Home Industry ଆଲୁମିନିୟମ ପ୍ରକ୍ରିୟାକରଣ ଶିଳ୍ପ ବିକାଶ ପାଇଁ ନିର୍ଦ୍ଦେଶ

ଆଲୁମିନିୟମ ପ୍ରକ୍ରିୟାକରଣ ଶିଳ୍ପ ବିକାଶ ପାଇଁ ନିର୍ଦ୍ଦେଶ

ଝାରସୁଗୁଡ଼ା : ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସିତ ତ୍ରିପାଠୀ ଆଜି ଝାରସୁଗୁଡା ଜିଲ୍ଲା ଗସ୍ତ କରି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ । ଶ୍ରୀ ତ୍ରିପାଠୀ ଝାରସୁଗୁଡ଼ାରେ ପହଂଚିବା ପରେ ପ୍ରଥମେ ଜିଲ୍ଲା ସ୍ତରୀୟ       ଅଧିକାରୀମାନଙ୍କ ସହିତ ଏକ ସମୀକ୍ଷା ବୈଠକରେ ଆଲୋଚନା କରିଥିଲେ । ବୈଠକରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀମାନେ ଆବଶ୍ୟକୀୟ ତଥ୍ୟ ଉପସ୍ଥାପନ କରିଥିଲେ ।  

ଝାରସୁଗୁଡ଼ା ରେ ବଡ଼ ବଡ଼ ଶିଳ୍ପାନୁଷ୍ଠାନ ପ୍ରତିଷ୍ଠା ହୋଇଥିବାରୁ ଜିଲ୍ଲାରେ ପ୍ରକ୍ରିୟାକରଣ ଶିଳ୍ପର ପର୍ଯ୍ୟାପ୍ତ ସମ୍ଭାବନା ଓ ସୁଯୋଗ ରହିଛି ବୋଲି ଶ୍ରୀ ତ୍ରିପାଠୀ କହିଥିଲେ । ସଏଥି ପାଇଁ କ୍ଷୁଦ୍ର ଓ  ମଧ୍ୟମ ଶିଳ୍ପର ବିକାଶ ନିମନ୍ତେ ସ୍ବତନ୍ତ୍ର ଲ୍ୟାଣ୍ଡବ୍ୟାଙ୍କ ପ୍ରସ୍ତୁତ ପାଇଁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାରେ ଅଦା , ଲଙ୍କା , ସବୁଜ ପନିପରିବା , ତୈଳବୀଜ , ଲଘୁ ଶସ୍ୟ , ଫଳ ଓ ଫୁଲ ଚାଷ ଆଦି ଉତ୍ପାଦନ ନିମନ୍ତେ ପ୍ରକୃଷ୍ଟ ଜଳବାୟୁ ରହିଛି । ଏଥି ପାଇଁ ନିର୍ଦ୍ଦିଷ୍ଟ କୃଷି ଯୋଜନା ପ୍ରସ୍ତୁତ କରିବା ପାଇଁ ଶ୍ରୀ ତ୍ରିପାଠୀ କୃଷି ଓ ଉଦ୍ୟାନ ବିଭାଗ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।

କୃଷିଜାତ ଦ୍ରବ୍ୟର ଅମଳ ପରବର୍ତ୍ତି ଏକତ୍ରିକରଣ , ଖାଦ୍ୟ ପ୍ରକ୍ରିୟାକରଣ ଓ କୃଷି – ବିପଣି ଆଦି ଉଦ୍ୟୋଗ ନିମନ୍ତେ ପ୍ରୋତ୍ସାହନ ଯୋଗାଇବା ପାଇଁ ମଧ୍ୟ ଶ୍ରୀ ତ୍ରିପାଠୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ । ଜିଲ୍ଲାର ଶିକ୍ଷିତ ଯୁବବର୍ଗ ଏବଂ  ମହିଳାମାନଙ୍କୁ ବିଭିନ୍ନ ପ୍ରକାର କୌଶଳ ବିକାଶ ତାଲିମ ମାଧ୍ୟମରେ ରୋଜଗାରକ୍ଷମ ଓ ଶସକ୍ତ କରିବା ଉପରେ ଶ୍ରୀ ତ୍ରିପାଠୀ ଗୁରୁତ୍ୱାରୋପ କରିଥିଲେ । ଜିଲ୍ଲାରେ ଶିଳ୍ପ ଓ କୃଷି ଉଦ୍ୟୋଗର ବିକାଶ ଜିଲ୍ଲାପାଳଙ୍କ ନେତୃତ୍ୱରେ ସମ୍ଭବ ହେବ ବୋଲି  ଶ୍ରୀ  ତ୍ରିପାଠୀ କହିଥିଲେ ।

ସମୀକ୍ଷା ବୈଠକ ପରେ ଶ୍ରୀ ତ୍ରିପାଠୀ ଭାସ୍କର ଟେକ୍ସଟାଇଲ ମିଲ ପରିସରସ୍ଥିତ ସରକାରୀ ଜମି , ବାଞ୍ଝିବୋରାସ୍ଥିତ ବୃହତ ଉଠା ଜଳସେଚନ ପ୍ରକଳ୍ପ , ଏଚ .କଟାପାଲିରେ ଜଳ ପ୍ରକ୍ରିୟାକରଣ ପ୍ଲାଣ୍ଟ , ବେଲପାହାଡ଼ ପୌର ପରିଷଦ ଅନ୍ତର୍ଗତ ଜି . ଏଲ . ହାଇସ୍କୁଲ ରୂପାନ୍ତରିକରଣ ପ୍ରକଳ୍ପ , ବଂଜାରୀ ଗ୍ରାମ ପଂଚାୟତରେ ଫଳ ଏବଂ ଫୁଲ ଚାଷ ଫାର୍ମ , ବେଲପାହାଡ଼ସ୍ଥିତ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ଆଦି ପ୍ରକଳ୍ପ ପରିଦର୍ଶନ କରିଥିଲେ । ବିଟିଏମ୍ ପରିସର ମଧ୍ୟରେ ଥିବା ସରକାରୀ ଜମିର ବିନିଯୋଗ ନିମନ୍ତେ   ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବାକୁ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦକୁ ନିର୍ଦ୍ଦେଶ ଦେଇଥିଲେ ।

ଏହି ଗସ୍ତ ସମୟରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସାମଲ , ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତପିରାମ ମାଝୀ , ଉପ ଜିଲ୍ଲାପାଳ ଶିବ ଟପ୍ପୋଙ୍କ ସମେତ କୃଷି , ଶିଳ୍ପ , ଶିକ୍ଷା ଓ କୌଶଳ ବିକାଶ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ନିଜ ନିଜ ବିଭାଗର ପ୍ରକଳ୍ପ  କାର୍ଯ୍ୟାନ୍ଵୟନ ସମ୍ବନ୍ଧିତ ସୂଚନା ପ୍ରଦାନ କରିଥିଲେ ।