Home News in Odia ଜଳ କର ବାକି ୧୩ହଜାର କୋଟିରୁ ଅଧିକ

ଜଳ କର ବାକି ୧୩ହଜାର କୋଟିରୁ ଅଧିକ

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ନଦୀରୁ ପାଣି ଶୋଷି କାରଖାନା ଚଳାଉଥିବା କମ୍ପାନୀଗୁଡିକ ଉପରେ ଏବେ ରାଜ୍ୟ ସରକାରଙ୍କର ୧୩ହଜାର କୋଟି ଟଙ୍କାରୁ ଅଧିକ ଜଳକର ବାକି ପଡିଛି । ବାକିଆ ତାଲିକାରେ ସରକାରୀ ସଂସ୍ଥା ଠାରୁ ଆରମ୍ଭ କରି ବେସରକାରୀ ସଂସ୍ଥା ପର୍ଯ୍ୟନ୍ତ ରହିଛି ।

ଜଳକର ବାକିଆ ସଂକ୍ରାନ୍ତୀୟ ସୂଚନାରୁ ଜଣାପଡିଛି ଯେ ବର୍ତ୍ତମାନ ସୁଦ୍ଧା ଏ ବାବଦରେ ବିଭିନ୍ନ କମ୍ପାନୀଉପରେ ସରକାରଙ୍କର ୧୩,୭୪୧ କୋଟି ଟଙ୍କା ବାକି ଗଡୁଛି । ଏହି ବାକି ୮୧୭ଟି ସଂସ୍ଥା ଉପରେ ରହିଛି । ସବୁଠାରୁ ଅଧିକ ବାକିଆ ପଡିଛି ଜୟପୁରର ବିଲ୍ଡ ଉପରେ । ଏହାର ବାକି ୧୯୩୧ କୋଟି ଟଙ୍କାକୁ ଟପିଗଲାଣି । ଏହା ପଛକୁ ରହିଛି ଫୁଲଝରିର ଆରଡେଣ୍ଟ ଷ୍ଟିଲ । ଏହାର ବାକି ୧୬୮୨ କୋଟି ଟଙ୍କାରୁ ଅଧିକ । ଝାରସୁଗୁଡା ସ୍ଥିତ ଦକ୍ଷିଣ ପୂର୍ବ ରେଳବାଇର ଜଳକର ବାକି ୧୫୦୦ କୋଟି ଟଙ୍କାରୁ ଅଧିକ । ସେହିଭଳି ଓଡିଶା ପାୱାର କନସୋରିୟମ ଉପରେ ୧୧୦୭ କୋଟି ଟଙ୍କାରୁ ଅଧିକ ବାକି ଗଡୁଥିବାବେଳେ ଜେ କେ ପେପର ଲିମିଟେଡ ଉପରେ ୬୩୨ କୋଟି ଟଙ୍କାରୁ ଅଧିକ ରହିଛି ।

କେନ୍ଦ୍ରୀୟ ସଂସ୍ଥା ମହାନଦୀ କୋଲଫିଲ୍ଡ ଲିମଟେଡର ପ୍ରାୟ ସମସ୍ତ ସଂସ୍ଥା ଜଳକର ବାକି ଗଡାଉଛନ୍ତି । ଏମାନଙ୍କର ବାକିକୁ ମିଶାଇଲେ ୬ଶହ କୋଟି ଟଙ୍କାରୁ ଅଧିକ ହୋଇଯିବ । ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସମ୍ବଲପୁର ସ୍ଥିତ ଜଳଯୋଗାଣ ଦାୟିତ୍ୱରେ ଥିବା କାର୍ଯ୍ୟନିର୍ବାହୀ ଯନ୍ତ୍ରୀଙ୍କ ଉପରେ ୬୮ କୋଟି ଟଙ୍କାରୁ ଅଧିକ ଗଡୁଛି । ଲୋକଙ୍କୁ ଜଳ ଯୋଗାଣ କରି ଟିକସ ଆଦାୟ କରୁଥିବା ଉକ୍ତ ଦପ୍ତର କିନ୍ତୁ ଜଳକର ପ୍ରଦାନ କରୁନାହିଁ । ଏହି ତାଲିକାରେ ବରଗଡ ପୌରପାଳିକା ଠାରୁ ଆରମ୍ଭ କରି ଇମ୍ଫା, ଭୁଷଣ, ଇଫ୍‍କୋ, ଆଇଓସିଏଲ୍‍, ମଦ ତିଆରି କରୁଥିବା କମ୍ପାନୀ, ଚାଉଳ ମିଲ୍‍, ଓଡିଶା ଖଣି ନିଗମ ଦପ୍ତର ସମେତ ମାଳ ମାଳ ହୋଟେଲ ରହିଛନ୍ତି । ଏହିସବୁ ବ୍ୟବସାୟିକ ସଂସ୍ଥା ନିୟମିତ ଭାବେ ଆୟ କରୁଛନ୍ତି ।

ହେଲେ ବିଭିନ୍ନ ନଦୀରୁ ପାଣି ନେଇ ନିଜ ନିଜର କାରଖାନା ଓ ବ୍ୟବସାୟିକ ପ୍ରତିଷ୍ଠାନ ଚଳାଉଥିବାବେଳେ ଏ ବାବଦୀୟ ଅର୍ଥ ପଇଠ କରୁନାହାନ୍ତି । ନିୟମିତ ଅର୍ଥ ନଦେବା ଫଳରେ ତାହା ବଢି ବଢି ଅଧିକ ହେଉଛି । ସେତେବେଳେ ଏହି ସଂସ୍ଥାମାନେ ସରକାରଙ୍କୁ ଜଳକର ଦେବା ବଦଳରେ ମାମଲାଟିଏ ରୁଜୁକରି ବସିଯାଉଛନ୍ତି । ବର୍ଷ ବର୍ଷ ଧରି ମାମଲା ଚାଲୁଥିବାବେଳେ ତାହାର ଆଳ ଦେଖାଇ ଏହି କମ୍ପାନୀମାନେ ବାକିଆ ତ ଦୂରରକଥା ନଗଦ ବି ଦେଉନାହାନ୍ତି । କେତେକ କ୍ଷେତ୍ରରେ କର ଆଦାୟ କରୁଥିବା ଦପ୍ତର ମଧ୍ୟ ଏମାନଙ୍କ ପ୍ରତି କୋହଳ ମନୋଭାବ ପୋଷଣ କରୁଛି ।

ଗୋଟିଏ ପଟେ ନଦୀରୁ ପାଣି ଶୋଷୁଥିବା ଏହିସବୁ କମ୍ପାନୀଗୁଡିକ ଉପରେ ୧୩ହଜାର କୋଟି ଟଙ୍କାରୁ ଅଧିକ ଟିକସ ଆଦାୟ ହୋଇପାରୁନଥିବାବେଳେ ସରକାର କିନ୍ତୁ ସାଧାରଣ ଲୋକଙ୍କ ଟିକସ ପଇସାରେ ମାମଲା ଲଢିବାରେ ଲାଗିଛନ୍ତି । ରାଜ୍ୟର ରାଜସ୍ୱ ବୃଦ୍ଧି ପାଇଁ ସରକାର ଏବେ ବିଭିନ୍ନ ବାଟ ଖୋଜୁଥିବାବେଳେ କମ୍ପାନୀମାନଙ୍କ ଉପରେ ବକେୟା ପଡିଥିବା ଏହି ଅର୍ଥକୁ ତୁରନ୍ତ ଆଦାୟ କରିବାପାଇଁ ମତପ୍ରକାଶ ପାଉଛି । (ତଥ୍ୟ)