ଭୁବନେଶ୍ୱର : ପତ୍ର ସୂଚନା କାର୍ଯ୍ୟାଳୟ, (ପିଆଇବି) ଭୁବନେଶ୍ୱର ନେତୃତ୍ୱରେ ଓଡ଼ିଶାର ଏକ ଗଣମାଧ୍ୟମ ପ୍ରତିନିଧି ଦଳ ଆଜି ଆସାମ ଦିଗବୋଇସ୍ଥିତ ଇଣ୍ଡିଆନ୍ ଅଏଲ୍ କର୍ପୋରେସନ ଲିମିଟେଡ୍ (ଆଇଓସିଏଲ)ର ବିଶୋଧନାଗାର ପରିଦର୍ଶନ କରିଛନ୍ତି । ଏହି ବିଶୋଧନାଗାର ପରିବେଶ ସୁରକ୍ଷା ଓ ସ୍ୱଚ୍ଛ ଇନ୍ଧନ ଭବିଷ୍ୟତ ଦିଗରେ ଭାରତର ପ୍ରୟାସରେ ଅଗ୍ରଣୀ ଭୂମିକା ନିର୍ବାହ କରୁଛି ।
ବିଶୋଧନାଗାରର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ତଥା ମୁଖ୍ୟ ଶ୍ରୀ ରାହୁଲ ପ୍ରଶାନ୍ତ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଦିଗବୋଇର ଇତିହାସ ବିଷୟରେ ସୂଚନା ଦେଇଥିଲେ । ସେମାନେ କହିଥିଲେ, ଉନବିଂଶ ଶତାବ୍ଦୀରେ ଏଠାରେ ତୈଳ ଅନୁସନ୍ଧାନ ହୋଇଥିଲା । ସେବେଠାରୁ ଏହି ସ୍ଥାନ ଭାରତର ଏକ ପ୍ରମୁଖ ଶିଳ୍ପ କ୍ଷେତ୍ର ରୂପେ ବିକଶିତ ହୋଇଛି । ଅଧିକାରୀମାନେ ଏଠାରେ ତୈଳ ସନ୍ଧାନ ସମ୍ପର୍କରେ ଏକ ରୋଚକ କାହାଣୀ କହିଥିଲେ । ସେମାନେ କହିଥିଲେ, ପ୍ରଥମେ ଏଠାରେ ‘ରୂପକଲି’ ନାମକ ଗୋଟିଏ ମାଈ ହାତୀର ପାଦ ତେଲରେ ଖସୁଥିବା ଦେଖିବାକୁ ମିଳିଥିଲା । ସେହି ହାତୀର ପାଦ ଚିହ୍ନକୁ ଠାବ କରି ମାଟି ତଳେ ତୈଳ ଭଣ୍ଡାର ଥିବା ଜଣାପଡ଼ିଥିଲା ।
୧୮୮୯ରେ ଦିଗବୋଇରେ ପ୍ରଥମ ବ୍ୟବସାୟିକ ତୈଳ କୂପ ଖୋଳାଯାଇଥିଲା। ଏହାପରେ ୧୯୦୧ରେ ବିଶୋଧନାଗାର କାର୍ଯ୍ୟକ୍ଷମ ହୋଇଥିଲା । ଦିଗବୋଇ ବର୍ତ୍ତମାନ ବିଶ୍ୱର ସବୁଠୁ ପୁରୁଣା ନିରନ୍ତର ଭାବେ ଚାଲୁଥିବା ବାଣିଜ୍ୟିକ ତୈଳ ବିଶୋଧନାଗାର ମାନ୍ୟତା ହାସଲ କରିଛି ।
ଓଡ଼ିଶାର ସାମ୍ବାଦିକ ପ୍ରତିନିଧି ଦଳକୁ ଆଇଓସିଏଲର ସମନ୍ୱିତ ବିଶୋଧନାଗାର କ୍ଷମତା ଏବଂ ଭବିଷ୍ୟତର ଇନ୍ଧନ ଉଦ୍ୟୋଗ ପାଇଁ ଏହାର କ୍ରମାଗତ ପରିବର୍ତ୍ତନ ବିଷୟରେ ସୂଚନା ଦିଆଯାଇଥିଲା । ଦଶଟି ବିଶୋଧନାଗାର ଗ୍ରୁପ୍ ମାଧ୍ୟମରେ ଇଣ୍ଡିଆନ୍ ଅଏଲ ବର୍ତ୍ତମାନ ବାର୍ଷିକ ୮୦.୭୫ ଏମଏମଟିପିଏ କ୍ଷମତା ସହ କାର୍ଯ୍ୟ କରୁଛି । ଭାରତରେ ଯେତିକି ତୈଳ ବିଶୋଧନ ହେଉଛି ଇଣ୍ଡିଆନ୍ ଅଏଲ୍ ର ସେଥିରେ ୩୧ ପ୍ରତିଶତ ଅଂଶଧନ ରହିଛି । ଦିଗବୋଇ ଠାରେ ଆଇଓସିଏଲର ବିଶୋଧନ କ୍ଷମତା ୦.୬୫ ଏମଏମଟିପିଏ ଥିବା ବେଳେ ଏହାକୁ ୧ ଏମଏମଟିପିଏକୁ ବଢ଼ାଇବା ଦିଗରେ କାର୍ଯ୍ୟ କରାଯାଉଛି । ଏହା କ୍ଷେତ୍ରୀୟ ଇନ୍ଧନ ଯୋଗାଣକୁ ପ୍ରେତ୍ସାହିତ କରିବ ।
ଇଣ୍ଡିଆନ୍ ଅଏଲ ସବୁଜ ଶକ୍ତି ଗ୍ରହଣୀୟତାକୁ ମଧ୍ୟ ତ୍ୱରାନ୍ୱିତ କରୁଛି । ଏହାର ସୌର କ୍ଷମତା ୨୫୮ ମେଗାୱାଟ୍ ଥିବା ବେଳେ ଦିଲ୍ଲୀ ଏନସିଆର ଅଞ୍ଚଳରେ କମ୍ପାନୀ ପକ୍ଷରୁ ୧୫ଟି ହାଇଡ୍ରୋଜେନ୍ ବସ୍ ଚଳାଚଳ କରାଯାଉଛି । ସେହିପରି ବାଣିଜ୍ୟିକ ସବୁଜ ହାଇଡ୍ରୋଜେନ୍ ଉତ୍ପାଦନ କ୍ଷେତ୍ରରେ ମଧ୍ୟ ଆଇଓସିଏଲ୍ କାର୍ଯ୍ୟ କରୁଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଦିଗବୋଇ ବିଶୋଧନାଗାରର ୮୦ରୁ ୮୫ ପ୍ରତିଶତ ଶିଳ୍ପ ଜଳ ଆବଶ୍ୟକତା ବର୍ଷା ଜଳ ସଂରକ୍ଷଣ ମାଧ୍ୟମରେ ପୂରଣ କରାଯାଉଛି । ଏହାର ଗୋଟିଏ ୨୮ ହଜାର କ୍ୟୁବିକ୍ ମିଟର କ୍ଷମତା ବିଶିଷ୍ଟ ଜଳଭଣ୍ଡାର ରହିଛି ।
କଠୋର ପରିବେଶଗତ ସୁରକ୍ଷା ବ୍ୟବସ୍ଥା ସହ ଏଠାରେ ୨୪ ଘଣ୍ଟିଆ କାର୍ଯ୍ୟ ପରିଚାଳନା ହୋଇଥାଏ । ଏଠାରେ ପ୍ରଦୂଷଣ ଓ ବର୍ଜ୍ୟ ହ୍ରାସ ପାଇଁ ସ୍ୱତନ୍ତ୍ର ଉପଚାର ପ୍ଲାଣ୍ଟ ରହିଛି । ଏହାବ୍ୟତୀତ ବିଶୋଧନାଗାର ପରିସରରେ ପାଖାପାଖି ୫୪ ପ୍ରତିଶତ ଭାଗ ସବୁଜ ବୃକ୍ଷରାଜିରେ ଘେରି ରହିଛି । ଶେଷରେ ସାମ୍ବାଦିକମାନେ ଦିଗବୋଇର ଶହେ ବର୍ଷ ପୁରୁଣା ତୈଳ ସଂଗ୍ରହାଳୟ ଏବଂ ଆବିଷ୍କାର କୂପ ବୁଲି ଦେଖିଥିଲେ । ସେମାନେ ଉନବିଂଶ ଶତାବ୍ଦୀର କେବୁଲ-ଟୁଲ୍ ଡ୍ରିଲିଂ ରିଗ୍, ପୁରୁଣା ଉପକରଣ ଏବଂ ଭାରତରେ ତୈଳ ଅନୁସନ୍ଧାନର ପ୍ରାରମ୍ଭିକ ବର୍ଷଗୁଡ଼ିକ ସମ୍ପର୍କରେ ସୂଚନା ସଂଗ୍ରହ କରିଥିଲେ । ଦିଗବୋଇରେ ଭାରତର ପେଟ୍ରୋଲିୟମ ଯୁଗର ପ୍ରାରମ୍ଭ ଏବଂ ଦୀର୍ଘସ୍ଥାୟୀ ଇନ୍ଧନ ଭବିଷ୍ୟତ ଲାଗି ଜାରି ରହିଥିବା ପ୍ରୟାସ ଦେଖି ଗଣମାଧ୍ୟମ ପ୍ରତିନିଧିମାନେ ପ୍ରଭାବିତ ହୋଇଥିଲେ ।

