Home Covid ଜନଜାତିଙ୍କ ପାଇଁ ସ୍ପେସାଲ କୋଭିଡ୍‌ ପ୍ୟାକେଜ୍‌

ଜନଜାତିଙ୍କ ପାଇଁ ସ୍ପେସାଲ କୋଭିଡ୍‌ ପ୍ୟାକେଜ୍‌

ଭୁବନେଶ୍ୱର : ଓଡ଼ିଶାରେ ପ୍ରାଚୀନ ଜନଜାତିମାନଙ୍କର ବସତି ଅଞ୍ଚଳରେ କୋଭିଡ୍‌ ମହାମାରୀ ସଂକ୍ରମଣ ଆରମ୍ଭ ହୋଇଛି । ତେଣୁ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ ପକ୍ଷରୁ ପିଭିଟିଜିମାନଙ୍କ ପାଇଁ ସ୍ପେସାଲ ପ୍ୟାକେଜ୍‌ ଘୋଷଣା କରାଯାଇଛି ।

ପିଭିଟିଜିମାନଙ୍କ ନିମନ୍ତେ ଜରୁରୀକାଳୀନ ପ୍ୟାକେଜ୍‌ଗୁଡ଼ିକ ହେଉଛି ସମସ୍ତ ପ୍ରାଚୀନ ଜନଜାତି ଗୋଷ୍ଠୀର ବ୍ୟକ୍ତିଙ୍କୁ ମାଗଣାରେ ମାସ୍କ ଓ ସାନିଟାଇଜର ବଣ୍ଟନ, କୋଭିଡ୍‌ ଆକ୍ରାନ୍ତ ସମସ୍ତ ପରିବାରକୁ ୨ ହଜାର ୫୦୦ ଟଙ୍କା ମୂଲ୍ୟର ଶୁଖିଲା ରାସନ୍‌ କିଟ୍‌ ଯୋଗାଣ, କୋଭିଡ୍‌ ଆକ୍ରାନ୍ତ ପ୍ରାଚୀନ ଜନଜାତି ଗୋଷ୍ଠୀଙ୍କୁ ଆନୁଷ୍ଠାନିକ ସଙ୍ଗରୋଧ କେନ୍ଦ୍ରରେ ରହିବା ପାଇଁ ପ୍ରତିଦିନ ୧୦୦ ଟଙ୍କା ସହିତ ୧୪୦୦ ଟଙ୍କାର ପ୍ରୋତ୍ସାହନ ରାଶି ପ୍ରଦାନ ।

ପ୍ରାଚୀନ ଜନଜାତି ଗୋଷ୍ଠୀ ପରିବାରର ଘରକୁ ଘର ଯାଇ ସର୍ଭେ ଓ ସ୍କ୍ରିନିଂ କରାଯାଇ କୋଭିଡ୍‌ ଲକ୍ଷଣ ନିରୁପଣ, ପ୍ରାଚୀନ ଜନଜାତି ଗ୍ରାମାଞ୍ଚଳରେ କାର୍ଯ୍ୟରତ କମୁ୍ୟନିଟି ରିସୋର୍ସ ପରସନ୍‌ଙ୍କୁ ୪ ମାସ ପାଇଁ ମାସିକ ୧ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ରାଶି ପ୍ରଦାନ, ମାଇକ୍ରୋ ପ୍ରୋଜେକଫ ଏଜେନ୍ସି ଅଧୀନରେ କାର୍ଯ୍ୟରତ ସମସ୍ତ କ୍ଷେତ୍ର କର୍ମଚାରୀଙ୍କୁ ସ୍ୱାସ୍ଥ୍ୟ କିଟ୍‌ ସହ ଜୀବନବୀମାର ପରିସରଭୁକ୍ତ କରାଯାଇଛି ।

ବିଭାଗ ପକ୍ଷରୁ ନିଆଯାଇଥିବା ଜରୁରୀକାଳୀନ ପଦକ୍ଷେପ ସହିତ ଗ୍ରାମ ସ୍ତରରେ ସଙ୍ଗରୋଧ କେନ୍ଦ୍ର ମାଇକ୍ରୋ ଏଜେନ୍ସି ଓ କୋଭିଡ୍‌ କେୟାର ସେଣ୍ଟର ପ୍ରତିଷ୍ଠା ସହିତ ଜରୁରୀକାଳୀନ ଆମ୍ବୁଲାନ୍ସ ସେବା ନିମନ୍ତେ ପାଣ୍ଠିର ବ୍ୟବସ୍ଥା କରାଯାଇଛି । ପ୍ରାଚୀନ ଜନଜାତିମାନେ ବାସ କରୁଥିବା ସମସ୍ତ ଗ୍ରାମରେ ସଚେତନତା କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ।

ପ୍ରାଚୀନ ଜନଜାତି ଗୋଷ୍ଠୀର ବ୍ୟକ୍ତିମାନଙ୍କୁ କୋଭିଡ୍‌ ସଚେତନତା ନିମନ୍ତେ ସ୍ଥାନୀୟ ଭାଷାରେ ମାଇକ୍‌ରେ ପ୍ରଚାର ସହିତ ପୋଷ୍ଟର ଓ ବ୍ୟାନର ଯୋଗେ ସଚେତନ କରାଯାଉଛି । ମୋବାଇଲ ଫୋନ୍‌ରେ ମଧ୍ୟ ସଚେତନତା ବାର୍ତ୍ତା ପ୍ରେରଣ କରାଯାଉଛି । ଆଶା, ଅଙ୍ଗନବାଡ଼ି ଓ ଏଏନ୍‌ଏମ୍‌ କର୍ମୀମାନେ ସି.ଆର୍‌.ପିଙ୍କ ସହିତ ଥର୍ମାଲ ସ୍କ୍ରିନିଂ ଓ ଅକ୍ସିମିଟର ଯୋଗେ ପ୍ରାଚୀନ ଜନଜାତିମାନଙ୍କ କୋଭିଡ୍‌ ପରୀକ୍ଷା କରୁଛନ୍ତି ।

ଏକାଥରକେ ଅଧିକ ବ୍ୟକ୍ତିଙ୍କୁ ପରୀକ୍ଷା କରିବା ନିମନ୍ତେ ବ୍ଲକ୍‌ ସ୍ତରରେ ର୍ୟାପିଡ୍‌ ରେସ୍‌ପନ୍ସ ଟିମ୍‌ କାର୍ଯ୍ୟ କରୁଛନ୍ତି ଓ ଆବଶ୍ୟକତା ଅନୁସାରେ କୋଭିଡ୍‌ ଆକ୍ରାନ୍ତଙ୍କୁ ଆଇସୋଲେସନ୍‌/କ୍ୱାରାଣ୍ଟାଇନ୍‌ ସେଣ୍ଟର/ କୋଭିଡ୍‌ କେୟାର ହସ୍‌ପିଟାଲ୍‌ ପଠାଯାଉଛି ।

ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ୧୪ଟି ଜିଲ୍ଲାରେ ବସବାସ କରୁଥିବା ୧୩ଟି ପ୍ରାଚୀନ ଜନଜାତି ଗୋଷ୍ଠୀଙ୍କ ସୁରକ୍ଷା ନିମନ୍ତେ ବିଭାଗ ସଦାସର୍ବଦା ଜାଗ୍ରତ ରହିଛି । ଓଡ଼ିଶାର ୫୪୧ଟି ଗ୍ରାମରେ ୨୭,୩୦୮ଟି ପିଭିଟିଜି ପରିବାର ରହିଛି । ୧୭ଟି ପୁରୁଣା ମାଇକ୍ରୋ ପ୍ରୋଜେକଫ ଏଜେନ୍ସି ଅଞ୍ଚଳରେ ୧ ଲକ୍ଷ ୩୪ ହଜାର ଲୋକ ରହିଛନ୍ତି ।

ନୂତନ ଭାବେ ଚିହ୍ନଟ ହୋଇଥିବା ୧୧୩୮ଟି ପିଭିଟିଜି ଗ୍ରାମରେ ୩୬,୯୦୬ ପରିବାର ରହିଛି । ଆଉ ୧ ଲକ୍ଷ ୬୦ ହଜାର ୪୦୧ ପ୍ରାଚୀନ ଜନଜାତି ଗୋଷ୍ଠୀର ବ୍ୟକ୍ତି ରହିଛନ୍ତି । କେଉଁଝର, ଯାଜପୁର ଓ ଢେଙ୍କାନାଳ ଜିଲ୍ଲାରେ ମାଇକ୍ରୋ ପ୍ରୋଜେକଫ ଏଜେନ୍ସି ମଧ୍ୟ ପ୍ରତିଷ୍ଠା କରାଯାଇଛି ।

ପ୍ରାଚୀନ ଜନଜାତିମାନଙ୍କୁ କୋଭିଡ୍‌ ସଂକ୍ରମଣରୁ ସୁରକ୍ଷା ଦେବା ନିମନ୍ତେ ବିଭାଗ ପକ୍ଷରୁ ନିଆଯାଇଥିବା ଜରୁରୀକାଳୀନ ପଦକ୍ଷେପଗୁଡ଼ିକର କାର୍ଯ୍ୟକାରିତାକୁ ରାଜ୍ୟସ୍ତରରେ ଗଠିତ ମନିଟରିଂ କମିଟି ପ୍ରତ୍ୟହ ମନିଟର କରୁଛନ୍ତି ।