Home News in Odia ସ୍ମାର୍ଟ ସିଟିରେ ସ୍ମାର୍ଟ ଟ୍ରାଫିକ ଫେଲ୍‍

ସ୍ମାର୍ଟ ସିଟିରେ ସ୍ମାର୍ଟ ଟ୍ରାଫିକ ଫେଲ୍‍

ଭୁବନେଶ୍ୱର : ସ୍ମାର୍ଟ ସିଟି ଭୁବନେଶ୍ୱରର ଅଧିକାଂଶ ସ୍ମାର୍ଟ ଟ୍ରାଫିକ ବ୍ୟବସ୍ଥା ଅଚଳ । କେଉଁଠାରେ ଦାୟିତ୍ୱରେ ଥିବା କର୍ମଚାରୀମାନେ ହାତରେ ଟ୍ରାଫିକ ନିୟନ୍ତ୍ରଣ କରୁଛନ୍ତି ତ ଆଉ କେଉଁଠି ଠିକଣା ଭାବେ ଜଳୁନାହିଁ ।

ସହରର ପ୍ରମୁଖ ଛକ ଗୁଡିକରେ ଲାଇଟ୍‍ ବ୍ୟବସ୍ଥା ଜରିଆରେ ଟ୍ରାଫିକ ପରିଚାଳନାର ବ୍ୟବସ୍ଥା ହୋଇଛି । ଖୁଣ୍ଟ ପୋତାଯିବା ସହିତ ଲାଇଟ୍‍ ବି ଲାଗିଛି । ଏ ବାବଦରେ ଲକ୍ଷାଧିକ ଟଙ୍କା ବ୍ୟୟ ହେଉଛି । ହେଲେ କୌଣସି ଠାରେ ନିୟମିତ ଭାବେ ଏହା କାର୍ଯ୍ୟ କରୁନାହିଁ । କେଉଁଠି ଦିନବେଳା ବନ୍ଦ ରହୁଛି ତ ଆଉ କେଉଁଠି ରାତି ବେଳା ।

ଟ୍ରାଫିକ କର୍ମଚାରୀମାନେ ହାତରେ ଲାଇଟ୍‍ ଧରି ଟ୍ରାଫିକ ପରିଚାଳନା କରୁଛନ୍ତି । ଫଳରେ ଯେଉଁମାନେ ସକାଳେ ଲାଇଟ୍‍ ଦେଖି ଛକ ଅତିକ୍ରମ କରିଥିଲେ ସଞ୍ଜରେ ସେମାନେ ହାତରେ ଦେଖାଯାଉଥିବା ସଙ୍କେତକୁ ସହଜରେ ଠଉରେଇ ପାରୁନାହାନ୍ତି । ସେହିଭଳି ଭିଆଇପି ଓ ଭିଭିଆଇପିମାନଙ୍କ ଗସ୍ତ ସମୟରେ ଦାୟିତ୍ୱରେ ଥିବା ଟ୍ରାଫିକ କର୍ମଚାରୀମାନେ ତୁରନ୍ତ ଟ୍ରାଫିକ ଲାଇଟ୍‍ ବନ୍ଦକରି ଦେଉଛନ୍ତି । ଏଜି ଛକ, ରାଜଭବନ, ପାୱାରହାଉସ୍‍, କମିଶନରେଟ ପୁଲିସ୍‍ ଆଦି ସ୍ଥାନରେ ଏହା ସାଧାରଣ କଥାରେ ପରିଣତ ହେଲାଣି ।

ସ୍ମାର୍ଟ ଟ୍ରାଫିକ ବ୍ୟବସ୍ଥା ଆରମ୍ଭରୁ ଯେଭଳି ସେନ୍ସର ବ୍ୟବସ୍ଥା ଥିଲା ତାହା ଆଉ କୌଣସି ସ୍ଥାନରେ କାର୍ଯ୍ୟ କରୁନାହିଁ । ଏହି ବ୍ୟବସ୍ଥାରେ ଯଦି କୌଣସି ପଟରେ ଗାଡିମୋଟର ନଥିବ ତେବେ ସେଠାରେ ନାଲିବତି ଛାଏଁ ଛାଏଁ ଜଳିବା ସହିତ ଅନ୍ୟପଟୁ ଗାଡିଗୁଡିକ ଯିବାପାଇଁ ସଙ୍କେତ ମିଳୁଥିଲା । ସେହି ବ୍ୟବସ୍ଥା ଅଚଳ ପରଠାରୁ ଗୋଟିଏ ପଟେ ଗାଡିମୋଟର ନଥିଲେ ମଧ୍ୟ ଅନ୍ୟପଟର ଲୋକଙ୍କୁ ଅପେକ୍ଷା କରିବାକୁ ପଡୁଛି ।

ସେହିଭଳି ରାଜଧାନୀର ଟ୍ରାଫିକ ଛକଗୁଡିକରେ ବାମପଟକୁ ଖାଲି କରିବାପାଇଁ ଯେତେ ପ୍ରକାର ଉଦ୍ୟମ ହେଲେ ବି ତାହାକୁ ସୁଧରାଯାଇପାରୁନାହିଁ । ଲୋକଙ୍କୁ ସଚେତନ କରିବାପାଇଁ ପୁଲିସ୍‍ ପକ୍ଷରୁ ପୋତାଯାଇଥିବା ପ୍ଲାଷ୍ଟିକ ଖୁଣ୍ଟଗୁଡିକୁ ଲୋକେ ଗାଡି ଚଢାଇ ଭାଙ୍ଗି ସାରିଲେଣି । ବାମପଟରେ ଗାଡିମୋଟର ଗଦାହୋଇ ରହିବା ଫଳରେ ଚାଳକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ବର୍ତ୍ତମାନ ଟ୍ରାଫିକ ଛକଗୁଡିକରେ ଟ୍ରାଫିକ ପୁଲିସ୍‍ ସହିତ ସ୍ୱେଚ୍ଛାସେବୀମାନଙ୍କୁ ନିୟୋଜିତ କରାଯାଉଛି । ଏହା ସତ୍ୱେ ବି ସହରର ଟ୍ରାଫିକ ବ୍ୟବସ୍ଥା ସୁଧୁରିବା ବଦଳରେ ବିଗିଡିବାରେ ଲାଗିଛି ।

ସହରରେ ଏବେ ଟ୍ରାଫିକ ପରିଚାଳନା ପାଇଁ ପିସିଆର ସମେତ ଦୁଇ ଚକିଆ ପିସିଆର ବି ନିୟୋଜିତ ହୋଇଛି । କର୍ମଚାରୀମାନେ ସହରସାରା ପଇଁତରା ମାରୁଛନ୍ତି । ହେଲେ ସହରରେ ଯେଉଁ ହାରରେ ଗାଡିମୋଟର ଠାରୁ ଜୋରିମାନା ଆଦାୟ ହେଉଛି ସେହି ଅନୁପାତରେ ଟ୍ରାଫିକ ବ୍ୟବସ୍ଥାରେ ସୁଧାର ଆସୁନାହିଁ ବୋଲି ସାଧାରଣରେ ମତପ୍ରକାଶ ପାଉଛି । (ତଥ୍ୟ)