Home News in Odia ଓଟିଡିସି ଲକଜୁରୀ କୋଚ୍‌ର ଶୁଭାରମ୍ଭ

ଓଟିଡିସି ଲକଜୁରୀ କୋଚ୍‌ର ଶୁଭାରମ୍ଭ

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ପର୍ଯ୍ୟଟନ ବିଭାଗ ପକ୍ଷରୁ ଆଜି ଡିଜିଟାଲ୍ ନବସୃଜନ, ନିରନ୍ତର ପର୍ଯ୍ୟଟନ, ସଂସ୍ଥାଗତ ଭାଗିଦାରୀ, ସାହସିକ ଓ ଐତିହ୍ୟ ପର୍ଯ୍ୟଟନ, ଉଦ୍ୟୋଗିତା ଏବଂ ରାଜ୍ୟର ପର୍ଯ୍ୟଟନ ବ୍ୟବସ୍ଥାରେ ସ୍ଥାନୀୟ ସମୁଦାୟର ସକ୍ରିୟ ଭାଗିଦାରୀକୁ ଗୁରୁତ୍ୱ ଦେଇ ‘ବିଶ୍ୱ ପର୍ଯ୍ୟଟନ ଦିବସ ୨୦୨୬’ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି।

ଏହି ରାଜ୍ୟସ୍ତରୀୟ ସମାରୋହରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ପର୍ଯ୍ୟଟନର ପୁନଃ ପରିକଳ୍ପନା ପାଇଁ ଡିଜିଟାଲ୍ ଆଜେଣ୍ଡା ଏବଂ କୃତ୍ରିମ ବୁଦ୍ଧିମତ୍ତା (ଏଆଇ)– ବିଶ୍ୱ ପର୍ଯ୍ୟଟନ ଦିବସ ୨୦୨୬ର ଏହି ମୂଳ ଭାବନାକୁ ଆଧାର କରି ଏହି ସମାରୋହ ଆୟୋଜିତ ହୋଇଥିଲା। ଏହା ପର୍ଯ୍ୟଟନ କ୍ଷେତ୍ରକୁ ସୁଗମ, ସଂଯୋଜିତ ଏବଂ ଭବିଷ୍ୟତ-ଉପଯୋଗୀ କରିବାରେ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ଡିଜିଟାଲ୍ ସମାଧାନର ବୃଦ୍ଧିପାଉଥିବା ଭୂମିକାକୁ ଦର୍ଶାଇଥାଏ।

ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ନିଜ ବକ୍ତବ୍ୟରେ ଜୀବିକା ସୃଷ୍ଟି, ଉଦ୍ୟୋଗିତାର ବିକାଶ ଏବଂ ସ୍ଥାନୀୟ ସମୁଦାୟକୁ ଓଡ଼ିଶାର ବିକାଶ ଯାତ୍ରାରେ ମୁଖ୍ୟ ଭାଗିଦାରୀ କରିବାରେ ପର୍ଯ୍ୟଟନର ପରିବର୍ତ୍ତନକାରୀ ସାମର୍ଥ୍ୟ ଉପରେ ଆଲୋକପାତ କରିଥିଲେ। ସେ ଓଡ଼ିଶାର ପର୍ଯ୍ୟଟନ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ପର୍ଯ୍ୟଟକଙ୍କ ଅନୁଭୂତିକୁ ସମୃଦ୍ଧ କରିବା ପାଇଁ ପ୍ରଯୁକ୍ତିବିଦ୍ୟା, ନିରନ୍ତରତା, ଐତିହ୍ୟ, ନବସୃଜନ ଏବଂ ସମୁଦାୟର ସହଭାଗିତାକୁ ଏକତ୍ରିତ କରିବା ଉପରେ ଗୁରୁତ୍ୱାରୋପ କରିଥିଲେ।

କାର୍ଯ୍ୟକ୍ରମର ପର୍ଯ୍ୟଟକଙ୍କ ଯାତାୟାତ ସୁବିଧା ଓ ଭ୍ରମଣ ଅନୁଭୂତିକୁ ଉନ୍ନତ କରିବା ପାଇଁ ଓଟିଡିସି ଲକ୍ସରୀ କୋଚ୍‌ଗୁଡ଼ିକୁ ଉପମୁଖ୍ୟମନ୍ତ୍ରୀଙ୍କ ସହ ମୁଖ୍ୟ ଶାସନ ସଚିବ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ତୃଣମୂଳ ସ୍ତରର ଉଦ୍ୟୋଗିତା ଏବଂ ସ୍ଥାନୀୟ ସମୁଦାୟର ନେତୃତ୍ୱରେ ପର୍ଯ୍ୟଟନ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ ପର୍ଯ୍ୟଟନ ବିଭାଗ ଓ ଭାରତୀୟ ଷ୍ଟେଟ ବ୍ୟାଙ୍କ ମଧ୍ୟରେ ହୋମ୍‌ଷ୍ଟେଗୁଡ଼ିକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଐତିହ୍ୟ ପର୍ଯ୍ୟଟନକୁ ସୁଦୃଢ଼ କରିବା ପାଇଁ ପର୍ଯ୍ୟଟନ ବିଭାଗ ଏବଂ ଏଏସଆଇ ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଓଡ଼ିଶା ହୋମ୍‌ଷ୍ଟେ ଯୋଜନା ଅଧୀନରେ ୧୭୬ ଜଣ ହିତାଧିକାରୀଙ୍କୁ ଅସ୍ଥାୟୀ ପଞ୍ଜୀକରଣ ପ୍ରମାଣପତ୍ର ଏବଂ ସାହସିକ ପର୍ଯ୍ୟଟନ ଆୟୋଜକଙ୍କୁ ଏଲଟିଓ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା।