Home Energy ଆରମ୍ଭ ହେବ ନୂଆ ତାପଜ ୟୁନିଟ୍‌ କାର୍ଯ୍ୟ

ଆରମ୍ଭ ହେବ ନୂଆ ତାପଜ ୟୁନିଟ୍‌ କାର୍ଯ୍ୟ

ଭୁବନେଶ୍ୱର : ତାଳଚେର ତାପଜ ବିଦ୍ୟୁତ କେନ୍ଦ୍ର ଚାଲୁରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରସରକାରଙ୍କୁ ଲେଖିଥିବା ପତ୍ର ଅନୁସାରେ ଆଜି ରାଜ୍ୟ ସରକାର ଏବଂ ଏନ୍‌.ଟି.ପି.ସି. ମଧ୍ୟରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟତଃ ତାଳଚେରରେ ଥିବା ପୁରୁଣା ତାପଜ ବିଦ୍ୟୁତ କେନ୍ଦ୍ର ଚଳାଇବା ଏବଂ ନୂଆ ୟୁନିଟ୍‌ ପ୍ରତିଷ୍ଠା ବିଷୟରେ ସବିଶେଷ ଆଲୋଚନା ହୋଇଥିଲା ।

ତାଳଚେରରେ ରାଜ୍ୟର ବିଦ୍ୟୁତ୍‌ ଚାହିଦା ଅନୁସାରେ ଗୋଟିଏ କିମ୍ବା ଦୁଇଟି ଅଲଟ୍ରା-ମେଗା ପାଓ୍ୱାର ୟୁନିଟ୍‌ ପ୍ରତିଷ୍ଠା ନିମନ୍ତେ ନିଷ୍ପତ୍ତି ହୋଇଥିଲା । ଏହି ନୂଆ ୟୁନିଟ୍‌ର ପ୍ରତିଷ୍ଠା, ଉତ୍ପାଦିତ ବିଦ୍ୟୁତର ବିପଣୀ ଓ କାରାବାର ସମ୍ବନ୍ଧରେ ଗ୍ରୀଡ଼୍‌କୋ ଏବଂ ଏନ୍‌.ଟି.ପି.ସି ମିଳିତ ଭାବେ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେବୋଲି ସ୍ଥିର ହୋଇଥିଲା । ଏ ବିଷୟରେ ଖୁବ୍‌ଶିଘ୍ର ରାଜ୍ୟସରକାରଙ୍କୁ ପତ୍ରମାଧ୍ୟମରେ ଜଣାଇ ଦିଆଯିବ ବୋଲି ଏନ୍‌.ଟି.ପି.ସି. ର ଅଧ୍ୟକ୍ଷ ଗୁରୁଦୀପ ସିଂ କହିଥିଲେ ।

ତାଳଚେରରେ ନୁଆ ୟୁନିଟ୍‌ କାର୍ଯ୍ୟକ୍ଷମ ହେବା ପର୍ଯ୍ୟନ୍ତ ପୁରୁଣା ୟୁନିଟ୍‌କୁ ଚଳାଇରଖିବା ଉପରେ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର  ଗୁରୁତ୍ୱ ଆରୋପ କରିଥିଲେ । ଏହି ପ୍ଲାଣ୍ଟ ସହ ଅନେକ ଲୋକଙ୍କର ଜୀବିକା ଜଡ଼ିତ ଥିବାରୁ ଏହା ଚଳାଇରଖିବା ଏକାନ୍ତ ଆବଶ୍ୟକ ବୋଲି ଶ୍ରୀ ମହାପାତ୍ର କହିଥିଲେ । ତାଳଚେର ତାପଜ କେନ୍ଦ୍ର ଏନ୍‌.ଟି.ପି.ସି. ର ଉକୃ​‌ଷ୍ଟ କେନ୍ଦ୍ରଭାବେ ଜାତୀୟ ସ୍ତରରେ ପୁରସ୍କୃତ ହୋଇଛି । କିଛି ପୁଞ୍ଜି ବିନିଯୋଗ ସହ ଏହି ପ୍ଲାଣ୍ଟର ନବୀକରଣ କରି ଏହାକୁ ପୁନଃ ଚଳାଇବା ଉଚିତ୍‌ ହେବ ବୋଲି ମଧ୍ୟ ମୁଖ୍ୟ ଶାସନ ସଚିବ କହିଥିଲେ ।

ପ୍ରଦ୍ୟୁଷଣ ନିୟନ୍ତ୍ରଣ ସମ୍ବନ୍ଧିତ କିଛି ପଦକ୍ଷେପ ସହ ଏହି ପ୍ଲାଣ୍ଟ ଚଳାଯାଇପାରିବ ବୋଲି ରାଜ୍ୟ ପ୍ରଦ୍ୟୁଷଣ ନିୟନ୍ତ୍ରଣ ବୋର୍ଡ଼ର ସଦସ୍ୟ ସଂପାଦକ ଡ଼ଃ କେ.ମୁରୁଗେସନ୍‌ କହିଥିଲେ । ପ୍ଲାଣ୍ଟର ନିରାପତ୍ତା ଅଡିଟ୍‌ କରି ଏହି ପ୍ଲାଣ୍ଟକୁ ପୁନଃ ଚଳାଇବା ନିମନ୍ତେ ସମସ୍ତ ସମ୍ଭାବନାର ଅନୁଧ୍ୟାନ କରିବା ପାଇଁ ଏନ୍‌.ଟି.ପି.ସି. ର ଅଧ୍ୟକ୍ଷ ଶ୍ରୀ ସିଂ ବୈଠକରେ ଉପସ୍ଥିତ ଯନ୍ତ୍ରୀ ଓ ବିଶେଷଜ୍ଞ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ ।  ପୁରୁଣା ୟୁନିଟ୍ ଚଳାଇବା ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ପ୍ରକାର ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର କହିଥିଲେ ।

ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଇତି ମଧ୍ୟରେ ନୂତନ ୟୁନିଟ୍‌ ପ୍ରତିଷ୍ଠା ନିମନ୍ତେ ମୁଖ୍ୟ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କର୍ତ୍ତୃପକ୍ଷ କମିଟି ଅନୁମୋଦନ ଦେଇଛନ୍ତି । ପ୍ରାରମ୍ଭିକ ଆକଳନ ଅନୁସାରେ ଏଥିରେ ପ୍ରାୟ ୭,୭୦୦ କୋଟି ଟଙ୍କାରୁ ଅଧିକ ପୁଞ୍ଜିନିବେଶ ହେବ ।

ଏହି ୟୁନିଟ୍‌ ପ୍ରତିଷ୍ଠା ପାଇଁ ଏନ୍‌.ଟି.ପି.ସି. ଙ୍କୁ ଜମି, ଜଳ ଏବଂ ଅନ୍ୟାନ୍ୟ ଭିତ୍ତିଭୂମି ସୁବିଧା ଯୋଗାଇ ଦିଆଯାଇଛି । ଏହାର ନିର୍ମାଣ କାର୍ଯ୍ୟ ଖୁବ୍‌ ଶିଘ୍ର ଆରମ୍ଭ କରାଯିବ ବୋଲି ଅଧ୍ୟକ୍ଷ ଶ୍ରୀ ସିଂ ଜଣାଇଥିଲେ । କାର୍ଯ୍ୟାନ୍ୱୟନ କ୍ଷେତ୍ରରେ ସୃଷ୍ଟି ହେଉଥିବା ସମସ୍ୟା ଗୁଡ଼ିକୁ ରାଜ୍ୟ ସରକାରଙ୍କ ସହ ଆଲୋଚନା ମାଧ୍ୟମରେ ସମାଧାନ କରାଯିବ ବୋଲି ମଧ୍ୟ ସେ କହିଥିଲେ ।

ଲୋକସେବା ଭବନରୁ ଡିଜିଟାଲ୍‌ ମୋଡ୍‌ରେ ଅନୁଷ୍ଠିତ ଏହି ବୈଠକରେ ଶକ୍ତି ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜବିହାରୀ ଧଳ ତାଳଚେର ତାପଜ କେନ୍ଦ୍ର ସମ୍ବନ୍ଧିତ ବୈଷୟିକ, ପ୍ରଶାସନିକ ଏବଂ ବ୍ୟବସାୟିକ ଆଦି ବିଷୟ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ । ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ କୁମାର ଶର୍ମା, ଏନ୍‌.ଟି.ପି.ସି. ର ପ୍ରକଳ୍ପ ନିର୍ଦ୍ଦେଶକ ଉଜ୍ୱଳକାନ୍ତି ଭଟାଚାର୍ଯ୍ୟଙ୍କ ସମେତ ଗ୍ରୀଡ଼୍‌କୋ, ଓ.ପି.ଟି.ସି.ଏଲ୍‌ ଏବଂ ଏନ୍‌.ଟି.ପି.ସି.ର ବରିଷ୍ଠ ଅଧିକାରୀମାନେ ବୈଠକର ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।