Home Assembly ଏମଏମଡିଆର୍ ଓ ପାଠ୍ୟପୁସ୍ତକ ପ୍ରସଙ୍ଗରେ ଗୃହ ଅଚଳ

ଏମଏମଡିଆର୍ ଓ ପାଠ୍ୟପୁସ୍ତକ ପ୍ରସଙ୍ଗରେ ଗୃହ ଅଚଳ

ଭୁବନେଶ୍ୱର : ଓଡ଼ିଶା ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରୁ ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଯୋଗୁ ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ଗୃହରେ ଶୋକପ୍ରସ୍ତାବ ପାରିତ ହେବାପରେ ବିରୋଧୀ ବିଜେଡି ଓ କଂଗ୍ରେସ ବିଧାୟକମାନଙ୍କ ହଟ୍ଟଗୋଳ ଯୋଗୁ ଗୃହ ଚାଲିବା ସମ୍ଭବପର ହୋଇପାରିନାହିଁ। କଂଗ୍ରେସ ଏମଏମଡିଆର ଆକ୍ଟ ପ୍ରସଙ୍ଗରେ ଓ ବିଜେଡି ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଗୃହ ଭିତରେ ହଟ୍ଟଗୋଳ କରି ରାଜ୍ୟର ବିଜେପି ସରକାରଙ୍କୁ ଘେରିବାକୁ ଉଦ୍ୟମ କରିଛନ୍ତି। ବିଜେଡି ବିଧାୟକମାନେ ବିଧାନସଭାରୁ ଚାଲିଚାଲି ଯାଇ ଲୋୟର ପିଏମଜିଠାରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଚାଲିଥିବା ଧାରଣାରେ ସାମିଲ ହୋଇଥିଲେ।

ସପ୍ତଦଶ ବିଧାନସଭାର ସପ୍ତମ ଅଧିବେଶନ ଆଜି ପୂର୍ବାହ୍ନ ୧୧ଟାରେ ବାଚସ୍ପତି ସୁରମା ପାଢ଼ୀ ଗୃହରେ ପହଂଚିବା ପରେ ବନ୍ଦେ ମାତରମ୍ ଓ ଜାତୀୟ ସଙ୍ଗୀତ ଗାନ ସହ ଆରମ୍ଭ ହୋଇଥିଲା। ଗୃହର ନେତା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିବଂଗତ ସଦସ୍ୟଙ୍କ ସମେତ ନେପାଳ ଜଳପ୍ରଳୟରେ ପ୍ରାଣ ହରାଇଥିବା ବ୍ୟକ୍ତିମାନଙ୍କ ସମ୍ମାନରେ ଶୋକପ୍ରସ୍ତାବ ଆଗତ କରିଥିଲେ। ସେହି ଦିବଂଗତଙ୍କ ଆତ୍ମାର ସଦଗତି ପାଇଁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ, ସିପିଆଇ ନେତା ଲକ୍ଷ୍ମଣ ମୁଣ୍ଡା ଓ ବାଚସ୍ପତି ଶୋକ ବ୍ୟକ୍ତ କରିଥିଲେ। ପରେ ଗୃହରେ ଏକ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।

ଶୋକ ପ୍ରସ୍ତାବ ଶେଷ ହେବାମାତ୍ରେ ଗୃହର ବାତାବରଣ ସରଗରମ ହୋଇପଡ଼ିଥିଲା। ପ୍ରଶ୍ନକାଳ ଆରମ୍ଭ ହେବାମାତ୍ରେ ବିରୋଧୀ ବିଜେଡି ଓ କଂଗ୍ରେସ ସଦସ୍ୟମାନେ ଗୃହରେ ହଟ୍ଟଗୋଳ କରିଥିଲେ। କଂଗ୍ରେସ ବିଧାୟକମାନେ ଏମଏମଡିଆର ଆକ୍ଟ ଓ ବିଜେଡି ବିଧାୟକମାନେ ପାଠ୍ୟପୁସ୍ତକ ତ୍ରୁଟି ପ୍ରସଙ୍ଗରେ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ହଟ୍ଟଗୋଳ କରିଥିଲେ । ଫଳରେ ବାଚସ୍ପତି ଗୃହକୁ ୧୧.୩୮ମିନିଟରେ ଦିନ ୧ଟା ୧୦ମିନିଟ୍ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

ତେବେ ଗୃହ ପୁଣିଥରେ ୧ଟା ୧୦ମିନିଟରେ ଆରମ୍ଭ ହେବାମାତ୍ରେ ବିଜେଡି ଓ କଂଗ୍ରେସ ବିଧାୟକମାନେ ପ୍ଲାକାର୍ଡ ଧରି ବାଚସ୍ପତିଙ୍କ ପୋଡ଼ିୟମ ସମ୍ମୁଖରେ ପ୍ରବଳ ହଟ୍ଟଗୋଳ କରିଥିଲେ। ଗୃହ ପରିଚାଳନା ସମ୍ଭବପର ନହେବାରୁ  ଉପବାଚସ୍ପତି ଭବାନୀ ଶଙ୍କର ଭୋଇ ଗୃହକୁ ୧ଟା ୧୧ମିନିଟରେ ପୁଣିଥରେ ୪ଟା ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଥିଲେ।

ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରି କହିଥିଲେ ଯେ, ବିଜେପି ସରକାରର ମନ୍ତ୍ରୀମାନେ କାଲ, ମୂକ ଓ ବଧିର ସାଜିଛନ୍ତି । ପ୍ରଥମରୁ ଅଷ୍ଟମ ଶ୍ରେଣୀ ପାଠ୍ୟପୁସ୍ତକରେ ୧୬୭୮ଟି ସାଂଘାତିକ ଭୁଲ ରହିବା, ଓଡ଼ିଶା ବିଧାନସଭାର ଭୁଲ ଫଟୋ ଛାପିବା ଓ ଓଡ଼ିଆ ବର୍ଣ୍ଣମାଳା ବିଭ୍ରାଟ ଯୋଗୁ କୋଟିକୋଟି ଟଙ୍କା ପାଣିରେ ପଡ଼ିଥିଲେ ମଧ୍ୟ ସରକାର କେବଳ ଅଫିସରଙ୍କ ଉପରେ ଦୋଷ ଲଦି ଖସିଯିବାକୁ ଚେଷ୍ଟା କରୁଛନ୍ତି। ଏହାର ନୈତିକ ଉତ୍ତରଦାୟିତ୍ୱ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ନିଅନ୍ତୁ ଓ ସେ ଇସ୍ତଫା ନଦେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି।

ଅନ୍ୟପକ୍ଷରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ କହିଛନ୍ତି ଯେ, ସରକାର ସମସ୍ତ ବିଷୟରେ ଗୃହରେ ଆଲୋଚନା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ତ୍ରୁଟିପୂର୍ଣ୍ଣ ବହି ପାଇଁ ଦାୟୀ ଥିବା ଅଧିକାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ଏଥିସହ ପ୍ରାୟ ୫୦ ହଜାରରୁ ଊର୍ଦ୍ଧ୍ୱ ସଂଶୋଧିତ ପୁସ୍ତକ ବଣ୍ଟନ କରାଯାଇସାରିଛି ଓ କୌଣସି ପିଲା ସଠିକ୍ ପାଠରୁ ବଂଚିତ ହେବେନାହିଁ।