Home General ଚୂଲା କିଣାରେ ୧୬ କୋଟି ବରବାଦ

ଚୂଲା କିଣାରେ ୧୬ କୋଟି ବରବାଦ

ଭୁବନେଶ୍ୱର : ବର୍ଜ୍ୟବସ୍ତୁ ପରିଚାଳନା ପାଇଁ ପଶୁ ସମ୍ପଦ ବିଭାଗ କିଣିଥିବା ଭସ୍ମକ (ଏକ ପ୍ରକାର ଚୂଲା) ଗୁଡିକ ବ୍ୟବହାର ନହେବା ଯୋଗୁଁ ସରକାରଙ୍କର ୧୬ କୋଟି ଟଙ୍କାରୁ ଉର୍ଦ୍ଧ୍ୱ ଅର୍ଥ ପାଣିରେ ପଡିଥିଲା । ସିଏଜି ଅଡିଟରେ ଏହା ଏବେ ନଜରକୁ ଆସିଛି ।

ଯାଞ୍ଚର ସୂଚନା ଅନୁଯାୟୀ ରାଜ୍ୟ ପଶୁପାଳନ ଏବଂ ପଶୁ ଚିକିତ୍ସା ସେବା ନିର୍ଦ୍ଦେଶ ୨୦୧୫ରୁ ୨୦୧୭ ମଧ୍ୟରେ ୧୭ କୋଟି ୮୮ଲକ୍ଷ ଟଙ୍କା ବ୍ୟୟରେ ଜୈବ ଚିକିତ୍ସା ବର୍ଜ୍ୟବସ୍ତୁ ନିଷ୍କାସନ ପାଇଁ ୫୩୨ଟି ଭସ୍ମକ କିଣିଥିଲା । ଏହି ସମସ୍ତ ଭସ୍ମକକୁ ରାଜ୍ୟର ୩୦ଜଣ ମୁଖ୍ୟ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀଙ୍କୁ ଯୋଗାଇ ଦିଆଯାଇଥିଲା । ତେବେ ସମୀକ୍ଷାବେଳେ ଦେଖିବାକୁ ମିଳିଲା ଯେ ୨୦୨୩ ଶେଷ ସୁଦ୍ଧା ୫୩୨ଟି ଭସ୍ମକ ମଧ୍ୟରୁ କେବଳ ୩୮ଟି କାର୍ଯ୍ୟକ୍ଷମ ହୋଇଛି । କାର୍ଯ୍ୟକ୍ଷମ ହୋଇନଥିବା ୪୯୨ ଭସ୍ମକ ମଧ୍ୟରୁ ମାତ୍ର ୨୭୮ଟି ସ୍ଥାପିତ ହୋଇନଥିଲା ଏବଂ ସେଗୁଡିକୁ ଗୋଦାମରେ ପକାଇ ରଖାଯାଇଥିଲା ।

ସ୍ଥାପିତ ହୋଇଥିବା ୨୧୬ଟି ଭସ୍ମକ କାର୍ଯ୍ୟକ୍ଷମ ନହେବାର କାରଣ ଥିଲା ଯେ ତିନି ପର୍ଯ୍ୟାୟ ବିଦ୍ୟୁତ୍‍ ଉପଲବ୍ଧ ନହେବା । ଅନୁଗୁଳ, ଭଦ୍ରକ, କଟକ, ଜଗତ୍‍ସିଂହପୁର, ଯାଜପୁର, ମୟୁରଭଞ୍ଜ, ନବରଙ୍ଗପୁର ଏବଂ ନୟାଗଡ ସିଡିଭିଓ ଅଫିସ ଯାଞ୍ଚ ସମୟରେ ଦେଖିବାକୁ ମିଳିଲା ଯେ ଏଠାକୁ ଯୋଗାଇ ଦିଆଯାଇଥିବା ୧୫୮ ଭସ୍ମକ ମଧ୍ୟୁ କେବଳ ୧୪ଟି କାର୍ଯ୍ୟକ୍ଷମ ଥିଲା । ୬୯ଟିକୁ ନଚଲାଇ ରଖାଯାଇଥିଲା ଏବଂ ବିଦ୍ୟୁତ୍‍ ସଂଯୋଗ ନଥିବାରୁ ଅବଶିଷ୍ଟ ୭୫ଟି ପଡି ରହିଥିଲା ।

ତେଣୁ ୪୯୪ ଭସ୍ମକ ଜରିଆରେ ପଶୁସେବା ବ୍ୟବସ୍ଥାରେ ଉନ୍ନତି ଆଣିବାପାଇଁ ଯେଉଁ ଲକ୍ଷ୍ୟ ରଖାଯାଇଥିଲା ତାହା ହୋଇପାରିଲା ନାହିଁ । ଏହାଛଡା ଥ୍ରୀ-ଫେଜ୍‍ ବିଦ୍ୟୁତ୍‍ ସୁବିଧା ନକରି ୧୬ କୋଟି ୬୦ଲକ୍ଷ ଟଙ୍କା ମୂଲ୍ୟର ଯେଉଁ ୪୯୪ ଭସ୍ମକ କିଣାଯାଇଥିଲା ତାହା ମଧ୍ୟ ନିୟମର ଉଲ୍ଲଙ୍ଘନ ଥିଲା । ଏହି ସମସ୍ତ ଅର୍ଥ ପାଣିରେ ପଡିଥିଲା, କାରଣ କିଣାଯାଇଥିବା ଭସ୍ମକଗୁଡିକ ସାତ ରୁ ନଅ ବର୍ଷ ପର୍ଯ୍ୟନ୍ତ ପଡି ରହିବାପରେ ତାକୁ ଚଳାଇବା ଆଉ ସମ୍ଭବପର ନଥିଲା ।

ତେବେ ଉତ୍ତରରେ ଭଦ୍ରକ, ନବରଙ୍ଗପୁର ଏବଂ କଟକର ସିଭିଡିଓମାନେ କହିଥିଲେ ଯେ ଜିଲ୍ଲାଗୁଡିକରେ ଜୈବ-ଚିକିତ୍ସା ବର୍ଜ୍ୟବସ୍ତୁ ପରିଚାଳନା ଘରୋଇ ସଂସ୍ଥା ମାଧ୍ୟମରେ କରାଯାଇଥିଲା । ଏଥିରୁ ଜଣାପଡିଥିଲା ଯେ ଆବଶ୍ୟକତାକୁ ସଠିକ ଭାବରେ ମୂଲ୍ୟାଙ୍କନ ନକରି କିମବା ବାସ୍ତବତାକୁ ବିଚାର ନକରି ଏହି ଚୂଲାଗୁଡିକ କ୍ରୟ କରାଯାଇଥିଲା । ମିଳିଥିବା ଚୂଲାକୁ ବ୍ୟବହାର ନକରି ଘରୋଇ ସଂସ୍ଥା ହାତରେ କାର୍ଯ୍ୟ କରିବାର ଉତ୍ତରକୁ ସିଏଜି ସହଜରେ ଗ୍ରହଣ କରିନାହାନ୍ତି । (ତଥ୍ୟ)