Home General ନେତା ବି ଦିଅନ୍ତୁ ସଂପତ୍ତି ତାଲିକା

ନେତା ବି ଦିଅନ୍ତୁ ସଂପତ୍ତି ତାଲିକା

ଭୁବନେଶ୍ୱର : ସରକାରୀ କର୍ମଚାରୀମାନେ ଯେଭଳି ପ୍ରତି ବର୍ଷ ସରକାରଙ୍କ ନିକଟରେ ସଂପତ୍ତି ତାଲିକା ଦାଖଲ କରୁଛନ୍ତି ସେହିଭଳି ପ୍ରତି ବର୍ଷ ପଞ୍ଚାୟତରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ନିର୍ବାଚିତ ଲୋକ ପ୍ରତିନିଧିମାନେ ସେମାନଙ୍କ ସଂପତ୍ତି ତାଲିକା ଦାଖଲ କରିବା ପାଇଁ ନାଗରିକ ସମାଜ ପକ୍ଷରୁ ଦାବି ଉଠୁଛି ।

ଓଡ଼ିଶା ସରକାରୀ କର୍ମଚାରୀ ଆଚରଣ ବିଧି- ୧୯୫୯ରେ ଥିବା ବ୍ୟବସ୍ଥା ମୁତାବକ ସରକାରୀ କର୍ମଚାରୀମାନେ ପ୍ରତିବର୍ଷ ସେମାନଙ୍କ ସଂପତ୍ତି ତାଲିକା ଦେବାକୁ ବାଧ୍ୟ । ଏହାଛଡ଼ା ସେମାନେ ଯେଉଁସବୁ ସ୍ଥାବର ଓ ଅସ୍ଥାବର ସଂପତ୍ତି କିଣିବେ ସେଥିପାଇଁ ମଧ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବା ଲାଗି ଆଇନ୍‍ଗତ ପ୍ରାବଧାନ ରହିଛି । ଏହାର ଉଲ୍ଳଂଘନ କରାଗଲେ ସଂପୃକ୍ତ କର୍ମଚାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଚାକିରିରୁ ବରଖାସ୍ତ ପର୍ଯ୍ୟନ୍ତ ଦଣ୍ଡବିଧାନ କରିବାର ପ୍ରାବଧାନ ରହିଛି ।

ନାଗରିକ ସମାଜ ପକ୍ଷରୁ କୁହାଯାଇଛି ଯେ ନିର୍ବାଚିତ ଲୋକ ପ୍ରତିନିଧିମାନେ ପବ୍ଲିକ୍‍ ସର୍ଭେଣ୍ଟ ପର୍ଯ୍ୟାୟଭୁକ୍ତ ଏବଂ ସେମାନେ ଗରିବ ଲୋକଙ୍କ ଟିକସରୁ ଦରମା, ଭତ୍ତା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ନେଉଛନ୍ତି । ନିର୍ବାଚନ ଲଢ଼ିବା ପାଇଁ ପ୍ରାର୍ଥୀପତ୍ର ଦାଖଲ ବେଳେ ଏମାନେ ସତ୍ୟପାଠ ଆକାରରେ ନିଜ ନିଜର ସଂପତ୍ତି ତାଲିକା ଘୋଷଣା କରିଥାନ୍ତି ଏବଂ ଏହା ମଧ୍ୟ ସାର୍ବଜନୀନ ହୋଇଥାଏ ।

ବ୍ୟବସ୍ଥାରେ ଦୁର୍ନୀତି ଓ ଭ୍ରଷ୍ଟାଚାର ବୃଦ୍ଧି ପାଉଥିବା ପରିପ୍ରେକ୍ଷୀରେ ସାମାଜିକ, ରାଜନୈତିକ, ସାଂସ୍କୃତିକ, ଆର୍ôଥକ ଓ ନୈତିକ ବ୍ୟବସ୍ଥା ଉପରେ ତା’ର ଭୟଙ୍କର କୁପ୍ରଭାବ ପଡୁଛି । ରାଜନୈତିକ ସ୍ତରରେ ଦୁର୍ନୀତି ବୃଦ୍ଧି ପାଉଥିବାରୁ ଏହାର ଫାଇଦା ନେଇ ପ୍ରଶାସନିକ ସ୍ତରରେ ବି ଦୁର୍ନୀତିର ଚେର ମାଡ଼ି ଚାଲିଛି । ଏ ପରିପ୍ରେକ୍ଷୀରେ ଦଳମତ ନିର୍ବିଶେଷରେ ରାଜନୈତିକ ନେତାମାନେ ସ୍ୱଚ୍ଛତା, ନିରପେକ୍ଷତା, ମିତବ୍ୟୟିତା ଓ ଆଦର୍ଶ ପ୍ରଦର୍ଶନ କଲେ ତା’ର ପ୍ରଭାବ ସମାଜ ଉପରେ ପଡ଼ିବ ।

ରାଜନୈତିକ କ୍ଷେତ୍ରରେ ଭ୍ରଷ୍ଟାଚାର ବୃଦ୍ଧି ପାଉଥିବାରୁ ନିର୍ବାଚନ ବି କ୍ରମଶଃ ବ୍ୟୟବହୁଳ ହୋଇପଡୁଛି ଏବଂ ନିର୍ବାଚନରେ ପ୍ରାର୍ଥୀମାନଙ୍କ ପାଇଁ ଯେଉଁ ଆର୍ôଥକ ସୀମା ନିର୍ଦ୍ଧାରଣ କରାଯାଇଛି ଅଧିକାଂଶ ପ୍ରାର୍ଥୀ ତା’ଠାରୁ ଢେର ଅଧିକ ଅର୍ଥ ଅପବ୍ୟୟ କରୁଥିଲେ ମଧ୍ୟ ସତ୍ୟପାଠ ଆଳରେ ନିର୍ବାଚନ ଖର୍ଚ୍ଚର ମିଥ୍ୟାପାଠ ଦାଖଲ କରୁଥିବା ଘେନି ଅଭିଯୋଗ ଆସୁଛି । ଏହାଛଡ଼ା ତଳୁ ଉପର ପର୍ଯ୍ୟନ୍ତ ଅନେକ ନେତାଙ୍କ ନାମୀ, ବେନାମୀ ସଂପତ୍ତି ବୃଦ୍ଧି ସଂକ୍ରାନ୍ତରେ ବି ବାରମ୍ବାର ସନ୍ଦେହ ବଢ଼ିବା ସହିତ ଅଭିଯୋଗମାନ ଆସୁଛି । ଏମିତିକି କେତେକ ନେତା ମଧ୍ୟ ଦୁର୍ନୀତି ଅଭିଯୋଗରେ ସିବିଆଇ, ଇଡି ଓ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇ ଜେଲ୍‍ ଯାଉଛନ୍ତି । ଏହା ଗଣତନ୍ତ୍ର ପ୍ରତି ବିପଦ ହୋଇଥିବାରୁ ପ୍ରତିବର୍ଷ ନିର୍ବାଚିତ ଲୋକପ୍ରତିନିଧିମାନେ ସେମାନଙ୍କ ସଂପତ୍ତି ତାଲିକା ସତ୍ୟପାଠ ଆକାରରେ ଘୋଷଣା କରିବା ସହିତ ସରକାରଙ୍କ ନିକଟରେ ଦାଖଲ କରିବା ପାଇଁ ନାଗରିକ ସମାଜର କେତେକ ବରିଷ୍ଠ ସଦସ୍ୟ ନିବେଦନ କରିଛନ୍ତି । (ତଥ୍ୟ)