ଭୁବନେଶ୍ୱର : ଏସଆଇଆର ପ୍ରସଙ୍ଗରେ ବିବାଦୀୟ ହୋଇପଡିଥିବା ମୁଖ୍ୟ ନିର୍ବାଚନ କମିଶନର (ଇସିଆଇ) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦେବା ଆବଶ୍ୟକ। ଏହି ଘଟଣାକୁ ନେଇ ଜାତୀୟ ରାଜନୀତିରେ ଝଡ ସୃଷ୍ଟି ହୋଇଥିବା ବେଳେ ମୁହଁ ଖୋଲିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ। ଏଥିସହ ପୂରା ଏସଆଇଆର ପ୍ରକ୍ରିୟାର ପୁନଃସମୀକ୍ଷା ଆବଶ୍ୟକ ବୋଲି ସେ କହିଛନ୍ତି। ଏସଆଇଆର କାର୍ଯ୍ୟକ୍ରମକୁ ବିଜେଡି ପ୍ରଥମରୁ ବିରୋଧ କରୁଛି । ଏହି କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ହୋଇଛି ବୋଲି ସେ କହିଛନ୍ତି ।
ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ ‘ଭୋଟ ଚୋରି’ କେଳେଙ୍କାରୀକୁ ନେଇ ସାରା ଦେଶ ହୁଲସ୍ତୁଲ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତାଙ୍କୁ ‘ଦେଶଦ୍ରୋହୀ’ ଆଖ୍ୟା ଦେଇ ଇସ୍ତଫା ଦାବି କରିଛନ୍ତି । କକ୍ରୋଚ୍ ଜନତା ପାର୍ଟି ତାଙ୍କୁ ୨୪ ଘଣ୍ଟାର ମହଲତ ଦେଇଛନ୍ତି । ଏପରିକି ଜାତୀୟ ସ୍ତରରେ ବିରୋଧୀ ଦଳ ଇସିଆଇଙ୍କ ବିରୋଧରେ ମହାଅଭିଯୋଗ ଆଣି ତାଙ୍କୁ ବହିଷ୍କାର କରିବାକୁ ଦାବି କରୁଛନ୍ତି। ଏଭଳି ଏକ ସ୍ଥିତିରେ ନବୀନ ମଧ୍ୟ ଜାତୀୟ ରାଜନୀତିରେ ନିଜର ମତ ରଖି ଚର୍ଚ୍ଚାର ଖୋରାକ ସୃଷ୍ଟି କରିଛନ୍ତି।
ସେହିଭଳି, ଏମଏମଡିଆର ପ୍ରସଙ୍ଗରେ ଦଳର କଠୋର ଆଭିମୁଖ୍ୟ ଦୋହରାଇଛନ୍ତି ନବୀନ । ସଂସଦରେ ସଂଶୋଧନ ବିଲ୍ ପାରିତ ବେଳେ ବିଜେପିର ୨୦ ସାଂସଦ ଚୁପ୍ ରହିବାକୁ ସେ ନିନ୍ଦା କରିବା ସହ ଏହାର ପୁନଃ ସମୀକ୍ଷା ପାଇଁ ସରକାରଙ୍କ ଉପରେ ଚାପ ପକାଯିବ ବୋଲି କହିଛନ୍ତି । ଏମଏମଡିଆର ସଂଶୋଧନ ଆଇନ ରାଜ୍ୟର ରାଜସ୍ୱ ପାଇଁ ବଡ଼ କ୍ଷତି ଆଣିବ ବୋଲି ନବୀନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।
ସୂଚନାଥାଉକି,ଏମଏମଡିଆର ସଂଶୋଧନ ବିଲକୁ ନବୀନ ପ୍ରଥମରୁ ହିଁ ବିରୋଧ କରି ଆସୁଛନ୍ତି । ଏ ସମ୍ପର୍କରେ ଆଲୋଚନା ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଗ ଚିଠି ଲେଖିଥିଲେ । ଏହା ପରେ ବିଜେପି ସାଂସଦମାନଙ୍କୁ ଚିଠି ଲେଖି ଦଳମତ ନିର୍ବିଶେଷରେ ଓଡ଼ିଶା ମାଟିର ସ୍ୱାର୍ଥ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ । ନିକଟରେ ବିଧାନସଭାରେ ଏମଏମଡିଆର ଉପରେ ମୋସନ୍ ଆଣି ସ୍ୱତନ୍ତ୍ର ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଏକ ଚିଠି ଲେଖିଥିଲେ ।
ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ବିଜେଡି ପ୍ରତିବାଦ ଜାରି ରଖିଛି । ବିଧାନସଭା ଆରମ୍ଭରୁ କଂଗ୍ରେସ ଏହା ବିରୋଧରେ ସ୍ୱର ଉଠାଇଥିବା ବେଳେ ଏବେ ଉଭୟ ଦଳର ଏହା ମୁଖ୍ୟ ପ୍ରସଙ୍ଗ ହୋଇଛି । ଲଗାତର ଚତୁର୍ଥ ଦିନ ପାଇଁ ଆଜି ବିଧାନସଭା ଅଚଳ ହୋଇଛି । କଂଗ୍ରେସ ବିଧାୟକମାନେ ପ୍ଲାକାର୍ଡ ଧରି ଗୃହରେ ପ୍ରତିବାଦ ଜାରି ରଖିଥିବା ବେଳେ ବିଜେଡି ବିଧାୟକମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି । ଏମଏମଡିଆର ସଂଶୋଧନ ଆଇନ ପ୍ରତ୍ୟାହାର ନହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ଏବଂ ଆଗକୁ ବ୍ୟାପକ ହେବ ବୋଲି ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।

