Home Administration ଆଂଶିକ କୋହଳ ହେଲା କଟକଣା

ଆଂଶିକ କୋହଳ ହେଲା କଟକଣା

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ସହିତ ସରକାର ଲକଡାଉନ୍‍ କଟକଣାକୁ ଆଂଶିକ କୋହଳ କରିଛନ୍ତି । ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାଗୁଡିକୁ ଦୁଇ ଭାଗରେ ବିଭକ୍ତ ସହିତ ସେହି ଅନୁଯାୟୀ ଆସନ୍ତା ଜୁଲାଇ ଏକ ତାରିଖ ପର୍ଯ୍ୟନ୍ତ କଟକଣାରେ କୋହଳ କରାଯାଇଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଆଜି ସୂଚନା ଦେଇଛନ୍ତି ।

ସଂକ୍ରମଣ କମ୍‍ ଥିବା ପଶ୍ଚିମ ଓ ଦକ୍ଷିଣ ଓଡିଶାର ୧୭ଟି ଜିଲ୍ଲାକୁ ‘ଏ’ ବର୍ଗରେ ରଖାଯାଇଥିବାବେଳେ ଅଧିକ ସଂକ୍ରମଣ ଥିବା ଉପକୂଳର ୧୩ ଜିଲ୍ଲାକୁ ‘ବି’ ବର୍ଗରେ ରଖାଯାଇଛି । ‘ଏ’ ବର୍ଗରେ ଥିବା ଜିଲ୍ଲାରେ ଲୋକଙ୍କ ପାଇଁ ସକାଳ ୬ରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଦୋକାନ ଖୋଲା ରହିବାକୁ ଅନୁମତି ଦିଆଯାଇଥିବାବେଳେ ‘ବି’ ବର୍ଗ ଜିଲ୍ଲାରେ ଏହା ସକାଳ ୬ରୁ ଦିନ ଗୋଟାଏ ପର୍ଯ୍ୟନ୍ତ ଖୋଲା ରହିବ । ପୂର୍ବରୁ ରାଜ୍ୟର ସମସ୍ତ ଜିଲ୍ଲାପାଇଁ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଏହି ଅନୁମତି ଥିଲା ।

ତେବେ ଦୋକାନ ଖୋଲିବା ସହିତ ସେଠାରେ ଉଭୟ ବ୍ୟବସାୟୀ ଓ ଗ୍ରାହକମାନେ ଯେଭଳି କୋଭିଡ ମାର୍ଗଦର୍ଶିକା ଦୃଢ ଭାବେ ପାଳନ କରିବେ ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି । କଟକଣା ନମାନିଲେ ତାହାକୁ ସିଲ୍‍ ପାଇଁ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନକୁ କୁହାଯାଇଛି ।

ଦୁଗ୍ଧଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ସମଗ୍ର ରାଜ୍ୟରେ ମିଠା ଦୋକାନଗୁଡିକୁ ଖୋଲିବାପାଇଁ ଅନୁମତି ମିଳିଛି । ତେବେ ସେହିସବୁ ଦୋକାନରୁ କେବଳ ପାର୍ସଲ ନିଆଯାଇ ପାରିବ । ସେହିଭଳି ଲୋକଙ୍କ ମର୍ଣ୍ଣିଂ ୱାକ୍‍ ଓ ଜଗିଙ୍ଗ୍‍ ପାଇଁ ସକାଳ ୬ରୁ ୯ଟା ପର୍ଯ୍ୟନ୍ତ ଅନୁମତି ଦିଆଯାଇଛି ।

ପଡୋଶୀ ଛତିଶଗଡ ଓ ଝାଡଖଣ୍ଡରେ କରୋନା ସଂକ୍ରମଣ ହ୍ରାସ ପାଇଥିବାରୁ ସେହି ଦୁଇ ରାଜ୍ୟର ସୀମାକୁ କଟକଣାମୁକ୍ତ କରାଯାଇଛି । ସେଠାରେ ଏବେ ଆଉ ଯା ଆସରେ କୌଣସି କଟକଣା ନାହିଁ । ତେବେ ଆନ୍ଧ୍ରପ୍ରଦେଶରେ କରୋନା ସଂକ୍ରମଣ ଅଧିକ ରହିଥିବାରୁ ସେହି ରାଜ୍ୟକୁ ଲାଗିଥିବା ସୀମାକୁ ସିଲ୍‍ ବଳବତ୍ତର ରହିବ ।

ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ବ୍ୟବସ୍ଥାକୁ କଟକଣାମୁକ୍ତ ରଖାଯାଇଥିବାବେଳେ ବସ୍‍ ପରିବହନ ବ୍ୟବସ୍ଥା ଉପରେ କଟକଣା ଜାରି ରହିଛି । ସେହିଭଳି ସଭା, ସମିତି, ଯାତ୍ରା ଓ ଆଉଟଡୋର ସୁଟିଂ ଉପରେ ପୂର୍ବଭଳି କଟକଣା ଜାରି ରହିଛି । ଶିକ୍ଷାନୁଷ୍ଠାନ ଗୁଡିକ ପୂର୍ବଭଳି ବନ୍ଦ ରହିବ । ବିବାହ, ଶୁଦ୍ଧିଘର ଓ ବ୍ରତଘର ପାଇଁ କଟକଣା ପୂର୍ବଭଳି ଥିବାବେଳେ ରାଜ୍ୟ ସରକାର ସପ୍ତାହନ୍ତ ସଟ୍‍ଡାଉନ ବ୍ୟବସ୍ଥାକୁ ମଧ୍ୟ ବଳବତ୍ତର ରଖିଛନ୍ତି ।

ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ ଗତବର୍ଷ ବର୍ଷାଋତୁରେ ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବାରୁ ଚଳିତ ବର୍ଷ ଏହି ସମୟରେ ସମସ୍ତେ କୋଭିଡ କଟକଣାକୁ ପୂର୍ଣ୍ଣ ଭାବରେ ମାନିବା ଉଚିତ୍‍ । ବିଶେଷକରି ମାସ୍କ ଯେଭଳି ନାକ ତଳକୁ ନଖସେ ତାହା ଉପରେ ମୁଖ୍ୟ ସଚିବ ଗୁରୁତ୍ୱ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here