Home News in Odia ଅବକାରୀ ଧରପଗଡ ଜୋରଦାର

ଅବକାରୀ ଧରପଗଡ ଜୋରଦାର

ଭୁବନେଶ୍ୱର : ପୌର ନିର୍ବାଚନ ସମୟରେ ଅବକାରୀ ବିଭାଗ ଧରପଗଡକୁ ଜୋରଦାର କରିବା ଫଳରେ ଚଳିତ ମାସର ଦଶଦିନ ମଧ୍ୟରେ ୮୯୦ ଜଣ ବନ୍ଧା ହେବା ସହିତ ପ୍ରାୟ ସାଢେ ୪କୋଟି ଟଙ୍କାର ସାମଗ୍ରୀ ଜବତ ହେଲାଣି । ଏହି ସମୟରେ ଅବକାରୀ ବିଭାଗ ୧୦୬୫ଟି ମାମଲା ରୁଜୁ କରିଛି ।

ମିଳିଥିବା ସୂଚନା ଅନୁଯାୟୀ ପୌର ନିର୍ବାଚନ ସମୟରେ ବେଆଇନ୍‍ ନିଶା କାରବାରକୁ ରୋକିବାପାଇଁ ଅବକାରୀ କମିଶନର ଆଶିଷ କୁମାର ସିଂହ କଡା ନିର୍ଦ୍ଦେଶ ଦେବାପରେ ଚଢଉ ଜୋରଦାର ହୋଇଛି । ଫଳରେ ଚଳିତ ମାସର ପ୍ରଥମ ୧୦ଦିନରେ ୧୦୬୫ ଟି ମାମଲା ରୁଜୁ ହେବା ସହିତ ୮୯୦ଜଣ ଗିରଫ ହୋଇଛନ୍ତି । ଏଥି ସହିତ ୩୪,୩୩୧ ଲିଟର କାରଖାନା ତିଆରି ଦେଶୀ ମଦ, ୨,୪୨,୦୦୫ କିଲୋ ମଦ ପ୍ରସ୍ତୁତ ସାମଗ୍ରୀ, ୯୨୭୩ ଲିଟର ଟିକସ ଫାଙ୍କି ବିଦେଶୀ ମଦ, ୧୫୯ଲିଟର ନକଲି ବିଦେଶୀ ମଦ ଜବତ ହୋଇଛି ।

ଏଥି ସହିତ ୧୧୬୪ କିଲୋ ଗଞ୍ଜେଇ, ୩୧୨ ଗ୍ରାମ ବ୍ରାଉନସୁଗାର, ୬୩୦ ଲିଟର ବିୟର, ୨୯୧ ଲିଟର ବିଦେଶୀ ମଦ, ୧୩୬ଲିଟର ଜିଞ୍ଜର, ୫୭୭ ଲିଟର ଭାଟି ମଦ, ୫୪ଟି ଦୁଇ ଚକିଆ, ଚାରିଚକିଆ ଓ ଟ୍ରକ ଆଦି ଜବତ ହୋଇଛି । ଏହି ସବୁ ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୪.୫ କୋଟି ଟଙ୍କା ହେବବୋଲି ଆକଳନ କରାଯାଇଛି ।

ଅବକାରୀ ବିଭାଗର ଏହି ବଡ ଧରଣର ଅପରେସନ ସମୟରେ ୧୧ତାରିଖରେ ବ୍ରହ୍ମପୁର ଠାରେ ୨୦ଲକ୍ଷ ଟଙ୍କାର ମୂଲ୍ୟର ୪୦୦ କିଲୋ ଗଞ୍ଜେଇ ଜବତ ହୋଇଛି । ଏହାକୁ ପରିବହନ କରୁଥିବା ଗୋଟିଏ ଟ୍ରକ ଜବତ ସମେତ ଦୁଇଜଣଙ୍କୁ ଗିରଫ କରାଯାଇଛି । ରାୟଗଡା ଅବକାରୀ ବିଭାଗ ମଧ୍ୟ ୧୦୮ କିଲୋ ଗଞ୍ଜେଇ ଜବତ କରିଛି ଯାହାର ଆନୁମାନିକ ମୂଲ୍ୟ ୮ଲକ୍ଷ ଟଙ୍କାର ହେବ । ଏହି ଘଟଣାରେ ଗୋଟିଏ କାର୍‍ ସମେତ ଜଣେ ବ୍ୟକ୍ତି ଗିରଫ ହୋଇଛନ୍ତି ।

ଚଳିତ ମାସ ୧୦ତାରିଖ ଦିନ କୋରାପୁଟ ଅବକାରୀ ବିଭାଗର ଅଧିକାରୀମାନେ ପଡବା ଥାନା ଅର୍ନ୍ତଗତ ସିନ୍ଧ୍‍ପୁଟ ଗାଁରୁ ୫୨୫ କିଲୋ ଗଞ୍ଜେଇ ଜବତ କରିଥିଲେ । ଏହି ଘଟଣାରେ ଜଣେ ଅଭିଯୁକ୍ତ ଗିରଫ ହୋଇଥିବାବେଳେ ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ୨୬ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ସେହଭଳି ଉକ୍ତ ଦିନ କଳାହାଣ୍ଡି ଅବକାରୀ ବିଭାଗର ଅଧିକାରୀମାନେ ଜୟପାଟଣା ଅଞ୍ଚଳରୁ ୧୬୭ କଲୋ ଗଞ୍ଜେଇ ସମେତ ୩ଜଣଙ୍କୁ ଗିରଫ କରିଛି । ବାଲେଶ୍ୱର ଅବକାରୀ ବିଭାଗ ସୋରରୁ ୧୩୫ ଲିଟର ଜିଞ୍ଜର ଜବତ କରିବା ସହିତ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛନ୍ତି ।

ତେବେ ଏହି ସମୟରେ ବଡ ସଫଳତା ମିଳିଛି ଢେଙ୍କାନାଳ ଅବକାରୀ ବିଭାଗକୁ । ଅବକାରୀ କର୍ତ୍ତୃପକ୍ଷ ଗୋଟିଏ ଆନ୍ତଃରାଜ୍ୟ ମଦ କାରବାରକୁ ଠାବ କରିବା ସହିତ ଅରୁଣାଚଳ ପ୍ରଦେଶରୁ ଓଡିଶାକୁ ଗୋଟିଏ ୧୨ ଚକିଆ ଟ୍ରକରେ ଆସିଥିବା ୧୦୭୦ ପେଟି ବିଦେଶୀ ମଦ ଜବତ କରିଥିଲେ । ଏହି ମଦ ସବୁ ଅଭିନବ ଉପରେ ଗୋଟିଏ କଣ୍ଟେନର ଭିତରେ ଚାଲାଣ ହେଉଥିଲା । ତେବେ ବାଲେଶ୍ୱର ଅବକାରୀ ଅଧିକାରୀମାନେ ଏହି ସମୟରେ ୨୬୦ ଗ୍ରାମ ବ୍ରାଉନସୁଗାର ଜବତ କରିଛନ୍ତି ଯାହାର ମୂଲ୍ୟ ପ୍ରାୟ ୨୬ଲକ୍ଷ ଟଙ୍କା ଆକଳନ କରାଯାଇଛି ।

ଚଳିତ ଆର୍ଥିକ ବର୍ଷରେ ଫେବୃଆରୀ ଶେଷ ସୁଦ୍ଧା ଅବକାରୀ ବିଭାଗ ୩୫,୬୦୫ ମାମଲା ରୁଜୁ ସହିତ ରେକର୍ଡ ସଂଖ୍ୟକ ୨୯,୩୫୯ଜଣ ଗିରଫ ହୋଇଛନ୍ତି । ଏହି ୧୧ମାସ ମଧ୍ୟରେ ୧୧୮ କୋଟି ଟଙ୍କାରୁ ଅଧିକ ନିଶା ସାମଗ୍ରୀ ଓ ଯାନବାହାନ ଜବତ ହୋଇଛି । (ତଥ୍ୟ)