ଭୁବନେଶ୍ୱର : ସରକାରୀ ସେବା ଓ ଜନକଲ୍ୟାଣମୂଳକ ଯୋଜନାର ସୁବିଧାକୁ ଯୋଗ୍ୟ ହିତାଧିକାରୀଙ୍କ ନିକଟରେ ସହଜ, ସରଳ ଓ ତ୍ୱରିତ ଭାବେ ପହଞ୍ଚାଇବା ଲକ୍ଷ୍ୟରେ ଅକ୍ଟୋବର ୧ରୁ ୧୦ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ‘ସେବା ସେତୁ’ ଅଭିଯାନ ଆୟୋଜିତ ହେବ । ରାଜ୍ୟ ଚାଲୁଥିବା ‘ସେବା ସଂକଳ୍ପ’ ଅଭିଯାନର ଏହା ଏକ ଅଂଶବିଶେଷ ।
‘ସେବା ସଂକଳ୍ପ’ ଅଭିଯାନର ରାଜ୍ୟ ସଂଯୋଜକ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଅଭିଯାନ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ‘ସେବା ସେତୁ’ ମାଧ୍ୟମରେ ଯୋଗ୍ୟ ନାଗରିକମାନେ ଗୋଟିଏ ସ୍ଥାନରେ ବିଭିନ୍ନ କେନ୍ଦ୍ର ଓ ରାଜ୍ୟ ସରକାରୀ ଯୋଜନା ଓ ସେବା ସମ୍ପର୍କରେ ସୂଚନା ପାଇବା ସହ ପଞ୍ଜୀକରଣ, ଆବେଦନ ଓ ଆବଶ୍ୟକ ସହାୟତା ପାଇପାରିବେ । ଏଥିପାଇଁ ରାଜ୍ୟରେ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସରକାରୀ ସେବାକୁ ଲୋକଙ୍କ ନିକଟକୁ ନେଇ ଯୋଗ୍ୟ ହିତାଧିକାରୀଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ସହ ଯୋଡ଼ିବା ଏହି ପ୍ରୟାସର ମୁଖ୍ୟ ଉଦ୍ଦେଶ୍ୟ ।
‘ନାଗରିକରୁ ହିତାଧିକାରୀ—ଗୋଟିଏ ସ୍ଥାନରେ ସମସ୍ତ ସେବା’ ଲକ୍ଷ୍ୟ ନେଇ ଆୟୋଜିତ ‘ସେବା ସେତୁ’ରେ ଯୋଗ୍ୟ ନାଗରିକଙ୍କୁ ଚିହ୍ନଟ କରି ସେମାନଙ୍କୁ ସମ୍ପୃକ୍ତ ସରକାରୀ ଯୋଜନା ଓ ସେବା ସହ ଯୋଡ଼ିବା ଉପରେ ଗୁରୁତ୍ୱ ଦିଆଯିବ । ଏଥିପାଇଁ ରାଜ୍ୟରେ ବ୍ୟାପକ ପ୍ରସ୍ତୁତି ଓ ଆବଶ୍ୟକ ବ୍ୟବସ୍ଥା କରାଯାଇଛି ।
ଏହି ଅଭିଯାନ ଅଧୀନରେ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀର ବ୍ଲକ୍ ସ୍ତରରେ ‘ସେବା ସେତୁ’ ଶିବିର ଆୟୋଜନ କରାଯିବ । ଶିବିରରେ ଯୋଗ୍ୟ ହିତାଧିକାରୀମାନଙ୍କ ପାଇଁ ସିଧାସଳଖ ପ୍ରଯୁଜ୍ୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ଓ ସେବାକୁ ସାମିଲ କରାଯିବ ।
ଶିବିରକୁ ଆସୁଥିବା ନାଗରିକଙ୍କ ଯୋଗ୍ୟତା ଆଧାରରେ ସେମାନେ ଯେଉଁ ଯୋଜନାର ସୁବିଧା ପାଇବାକୁ ଯୋଗ୍ୟ, ସେହି ଯୋଜନାର ହିତାଧିକାରୀ ଭାବେ ସେହି ସ୍ଥାନରେ ହିଁ ପଞ୍ଜୀକରଣ କରାଯିବ । ଆବଶ୍ୟକସ୍ଥଳେ ଆବେଦନ ପ୍ରକ୍ରିୟା ଓ ଅନ୍ୟାନ୍ୟ ଔପଚାରିକତା ସମ୍ପାଦନରେ ମଧ୍ୟ ସହାୟତା ଯୋଗାଇ ଦିଆଯିବ । ଫଳରେ ସରକାରୀ ଯୋଜନାର ସୁବିଧା ପାଇବା ପାଇଁ ନାଗରିକଙ୍କୁ ବାରମ୍ବାର ସରକାରୀ କାର୍ଯ୍ୟାଳୟକୁ ଯିବାର ଆବଶ୍ୟକତା ପଡିବ ନାହି l
ଏହାସହ ପ୍ରତ୍ୟେକ ବ୍ଲକ୍ ଏବଂ ବିଧାନସଭା ନିର୍ବାଚନମଣ୍ଡଳୀରେ ‘ସେବା ସେତୁ କେନ୍ଦ୍ର’ ସ୍ଥାପନ କରାଯିବ । ଏହି କେନ୍ଦ୍ରଗୁଡ଼ିକରେ ନାଗରିକମାନେ ବିଭିନ୍ନ କଲ୍ୟାଣକାରୀ ଯୋଜନା, ସରକାରୀ ସେବା ଓ ସୁବିଧା ସମ୍ପର୍କରେ ଗୋଟିଏ ସ୍ଥାନରେ ଆବଶ୍ୟକ ସୂଚନା ପାଇପାରିବେ। ପଞ୍ଜୀକରଣ, ଆବେଦନ ଏବଂ ଆବଶ୍ୟକ ସହାୟତା ପାଇଁ ମଧ୍ୟ ଏଠାରେ ସହଯୋଗ ଯୋଗାଇ ଦିଆଯିବ ।
ଅଭିଯାନର ସୁଚାରୁ କାର୍ଯ୍ୟାନ୍ୱୟନ ପାଇଁ ପ୍ରତ୍ୟେକ ବିଧାନସଭା ନିର୍ବାଚନମଣ୍ଡଳୀ ଓ ବ୍ଲକ୍ୱାରୀ କାର୍ଯ୍ୟକ୍ରମ କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି । ଏଥିସହ ନୋଡାଲ୍ ଅଧିକାରୀ ନିଯୁକ୍ତି, ଯୋଗ୍ୟ ହିତାଧିକାରୀଙ୍କ ଡାଟାବ୍ୟାଙ୍କ ପ୍ରସ୍ତୁତି, ଶିବିରରେ ବିଭିନ୍ନ ବିଭାଗର ସମନ୍ୱୟ ଏବଂ ଆବଶ୍ୟକ ମାନବସମ୍ବଳ ଓ ଅନ୍ୟାନ୍ୟ ବ୍ୟବସ୍ଥା କରାଯାଇଛି । ଏହା ଦ୍ୱାରା ଯୋଗ୍ୟ ନାଗରିକଙ୍କୁ ଚିହ୍ନଟ କରି ସେମାନଙ୍କ ନିକଟରେ ଆବଶ୍ୟକ ସେବା ଓ ଯୋଜନାର ସୁଫଳ ପହଞ୍ଚାଇବା ସହଜ ହେବ ।
ଶିବିରଗୁଡ଼ିକର ସୁଚାରୁ ଆୟୋଜନ, ସାମିଲ ହେବାକୁ ଥିବା ଯୋଜନା, ଯୋଗ୍ୟ ହିତାଧିକାରୀଙ୍କ ଚିହ୍ନଟ ଏବଂ ଅନୁମୋଦନ ପ୍ରକ୍ରିୟା ସମ୍ପର୍କରେ ଆବଶ୍ୟକ ମାର୍ଗଦର୍ଶନ ପ୍ରଦାନ କରାଯିବ । ଏହା ମାଧ୍ୟମରେ ଅଭିଯାନର କାର୍ଯ୍ୟାନ୍ୱୟନରେ ସମନ୍ୱୟ, ସ୍ୱଚ୍ଛତା ଓ ପ୍ରଭାବଶୀଳତା ନିଶ୍ଚିତ କରାଯିବ।

