Home Administration ଅବକାରୀ ଚଢଉ ଜୋରଦାର ପାଇଁ ନିର୍ଦ୍ଦେଶ

ଅବକାରୀ ଚଢଉ ଜୋରଦାର ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱର : ଶାନ୍ତି ଶୃଙ୍ଖଳାର ସହିତ ପଞ୍ଚାୟତିରାଜ ନିର୍ବାଚନ ଯେଭଳି ଅନୁଷ୍ଠିତ ହେବ ସେଥିପାଇଁ ସମୀନ୍ତରେ ନଜର ରଖିବାପାଇଁ ରାଜ୍ୟ ଅବାକାରୀ କମିଶନର ଆଶିଷ ସିଂହ ଅବକାରୀ ବିଭାଗର ଅଧିକାରୀମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି । ବେଆଇନ୍‍ ନିଶା କାରବାର ରୋକିବାପାଇଁ ସୀମାନ୍ତରେ କଡା ପହରା ସହିତ ରାତ୍ରୀକାଳୀନ ପେଟ୍ରୋଲିଂକୁ ଜୋରଦାର ଏବଂ ଜିଲ୍ଲା ସ୍ତରରେ କଣ୍ଟ୍ରୋଲରୁମ୍‍ ଖୋଲି ନିୟମିତ ରେଡ୍‍ ପାଇଁ କହିଛନ୍ତି ।

ଅବକାରୀ କମିଶନର ଶ୍ରୀ ସିଂହ ଆଜି ବିଭାଗର ସମୀକ୍ଷା କରିବା ସମୟରେ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ଭର୍ଚୁଆଲ ବ୍ୟବସ୍ଥାରେ ବସିଥିବା ଏହି ସମୀକ୍ଷା ବୈଠକରେ ଅବକାରୀ ବିଭାଗର ଡେପୁଟୀ କମିଶନର, ସୁପରିଟେଣ୍ଡେଣ୍ଟ, ଏନ୍‍ଫୋର୍ସମେଣ୍ଟ ସେଲ୍‍ ଓ ଜିଲ୍ଲା ସ୍ତରର ଅବକାରୀ ଅଧିକାରୀମାନେ ଉପସ୍ଥିତ ଥିଲେ । ବୈଠକରେ ଚଳିତ ପଞ୍ଚାୟତ ନିର୍ବାଚନ ଯେଭଳି ସୁରୁଖୁରୁରେ ହେବ ଓ ନିର୍ବାଚନ ସମୟରେ ବେଆଇନ୍‍ ନିଶା କାରବାର ନହେବ ତାହା ଉପରେ କଡା ନଜର ରଖିବାପାଇଁ ଶ୍ରୀ ସିଂହ ନିର୍ଦ୍ଦେଶ ଦେଇଛନ୍ତି ।

ଏଥି ସହିତ ଶ୍ରୀ ସିଂହ ବିଭାଗର ଚଳିତ ଆର୍ଥିକ ବର୍ଷର କାର୍ଯ୍ୟକଳାପ ସଂକ୍ରାନ୍ତରେ ସମୀକ୍ଷା କରିଛନ୍ତି । ଏଥିରୁ ଜଣଯାଇଛି ଯେ ଚଳିତ ଆର୍ଥିକ ବର୍ଷର ଡିସେମ୍ବର ଶେଷ ସୁଦ୍ଧା ୨,୭୦,୧୦୭ଟି ମାମଲା ରୁଜୁ ହୋଇଥିବାବେଳେ ୨୨,୩୫୫ଜଣ ବ୍ୟକ୍ତି ଗିରଫ ହୋଇଛନ୍ତି । ଏହି ସମୟରେ ୭,୩୨,୪୩୭ ଲିଟର କାରଖାନା ତିଆରି ଦେଶୀ ମଦ, ୭୮,୨୦,୮୭୧ କିଲୋ ମହୁଲି ମଦ, ୫୫୦୩ଲିଟର ନକଲି ବିଦେଶୀ ମଦ, ୨୦୩୪ ଲିଟର ଟିକସ ଫାଙ୍କି ବିଦେଶୀ ମଦ, ୩୬୭୧ଲିଟର ସ୍ପିରିଟ୍‍, ୨୧,୦୪୬ କିଲୋ ଗଞ୍ଜେଇ, ୯୨୨୮ ଗ୍ରାମ ବ୍ରାଉନସୁଗାର, ୫୮୧ ଲିଟର କଫ ସିରପ ସହିତ ୧୫୩୧ଟି ଗାଡିମୋଟର ଜବତ ହୋଇଛି । ଜବତ ସାମଗ୍ରୀର ମୂଲ୍ୟ ପ୍ରାୟ ୯୮କୋଟି ଟଙ୍କା ହେବବୋଲି ଆକଳନ କରାଯାଇଛି ।

ଅବକାରୀ ବିଭାଗ ରାଜ୍ୟରୁ ଗଞ୍ଜେଇ ଚାଷ ବିଲୋପ ପାଇଁ ଅଭିଯାନ ଆରମ୍ଭ କରିଥିବାବେଳେ ଅବକାରୀ ଓ ପୁଲିସ୍‍ ବିଭାଗର ମିଳିତ ଅଭିଯାନରେ ଏହି ସମୟରେ ଗଞ୍ଜେଇ ଚାଷ ହେଉଥିବା କନ୍ଧମାଳ, ବୌଦ, କୋରାପୁଟ, ମାଲକାନଗିରି, ରାୟଗଡା, ଗଜପତି ଏବଂ ଗଞ୍ଜାମ ଜିଲ୍ଲାରେ ବ୍ୟାପକ ଚଢଉକରି ୧୮,୮୯୦ ଏକର ଜମିରେ ଗଞ୍ଜେଇ ଗଛ ନଷ୍ଟ କରିଥିଲେ । ଗଞ୍ଜେଇ ଚାଷକୁ ଠାବ କରିବାପାଇଁ କ୍ୟାମେରା ଖଞ୍ଜା ହୋଇଥିବା ଡ୍ରୋନ ବ୍ୟବହାର ହୋଇଥିଲା । ଗତବର୍ଷର ଏହି ସମୟ ତୁଳନାରେ ଗଞ୍ଜେଇ ଗଛ ନଷ୍ଟ ଓ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ପ୍ରାୟ ଦୁଇ ଗୁଣ ରହିଛି ।

ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ବିଭାଗର ଫ୍ଲାଇଙ୍ଗସ୍କ୍ୱାଡ୍‍ ତାହାର ଚଢାଉ ଆରମ୍ଭ କରିଥିବାବେଳେ ନକଲି, ଅପମିଶ୍ରିତ, ଟିକସଫାଙ୍କି ମଦ ଯେଭଳି କାରବାର ନହୁଏ ତାହା ଉପରେ ନଜର ରଖିବାକୁ କମିଶନର କଡାନିର୍ଦ୍ଦେଶ ଦେଇଛନ୍ତି । ନିୟମିତ ଭାବେ ନିଶା କାରବାରରେ ଜଡିତ ବ୍ୟକ୍ତିଙ୍କୁ ଚିହ୍ନଟ ସହିତ ସେମାନଙ୍କୁ ତୁରନ୍ତ ଗିରଫ କରି ହାଜତକୁ ପଠାଇବାକୁ କୁହାଯାଇଛି । ନିର୍ବାଚନ ଶେଷ ପର୍ଯ୍ୟନ୍ତ ଯେଭଳି ନିରନ୍ତର ଭାବେ ସମଗ୍ର ରାଜ୍ୟରେ ଚଢଉ ଜାରି ରୁହେ ସେ ଦିଗରେ ପଦକ୍ଷେପ ନେବାକୁ ଅବକାରୀ ସୁପରିଟେଣ୍ଡଣ୍ଟମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।

କେବଳ ନିଶା ବେପାରୀ ନୁହେଁ ନିୟମିତ ଭାବେ ମଦଦୋକାନ ଯାଞ୍ଚ ପାଇଁ ବି କୁହାଯାଇଛି । ଏଥିପାଇଁ ପ୍ରତ୍ୟେକ ଜିଲ୍ଲାରେ କଣ୍ଟ୍ରୋଲରୁମ ଖୋଲିବା ସହିତ ପୁଲିସ୍‍ର ମିଳିତ ସହଯୋଗରେ ୨୪ଘଣ୍ଟିଆ ପାଟ୍ରୋଲିଂ ପାଇଁ ଅବକାରୀ କମିଶନର ନିର୍ଦ୍ଦେଶ ଦେବା ସହିତ ଏ କ୍ଷେତ୍ରରେ ଅବକାରୀ ଗୁଇନ୍ଦା ଶାଖାର ସହଯୋଗ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।