଇ ଯାନବାହନ ପଂଜୀକରଣ ବ୍ୟବସ୍ଥାକୁ କାଗଜଶୂନ୍ୟ ଏବଂ ଯୋଗାଯୋଗରହିତ କରାଯାଇଛି ।

ଏନ୍‌ଆଇସି ସହିତ ଯୋଗାଯୋଗ ରକ୍ଷା କରି ଡିଜିଟାଲ୍‌ ସିଗ୍‌ନେଚର ସମେତ କାଗଜାତ୍‌ ଦାଖଲ ସାଙ୍ଗକୁ ନମ୍ବର ଜେନେରେଟ୍‌ କରିବା, ସ୍ଥାନୀୟ ପରିବହନ କାର୍ଯ୍ୟାଳୟରେ କାଗଜାତ ଦାଖଲ କରିବା ଏବଂ ଗାଡ଼ି ମାଲିକମାନଙ୍କୁ ରାଜ୍ୟର ଯେ କୌଣସି ପରିବହନ କାର୍ଯ୍ୟାଳୟରେ ଯାନ ପଂଜୀକରଣ କରିବା ଆଦି ସୁବିଧା ଉପଲବ୍ଧ କରାଇବାରେ ଓଡ଼ିଶା ଦେଶରେ ଅଗ୍ରଣୀ ହୋଇପାରିଛି । ଜାତୀୟ ଇ-ଗଭର୍ଣ୍ଣାନ୍ସ ଡିଭିଜନ୍‌ର ମୋବାଇଲ ସେବା ଉମଙ୍ଗ ଆପ୍‌ ମାଧ୍ୟମରେ ଲର୍ଣ୍ଣର ଲାଇସେନ୍ସ ଦରଖାସ୍ତ ଲାଗୁ କରିବାରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି ।

ଡିଜିଟାଲ୍‌ ଜ୍ଞାନକୌଶଳର ପ୍ରୟୋଗରେ ସକି୍ରୟ ହେବା ନିମନ୍ତେ ଏପରି ଅଭିଯାନ ଆରମ୍ଭ କରିଥିବାରୁ ପରିବହନ କର୍ତ୍ତୃପକ୍ଷଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଉତ୍କୃଷ୍ଟ ସେବା ଯୋଗାଇଦେବା ନିମନ୍ତେ ପରିବହନ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେବା ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଏପରି ବ୍ୟାପକ ପରିବର୍ତ୍ତନ ଅଭିଯାନ ଜନସାଧାରଣଙ୍କ ମନରେ ବ୍ୟାପକ ଆଶାର ସଂଚାର କରିବ । ଜନସାଧାରଣଙ୍କୁ ପ୍ରତିଶ୍ରୁତ ସନ୍ତୁଷ୍ଟି ପ୍ରଦାନ ପାଇଁ ପରିବହନ କର୍ତ୍ତୃପକ୍ଷ କାର୍ଯ୍ୟ କରିବେ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ ଆଶା କରିଛନ୍ତି ।
ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା, ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, କୃଷି ଉତ୍ପାଦନ କମିଶନର ରାଜକୁମାର ଶର୍ମା, ପ୍ରମୁଖ ଶାସନ ସଚିବ, ବାଣିଜ୍ୟ ଓ ପରିବହନ ବିଭାଗ ମଧୁସୂଦନ ପାଢ଼ୀ, ପରିବହନ କମିଶନର ସଂଜୀବ ପଣ୍ଡା ଓ ଜାତୀୟ ସୂଚନା ପ୍ରଯୁକ୍ତି କେନ୍ଦ୍ରର ମହାନିର୍ଦ୍ଦେଶକ ଡ. ନୀତା ବର୍ମାଙ୍କ ସମେତ ଅନ୍ୟ ବରିଷ୍ଠ ପଦାଧିକାରୀମାନେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-‘ଟି’) ଶ୍ରୀ ଭି.କେ. ପାଣ୍ଡିଆନ୍‌ କାର୍ଯ୍ୟକ୍ରମ ସଂଚାଳନ କରିଥିଲେ ।