ଭୁବନେଶ୍ୱର : ରାଜ୍ୟରେ ଶିଳ୍ପ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବା ତଥା ନୂତନ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଦିଗରେ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟ ଶାସନ ସଚିବ ଅନୁ ଗାର୍ଗଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ୧୫୦ତମ ରାଜ୍ୟ ସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ମୋଟ ୩,୨୮୦.୫୮ କୋଟି ଟଙ୍କାର ୧୯ଟି ଶିଳ୍ପ ନିବେଶ ପ୍ରସ୍ତାବକୁ ସବୁଜ ସଙ୍କେତ ମିଳିଛି। ଏହି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରୀ ହେଲେ ରାଜ୍ୟରେ ୧୦,୬୬୧ ଜଣଙ୍କ ପାଇଁ ପ୍ରତ୍ୟକ୍ଷ ଓ ପରୋକ୍ଷ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ବୟନ, ଖାଦ୍ୟ ପ୍ରକ୍ରିୟାକରଣ, ଡାଉନଷ୍ଟ୍ରିମ୍ ଷ୍ଟିଲ୍, ଗ୍ଲୋବାଲ୍ କାପାବିଲିଟି ସେଣ୍ଟର (ଜିସିସି), ଜୈବ ଇନ୍ଧନ, ରସାୟନ, ସର୍କୁଲାର୍ ଇକୋନୋମି, ପ୍ଲାଷ୍ଟିକ୍ ଏବଂ ପର୍ଯ୍ୟଟନ ଭଳି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଏହି ନିବେଶ ସୁଯୋଗ ସୃଷ୍ଟି ହୋଇଛି। ଏହି ପ୍ରକଳ୍ପଗୁଡ଼ିକ ଅନୁଗୋଳ, ଦେବଗଡ଼, ଗଞ୍ଜାମ, ଜଗତସିଂହପୁର, ଝାରସୁଗୁଡ଼ା, କଟକ, ଖୋର୍ଦ୍ଧା, କୋରାପୁଟ, ପୁରୀ, ସୁନ୍ଦରଗଡ଼ ସମେତ ବାଲେଶ୍ୱର, ବଲାଙ୍ଗୀର, ବରଗଡ଼, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ ଓ ସୁବର୍ଣ୍ଣପୁର ଭଳି ଜିଲ୍ଲାଗୁଡ଼ିକରେ ସ୍ଥାପିତ ହେବ।
ବୟନ ଓ ପୋଷାକ ଶିଳ୍ପ କ୍ଷେତ୍ରରେ ଡଲାର ଇଣ୍ଡଷ୍ଟ୍ରିଜ୍ ଖୋର୍ଦ୍ଧାରେ ୧୨୫ କୋଟି ଟଙ୍କା ନିବେଶରେ ଏକ ହୋସିଆରୀ ଉତ୍ପାଦନ ୟୁନିଟ୍ ସ୍ଥାପନ କରିବ, ଯାହା ୧,୧୮୫ ନିଯୁକ୍ତି ସୃଷ୍ଟି କରିବ। ସାଇ ୱାର୍କୱେୟାର୍ ପୁରୀରେ ୫୯ କୋଟି ଟଙ୍କାର ନିବେଶରେ ଅଗ୍ନୀନିରାପତ୍ତା ଓ ସୁରକ୍ଷା ପୋଷାକ ତିଆରି ୟୁନିଟ୍ ବସାଇବ। ଏଥିରୁ ୩,୬୫୦ ଯୁବକ ଯୁବତୀଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଖାଦ୍ୟ ପ୍ରକ୍ରିୟାକରଣରେ ସେହିଭଳି ଜିଓଫାଷ୍ଟ ଇଣ୍ଡଷ୍ଟ୍ରିଜ୍ ଖୋର୍ଦ୍ଧାରେ ୧୨୦ କୋଟି ଟଙ୍କା ନିବେଶରେ ସ୍ନାକ୍ସ ଓ ନାମକିନ୍ ଉତ୍ପାଦନ ୟୁନିଟ୍ ସ୍ଥାନ କରିବ। ଏହାଦ୍ବାରା ୩୫୦ ନିଯୁକ୍ତି ଲୋକଙ୍କୁ ନିଯୁକ୍ତି ମିଳିବ। ଜୟ ଭବାନୀ ଫୁଡ୍ସ କଟକରେ ୧୦୦ କୋଟି ଟଙ୍କା ନିବେଶରେ କନଫେକ୍ସନରୀ ପ୍ୟାକେଜିଂ ୟୁନିଟ୍ କରିବ ଏବଂ ଏହାଦ୍ବାରା ୫୫୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।
ଡାଉନଷ୍ଟ୍ରିମ୍ ଷ୍ଟିଲ୍ କ୍ଷେତ୍ରରେ ଦେବଗଡ଼ରେ ଏସପିଏସ ଅରିହନ୍ତ ଷ୍ଟିଲ୍ ୧୪୦ କୋଟି ଟଙ୍କା କରିବ। ଏହାଦ୍ବାରା ୫୯୫ ନିଯୁକ୍ତି ସୃଷ୍ଟି ହେବ। ସୁନ୍ଦରଗଡ଼ରେ ଷ୍ଟିଲଏଜ୍ ଫ୍ୟାବ୍ରିକେସନ୍ ୧୦୮.୮୨ କୋଟି ଟଙ୍କା କରିବ। ଏହି ପ୍ରକଳ୍ପ ଜରିଆରେ ୩୭୫ ଯୁବକ ଯୁବତୀ ନିଯୁକ୍ତି ପାଇବେ। କଟକରେ ଭୁବନେଶ୍ୱର ଉଦ୍ୟୋଗ ୧୦୧.୯୯ କୋଟି ଟଙ୍କା କରିବ, ଯାହାଦ୍ବାରା ୧୩୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ଜୈବ ଇନ୍ଧନ କ୍ଷେତ୍ରରେ ଇଣ୍ଡିଆନ୍ ଅଏଲ୍ କୋର୍ପୋରେସନ୍ (ଆଇଓସିଏଲ) ରାଜ୍ୟର ୮ଟି ଜିଲ୍ଲାରେ – ବାଲେଶ୍ୱର, ବଲାଙ୍ଗୀର, ବରଗଡ଼, ଗଞ୍ଜାମ, କଳାହାଣ୍ଡି, କେନ୍ଦୁଝର, ମୟୂରଭଞ୍ଜ, ସୁବର୍ଣ୍ଣପୁରରେ ୯୬୦ କୋଟି ଟଙ୍କା ନିବେଶରେ କମ୍ପ୍ରେସଡ୍ ବାୟୋ ଗ୍ୟାସ୍ (ସିବିଜି) ପ୍ଲାଣ୍ଟ ସ୍ଥାପନ କରିବ, ଯାହା ୭୬୦ ନିଯୁକ୍ତି ସୃଷ୍ଟି କରିବ। କିନେଟା ଗ୍ଲୋବାଲ୍ ମଧ୍ୟ ଗଞ୍ଜାମରେ ୧୭୦ କୋଟି ଟଙ୍କା ନିବେଶରେ ଏକ ସିବିଜି ପ୍ଲାଣ୍ଟ ପ୍ରତିଷ୍ଠା କରିବ।
ପ୍ଲାଷ୍ଟିକ୍ ଓ ସର୍କୁଲାର୍ ଇକୋନୋମି କ୍ଷେତ୍ରରେ ଶ୍ରୀ ଦକ୍ଷିଣେଶ୍ୱରୀ ମା’ ପୋଲିଫ୍ୟାବ୍ସ ଖୋର୍ଦ୍ଧାରେ ୪୦୧.୬୩ କୋଟି ଟଙ୍କା ନିବେଶରେ ପିପି ଓଭେନ୍ ଫ୍ୟାବ୍ରିକ୍ ଓ ବ୍ୟାଗ୍ ଉତ୍ପାଦନ ୟୁନିଟ୍ ପ୍ରତିଷ୍ଠା କରିବ। ରାମୁକା ଗ୍ଲୋବାଲ୍ ଅନୁଗୋଳରେ ୫୦.୧୫ କୋଟି ଟଙ୍କା ନିବେଶରେ ଷ୍ଟିଲ୍ ସ୍ଲାଗ୍ ପ୍ରକ୍ରିୟାକରଣ ୟୁନିଟ୍ ସ୍ଥାପନ କରିବ। ଗ୍ଲୋବାଲ୍ କ୍ୟାପାବିଲିଟି ସେଣ୍ଟର (ଜିସିସି) କ୍ଷେତ୍ରରେ ଟାଟା ପାୱାର ଖୋର୍ଦ୍ଧାରେ ୫୪.୩୧ କୋଟି ଟଙ୍କା ନିବେଶରେ ଏକ ଜିସିସି ସ୍ଥାପନ କରିବ, ଯାହା ଆଇଟି ଓ ବୈଷୟିକ କ୍ଷେତ୍ରରେ ୧୧୦ ଜଣଙ୍କୁ ନିଯୁକ୍ତି ଦେବ। ପର୍ଯ୍ୟଟନ କ୍ଷେତ୍ରରେ ସେହିଭଳି ପୁରୀ, ଗଞ୍ଜାମ, ଝାରସୁଗୁଡ଼ା ଓ କୋରାପୁଟରେ ୫ଟି ପ୍ରମୁଖ ହୋଟେଲ୍ ଓ ରିସୋର୍ଟ ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି।
ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ୧୫୦ତମ ସିଙ୍ଗଲ ୱିଣ୍ଡୋ ବୈଠକର ଏହି ମଞ୍ଜୁରୀ ଓଡ଼ିଶାର ସମୃଦ୍ଧ ଶିଳ୍ପ ପରିବେଶକୁ ଦର୍ଶାଉଛି। କେବଳ ପୁଞ୍ଜିନିବେଶ ଆଣିବା ନୁହେଁ, ବରଂ ସ୍ଥାନୀୟ ସମ୍ବଳର ମୂଲ୍ୟ ବୃଦ୍ଧି କରିବା, ଦକ୍ଷତା ବିକାଶ ଓ ରାଜ୍ୟର ସବୁ ଅଞ୍ଚଳରେ ସମାନ୍ତରାଳ ବିକାଶ ଆଣିବା ଆମର ମୁଖ୍ୟ ଲକ୍ଷ୍ୟ। ଏହି ନୂତନ ନିବେଶଗୁଡ଼ିକ ରାଜ୍ୟର ‘ସମୃଦ୍ଧ ଓଡ଼ିଶା ୨୦୩୬’ ଦୂରଦୃଷ୍ଟି ସହ ସମ୍ପୂର୍ଣ୍ଣ ଆଞ୍ଚଳିକ ବିକାଶ, ନିରନ୍ତର ଆର୍ଥିକ ଅଭିବୃଦ୍ଧି ଏବଂ ସ୍ଥାୟୀ ନିଯୁକ୍ତି ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

