ଭୁବନେଶ୍ୱର : ଏମଏମଡିଆର ପ୍ରସଙ୍ଗରେ ଚତୁର୍ଥ ଦିନ ପାଇଁ ରାଜ୍ୟ ବିଧାନସଭାର ଗୃହ କାର୍ଯ୍ୟ ଚାଲିପାରି ନାହିଁ । ବିରୋଧିମାନେ ନିଜ ଜିଦରେ ଅଟଳ ଥିବାଯୋଗୁଁ ସର୍ବଦଳୀୟ ବୈଠକ ବି ବିଫଳ ହୋଇଛି ।
ବିରୋଧି ସଦସ୍ୟମାନଙ୍କ ହଟଗୋଳ ଯୋଗୁଁ ଆଜି ପୂର୍ବାହ୍ନରେ ଗୃହ କାର୍ଯ୍ୟ ମାତ୍ର ଚାରି ମିନିଟ୍ ପାଇଁ ଚାଲିପାରିଥିଲା । ଗୃହକାର୍ଯ୍ୟ ଆରମ୍ଭରୁ ବିରୋଧି ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ହଟଗୋଳ କରିଥିଲେ । ବିରୋଧି ସଦସ୍ୟମାନଙ୍କ ହଟଗୋଳ ମଧ୍ୟରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏବଂ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ନିଜ ନିଜ ବିଭାଗର ଉତ୍ତର ରଖିଥିଲେ ।
ତେବେ ବିରୋଧି ସଦସ୍ୟମାନେ ହଟଗୋଳ ଜାରି ରଖିବାରୁ ଗୃହରେ ଅଧ୍ୟକ୍ଷତା କରୁଥିବା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକାର୍ଯ୍ୟକୁ ଅପରାହ୍ନ ଚାରିଟା ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଥିଲେ । ଅପରାହ୍ନ ଅଧିବେଶନରେ ବିରୋଧି ସଦସ୍ୟମାନେ ହଟଗୋଳ ଜାରି ରଖିଥିଲେ ।
ତେବେ ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକାର୍ଯ୍ୟ ସୁରୁଖରୁରେ ଚଳାଇବାପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ । ସର୍ବଦଳୀୟବୈଠକ ପାଇଁ ଗୃହ ବାରମ୍ବାର ମୁଲତବି ହୋଇଥିଲା । ବିରୋଧି ସଦସ୍ୟମାନେ କିନ୍ତୁ ହଟଗୋଳ ଜାରି ରଖିଥିଲେ । ହଟଗୋଳ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ୪ଟି ରିପୋର୍ଟ ଉପସ୍ଥାପନ କରିଥିବାବେଳେ ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଗୋଟିଏ ପ୍ରସ୍ତାବ ଆଗତ କରିଥିଲେ । ବିରୋଧିଙ୍କ ହଟଗୋଳ ଜାରି ରହିବାରୁ ଉପବାଚସ୍ପତି ଗୃହକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ମୁଲତବି ଘୋଷଣା କରିଛନ୍ତି ।

