Home Economy ଆୟକର ଛାଡ ସୀମା ୭ ଲକ୍ଷ ଟଙ୍କାକୁ ବୃଦ୍ଧି

ଆୟକର ଛାଡ ସୀମା ୭ ଲକ୍ଷ ଟଙ୍କାକୁ ବୃଦ୍ଧି

ନୂଆଦିଲ୍ଲୀ : ଦେଶର ମଧ୍ୟବିତ୍ତ ଶ୍ରେଣୀର ଲୋକ ମାନଙ୍କୁ ଉପକୃତ କରିବାର ଉଦ୍ଦେଶ୍ୟ ନେଇ କେନ୍ଦ୍ର ଅର୍ଥ ଓ କର୍ପୋରେଟ୍ ବ୍ୟାପାର ମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି ସଂସଦରେ କେନ୍ଦ୍ର ବଜେଟ୍ ୨୦୨୩ -୨୪କୁ ଉପସ୍ଥାପନ କରିବା ବେଳେ ବ୍ୟକ୍ତିଗତ ଆୟକର ସମ୍ବନ୍ଧରେ ପାଞ୍ଚ ଗୋଟି ପ୍ରମୁଖ ଘୋଷଣା କରିଛନ୍ତି ।

ଏହି ଘୋଷଣା ରିହାତି, ଟିକସ ସ୍ଲାବରେ ପରିବର୍ତ୍ତନ, ନୂତନ ଟିକସ ବ୍ୟବସ୍ଥାରେ ମାନକ ରିହାତି ଲାଭରସଂପ୍ରସାରଣ, ସର୍ବୋଚ୍ଚ ସରଚାର୍ଜ ହାରରେ ହ୍ରାସ ଏବଂ ବେସରକାରୀ ବେତନ ପ୍ରାପ୍ତ କର୍ମଚାରୀ ମାନଙ୍କ ଅବସର ପରେ ଛୁଟି ଆବଣ୍ଟନ ଉପରେ ଟିକସ ଛାଡ ସୀମାର ବିସ୍ତାର ସହିତ ସମ୍ବନ୍ଧିତ ଅଟେ ଏବଂ ଏହା କର୍ମଜୀବୀ ମଧ୍ୟବିତ୍ତ ଶ୍ରେଣୀର ଲୋକ ମାନଙ୍କୁ ଅନେକ ଲାଭ ପ୍ରଦାନ କରିବ ।

ରିହାତି ସମ୍ପର୍କରେ ତାଙ୍କର ପ୍ରଥମ ଘୋଷଣାରେ, ସେ ନୂତନ ଟିକସ ବ୍ୟବସ୍ଥାରେ ଆୟକର ରିହାତି ସୀମାକୁ ୭ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଥିଲେ, ଯାହାର ଅର୍ଥ ହେଉଛି ନୂତନ ଟିକସ ବ୍ୟବସ୍ଥାରେ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ କୌଣସି ଟିକସ ଦେବାକୁ ପଡିବ ନାହିଁ । ସମ୍ପ୍ରତି ଯେଉଁ ମାନଙ୍କର ଆୟ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରହିଛି, ସେମାନେ ଉଭୟ ପୁରୁଣା ଏବଂ ନୂତନ ଟିକସ ବ୍ୟବସ୍ଥାରେ କୌଣସି ଆୟକର ଦେଉ ନାହାନ୍ତି ।

ମଧ୍ୟବିତ୍ତ ଶ୍ରେଣୀର ଲୋକ ମାନଙ୍କୁ ଆଶ୍ୱସ୍ତି ଦେବାକୁ ଯାଇ ସେ ସ୍ଲାବ ସଂଖ୍ୟାକୁ ପାଞ୍ଚକୁ ହ୍ରାସ କରି ଏବଂ ଟିକସ ଛାଡ ସୀମାକୁ ୩ ଲକ୍ଷ ଟଙ୍କା କରି ନୂତନ ବ୍ୟକ୍ତିଗତ ଆୟକର ବ୍ୟବସ୍ଥାରେ ଟିକସ ସଂରଚନାରେ ପରିବର୍ତ୍ତନ ଆଣିବାକୁ ପ୍ରସ୍ତାବ ଦେଇଥିଲେ ।

ଏହା ନୂତନ ଟିକସ ବ୍ୟବସ୍ଥା ସମସ୍ତ ଟିକସଦାତାଙ୍କୁ ବଡ଼ ଧରଣର ଆଶ୍ୱସ୍ତି ପ୍ରଦାନ କରିବ । ବାର୍ଷିକ ଆୟ ୯ ଲକ୍ଷ ଟଙ୍କା ଥିବା ବ୍ୟକ୍ତିଙ୍କୁ କେବଳ ୪୫,୦୦୦ ଟଙ୍କା ଆୟକର ଆକାରରେ ଦେବାକୁ ପଡିବ । ଏହା ତାଙ୍କ ଆୟର ମାତ୍ର ୫ ପ୍ରତିଶତ ଅଟେ । ପୂର୍ବରୁତାଙ୍କୁ ୬୦,୦୦୦ ଟଙ୍କା ଦେବାକୁ ପଡୁଥିଲା । ସେହିଭଳି ୧୫ ଲକ୍ଷ ଟଙ୍କା ଆୟ କରୁଥିବା ବ୍ୟକ୍ତିଙ୍କୁ କେବଳ ୧.୫ ଲକ୍ଷ ଟଙ୍କା କିମ୍ବା ତାଙ୍କ ଆୟର ୧୦ ପ୍ରତିଶତ ଦେବାକୁପଡିବ, ଯାହା ପୂର୍ବରୁ ୧,୮୭, ୫୦୦ଟଙ୍କା ହେଉଥିଲା ।

ବଜେଟର ତୃତୀୟ ପ୍ରସ୍ତାବରେ ବେତନ ପ୍ରାପ୍ତ ଶ୍ରେଣୀ ଏବଂ ପାରିବାରିକ ପେନ୍‌ସନ୍‌ଭୋଗୀ ମାନଙ୍କ ସମେତ ପେନ୍‌ସନ୍‌ଭୋଗୀ ମାନଙ୍କୁ ନୂତନ ଟିକସ ବ୍ୟବସ୍ଥାରେ ବହୁତ ସୁବିଧା ମିଳିବ, କାରଣ ଅର୍ଥମନ୍ତ୍ରୀ ମାନକ ରିହାତିର ଲାଭ ନୂତନ କର ବ୍ୟବସ୍ଥାକୁ ସମ୍ପ୍ରସାରିତ କରିବା ପାଇଁ ପ୍ରସ୍ତାବ ଦେଇଛନ୍ତି । ୧୫.୫ ଲକ୍ଷ ଟଙ୍କା କିମ୍ବା ଅଧିକ ଆୟ କରୁଥିବା ପ୍ରତ୍ୟେକ ବେତନ ପ୍ରାପ୍ତ ବ୍ୟକ୍ତିଙ୍କୁ ୫୨,୫୦୦ ଟଙ୍କାର ଲାଭ ମିଳିବ । ସମ୍ପ୍ରତି ବେତନଭୋଗୀ ବ୍ୟକ୍ତି ମାନଙ୍କୁ କେବଳ ୫୦,୦୦୦ ଟଙ୍କାର ମାନକ ରିହାତି ତଥା ପାରିବାରିକ ପେନ୍‌ସନରୁ ୧୫,୦୦୦ ଟଙ୍କା ପର୍ଯ୍ୟନ୍ତ ରିହାତି ପୁରୁଣା ବ୍ୟବସ୍ଥା ଅନୁସାରେ ମିଳୁଛି।

ବ୍ୟକ୍ତିଗତ ଆୟକର ସମ୍ବନ୍ଧରେ ତାଙ୍କର ଚତୁର୍ଥ ଘୋଷଣାର ଏକ ଅଂଶ ଭାବରେ, ୨ କୋଟି ଟଙ୍କାରୁ ଅଧିକ ଆୟ ନିମନ୍ତେ ନୂତନ ଟିକସ ବ୍ୟବସ୍ଥାରେ ସର୍ବୋଚ୍ଚ ସରଚାର୍ଜ ହାରକୁ ୩୭ ପ୍ରତିଶତରୁ ୨୫ ପ୍ରତିଶତକୁ ହ୍ରାସ କରିବାକୁ ଶ୍ରୀମତୀ ନିର୍ମଳା ସୀତାରାମଣ ପ୍ରସ୍ତାବ ଦେଇଛନ୍ତି । ଏହା ଦ୍ୱାରା ବର୍ତ୍ତମାନର ଟିକସ ହାର ୪୨.୭୪ ପ୍ରତିଶତରୁ ୩୯ ପ୍ରତିଶତକୁ ହ୍ରାସ ପାଇବ, ଯାହା ବିଶ୍ୱରେ ସର୍ବାଧିକ ଅଟେ । ତେବେ, ଯେଉଁମାନେ ଏହି ଆୟ ବର୍ଗରେ ପୁରୁଣା ନିୟମ ଅଧୀନରେ ରହିବାକୁ ପସନ୍ଦ କରିବେ, ସେମାନଙ୍କ ପାଇଁ ସରଚାର୍ଜରେ କୌଣସି ପରିବର୍ତ୍ତନ କରାଯିବାକୁ ପ୍ରସ୍ତାବ ଦିଆଯାଇ ନାହିଁ ।

ପଞ୍ଚମ ଘୋଷଣାର ଏକ ଅଂଶ ଭାବରେ, ବଜେଟରେ ସରକାରୀ କର୍ମଚାରୀଙ୍କ ଭଳି ବେସରକାରୀ ବେତନଭୋଗୀଙ୍କ ଅବସରସମୟରେ ଛୁଟି ନଗଦୀକରଣ ଉପରେ ଟିକସ ଛାଡ ସୀମାକୁ୨୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି । ବର୍ତ୍ତମାନ, ସର୍ବାଧିକ ଆୟ, ଯାହା ଉପରେ ଛାଡ ପ୍ରଦାନ କରା ଯାଇ ପାରିବ, ତାହା ହେଉଛି ୩ ଲକ୍ଷ ଟଙ୍କା ।
ବଜେଟରେ ନୂତନ ଆୟକର ବ୍ୟବସ୍ଥାକୁ ଡିଫଲ୍ଟ ଟିକସ ବ୍ୟବସ୍ଥା କରିବାକୁ ପ୍ରସ୍ତାବ ଦିଆଯାଇଛି । ତେବେ, ନାଗରିକମାନେ ପୁରୁଣା ଟିକସ ବ୍ୟବସ୍ଥାର ମଧ୍ୟଲାଭ ଉଠାଇବାକୁ ବିକଳ୍ପର ବ୍ୟବହାର କରିପାରିବେ ।