Home Administration ଆସନ୍ତା ମାସରେ ବସିବ ବିଧାନସଭା

ଆସନ୍ତା ମାସରେ ବସିବ ବିଧାନସଭା

ଭୁବନେଶ୍ୱର : ଆସନ୍ତା ମାସରେ ରାଜ୍ୟ ବିଧାନସଭାର ଅଧିବେଶନ ବସିବ । କୋଭିଡ ମାର୍ଗଦର୍ଶିକାକୁ ମାନି ଏହି ଅଧିବେଶନ ଅନୁଷ୍ଠିତ ହେବବୋଲି ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ସଂସଦ ଓ ରାଜ୍ୟ ବିଧାନସଭାର ଦୁଇବର୍ଷ ପୂର୍ତ୍ତି ଅବସରରେ ଲୋକସଭା ବାଚସ୍ପତି ଡ.ଓମ ବିର୍ଲାଙ୍କ ଦ୍ୱାରା ଆୟୋଜିତ ଏଭ ଭର୍ଚୁଆଲ ସମୀକ୍ଷା  ବୈଠକରେ ଡକ୍ଟର ପାତ୍ର ଏହି ସୂଚନା ଦେଇଛନ୍ତି ।

ବୈଠକରେ ଲୋକସଭା ବାଚସ୍ପତି ଡ.  ବିର୍ଲା ପ୍ରକାଶ କରିଛନ୍ତି  ଯେ ସଂସଦୀୟ ଗଣତନ୍ତ୍ରର ମହାନ୍‌ ପରମ୍ପରା ବିଷୟ ଅବତାରଣା କରି ଗରୀୟାନ୍‌ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ପାଇଁ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ଭୂମିକା  ଗୁରୁତ୍ୱପୂର୍ଣ୍ଣ  । ଏଥିରେ ବିଭିନ୍ନ ରାଜ୍ୟର ବିଧାନସଭା ଓ ବିଧାନ ପରିଷଦର ଅଧ୍ୟକ୍ଷମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ ।

କୋଭିଡ୍‌ ପରିସ୍ଥିତିର ସଫଳ ମୁକାବିଲା ଦିଗରେ ଦଳମତ ନିର୍ବିଶେଷରେ ସମସ୍ତ ନିର୍ବାଚିତ ପ୍ରତିନିଧି ଏବଂ ଜନସାଧାରଣଙ୍କ ସକ୍ରିୟ ସହଯୋଗର ମଧ୍ୟ ସେ ଭୂୟସୀ ପ୍ରଶଂସା କରିଥିଲେ । ଓଡ଼ିଶା ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ବୈଠକରେ ଅଂଶଗ୍ରହଣ କରି ଓଡ଼ିଶା ବିଧାନସଭା ତରଫରୁ ବର୍ଷକୁ ଅନ୍ତତଃ ୬୦ ଦିନ ବୈଠକ ବସୁଥିବା ବ୍ୟବସ୍ଥା ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରବର୍ତ୍ତିତ ହୋଇଥିବା ପ୍ରକାଶ କରିଥିଲେ ।

ଓଡ଼ିଶା ବିଧାନସଭାର ପ୍ରତ୍ୟେକ ଆଲୋଚନାକୁ ଜନସାଧାରଣଙ୍କ ନିକଟରେ ତ୍ୱରିତ ବେଗରେ ପହଞ୍ଚାଇବା ପାଇଁ ବିଧାନସଭାକୁ ଇ-ବିଧାନସଭାରେ ପରିଣତ କରାଯାଉଥିବା ମଧ୍ୟ ସେ ପ୍ରକାଶ କରିଥିଲେ । ବର୍ତ୍ତମାନ ତାରକାଚିହ୍ନିତ ପ୍ରଶ୍ନାବଳୀକୁ ଛାଡ଼ିଦେଲେ ବିଧାନସଭାର ଅନ୍ୟ ସମସ୍ତ କାର୍ଯ୍ୟକ୍ରମ ଓ ବିବରଣୀ ବିନା କାଗଜରେ ସଂପନ୍ନ ହେଉଥିବା ମଧ୍ୟ ସେ କହିଛନ୍ତି ।

ନେଭା ମାଧ୍ୟମରେ ବିଧାନସଭା ସଚିବାଳୟର ସମସ୍ତ କାର୍ଯ୍ୟ ଇ-ମୋଡ୍‌ରେ ହେଉଥିବା ମଧ୍ୟ ସେ ସୂଚନା ଦେଇଥିଲେ । ସମ୍ବିଧାନର ୧୦ମ ଅନୁଚ୍ଛେଦର ସଂଶୋଧନ ପାଇଁ ଆସାମ, ଓଡ଼ିଶା ଓ ରାଜସ୍ଥାନର ବାଚସ୍ପତିଙ୍କୁ ନେଇ ଏକ କମିଟି ଗଠନ ହୋଇଥିବା ଏବଂ କମିଟି ତା’ର ରିପୋର୍ଟ ପ୍ରଦାନ କରିଥିବା କହିଛନ୍ତି । ସଂସଦୀୟ ଗଣତାନ୍ତ୍ରକୁ ସୁଦୃଢ଼ କରିବା ପାଇଁ ନୂତନ ବ୍ୟବସ୍ଥା ଏବଂ ସମ୍ଭାବନାର ବୀଜବପନ କରାଯାଉଥିବା ମଧ୍ୟ ସେ କହିଛନ୍ତି ।

ଲୋକସଭା ବାଚସ୍ପତିଙ୍କ ପରାମର୍ଶ କ୍ରମେ ଗୁଜୁରାଟ, ଆସାମ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟର ପ୍ରବାସୀ ଓଡ଼ିଆମାନଙ୍କ ସୁରକ୍ଷିତ ଓଡ଼ିଶା ପ୍ରତ୍ୟାବର୍ତ୍ତନ କରିବା ପାଇଁ ବାଚସ୍ପତିଙ୍କ କାର୍ଯ୍ୟାଳୟରେ ଏକ ପ୍ରକୋଷ୍ଠ ଖୋଲାଯାଇଥିବା ଏବଂ କୋଭିଡ୍‌ ପରିସ୍ଥିତିର ସଫଳ ମୁକାବିଲା ହେଉଥିବା ସେ ପ୍ରକାଶ କରିଛନ୍ତି ।

ଆସନ୍ତା ମାସରେ ପାର୍ଲିଆମେଣ୍ଟ ଅଧିବେଶନ ବସୁଥିବା ଦୃଷ୍ଟିରୁ ପରିସ୍ଥିତି ଉପରେ ନଜର ରଖି ଏବଂ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ପାଳନ କରି ଓଡ଼ିଶା ବିଧାନସଭାର ମଧ୍ୟ ଅଧିବେଶନ ବସିବ । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ବିଧାନସଭା ସଚିବ ଦାଶରଥୀ ଶତପଥୀ ଏବଂ ଅନ୍ୟ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here