Home General ଓଡ଼ିଶା ଅପେକ୍ଷା ଗୁଜରାଟରେ ଅଧିକ ଗରିବ

ଓଡ଼ିଶା ଅପେକ୍ଷା ଗୁଜରାଟରେ ଅଧିକ ଗରିବ

ଭୁବନେଶ୍ୱର : ଓଡ଼ିଶା ଅପେକ୍ଷା ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ଅଧିକ ଗରିବ ଲୋକ ରହୁଛନ୍ତି । ଏଥିପାଇଁ ଓଡ଼ିଶା ତୁଳନାରେ ଏହି ରାଜ୍ୟଗୁଡ଼ିକୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଅଧିକ ପରିମାଣର ମାଗଣା ଖାଦ୍ୟଶସ୍ୟ ଦିଆଯାଉଛି ।

କେନ୍ଦ୍ର ସରକାରଙ୍କ ହିସାବ ମୁତାବକ ସାରା ଦେଶରେ ପ୍ରାୟ ୮୦ କୋଟି ଲୋକଙ୍କୁ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଚାଉଳ, ଗହମ ଆଦି ଯୋଗାଯାଉଛି । ଏଥିପାଇଁ ଚଳିତବର୍ଷର କେନ୍ଦ୍ରୀୟ ବଜେଟ୍‍ରେ ୨,୨୭,୪୨୯ କୋଟି ଟଙ୍କାର ବ୍ୟୟ ବରାଦ ରହିଛି । ଦେଶର ଜନସଂଖ୍ୟା ପ୍ରାୟ ୧୪୦ କୋଟି ବୋଲି କୁହାଯାଉଥିବାବେଳେ ୮୦ କୋଟିରୁ ଅଧିକ ଲୋକଙ୍କୁ ଗରିବ ଦର୍ଶାଇ ସେମାନଙ୍କ ଲାଗି ମାଗଣା ଖାଦଶସ୍ୟ ଯୋଗାଯାଉଥିବା ଆମ ବ୍ୟବସ୍ଥା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରିଛି । ଦେଶର ଆର୍ôଥକ ଅଭିବୃଦ୍ଧି ଘଟୁଛି ଏବଂ ଦରିଦ୍ର ସୀମାରେଖା ଉପରକୁ ଅଧିକରୁ ଅଧିକ ଲୋକ ଉଠୁଛନ୍ତି ବୋଲି କୁହାଯାଉଥିବାବେଳେ ଏତେ ସଂଖ୍ୟକ ଲୋକଙ୍କୁ ସରକାରୀ ତାଲିକାରେ ଗରିବ ଦର୍ଶାଯାଉଛି ।

ଗତ ଜୁଲାଇ ମାସରେ କେନ୍ଦ୍ର ସରକାର ଦେଇଥିବା ହିସାବ ମୁତାବକ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଓଡ଼ିଶାର ୩,୨୧,୯୩,୦୫୯ ଜଣ ହିତାଧିକାରୀ ରହିଛନ୍ତି । ତେବେ ଦେଶର ଅନ୍ୟତମ ସମୃଦ୍ଧ ରାଜ୍ୟ ବୋଲି କୁହାଯାଉଥିବା ଗୁଜରାଟରେ ଏମାନଙ୍କ ସଂଖ୍ୟା ୩,୩୮,୪୨,୯୩୫ ବୋଲି ଦର୍ଶାଯାଇଛି । ଉତ୍ତରପ୍ରଦେଶରେ ପ୍ରାୟ ୧୪ କୋଟି ୬୭ଲକ୍ଷ ଓ ପଶ୍ଚିମବଙ୍ଗରେ ୬ କୋଟିରୁ ଅଧିକ ଲୋକ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀ ରହିଛନ୍ତି । ରାଜସ୍ତାନରେ ୪ କୋଟି ୩୮ଲକ୍ଷ, ମହାରାଷ୍ଟ୍ରରେ ୬ କୋଟି ୭୭ ଲକ୍ଷ, ମଧ୍ୟପ୍ରଦେଶରେ ୫ କୋଟି ୪୧ଲକ୍ଷ, କର୍ଣ୍ଣାଟକରେ ୪ କୋଟି ଓ ବିହାରରେ ୮ କୋଟି ୨୩ଲକ୍ଷରୁ ଅଧିକ ଲୋକ ଏହି ଯୋଜନାରେ ମାଗଣା ଖାଦ୍ୟଶସ୍ୟ ପାଉଛନ୍ତି ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ୨୦୨୦ ଏପ୍ରିଲ ମାସରେ ଆରମ୍ଭ ହୋଇଥିଲା । କରୋନା ଯୋଗୁ ଗରିବ ପରିବାରଗୁଡ଼ିକ ପ୍ରବଳ ଆର୍ôଥକ ଚାପର ସମ୍ମୁଖୀନ ହେଉଥିବାବେଳେ ସେମାନଙ୍କୁ ସହାୟତା କରିବା ପାଇଁ ଏହି ଯୋଜନା ଆରମ୍ଭ କରାଯାଇଥିଲା । ଅବଶ୍ୟ ଏହା ପୂର୍ବରୁ ୟୁପିଏ ସରକାର ସମୟରେ କେନ୍ଦ୍ରୀୟ ଖାଦ୍ୟ ନିରାପତ୍ତା ଯୋଜନା ଆରମ୍ଭ ହୋଇଥିଲା । ସେତେବେଳେ କେନ୍ଦ୍ର ସରକାର ବଜାରରେ ଏଫ୍‍ସିଆଇ ମାଧ୍ୟମରେ ଚାଉଳ, ଗହମ ଭଳି ପ୍ରମୁଖ ଖାଦ୍ୟଶସ୍ୟ ସଂଗ୍ରହ କରି ହିତାଧିକାରୀମାନଙ୍କ ମଧ୍ୟରେ ବଣ୍ଟନ ଲାଗି ରାଜ୍ୟଗୁଡ଼ିକୁ କିଲୋ ୩ଟଙ୍କା ଦରରେ ଯୋଗାଉଥିଲେ । ଅନେକ କ୍ଷେତ୍ରରେ ରାଜ୍ୟ ସରକାରମାନେ ଏହା ଉପରେ ଟଙ୍କାଏ କିମ୍ବା ୨ଟଙ୍କା ସବ୍‍ସିଡି ଦେଇ ଲୋକଙ୍କୁ ଟଙ୍କିକିଆ କିମ୍ବା ଦୁଇଟଙ୍କିଆ ଚାଉଳ ବାଣ୍ଟୁଥିଲେ । ତେବେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆସିବା ପରେ ଆଉ ଲୋକଙ୍କୁ ଏ ବାବଦରେ ପଇସା ଦେବାକୁ ପଡୁନାହିଁ ।

ଏହି ମାଗଣା ଚାଉଳ ସଂଗ୍ରହ ପାଇଁ କେନ୍ଦ୍ର ସରକାରଙ୍କୁ କିଲୋ ପିଛା ପ୍ରାୟ ୪୦ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି । ତେବେ ବିଭିନ୍ନ ରାଜ୍ୟରୁ ଅଭିଯୋଗ ଆସୁଛି ଯେ ବହୁ କ୍ଷେତ୍ରରେ ଅନେକ ସ୍ୱଚ୍ଛଳ ବ୍ୟକ୍ତି ନିଜକୁ ଗରିବ ଦର୍ଶାଇ ଉକ୍ତ ଯୋଜନାରୁ ଫାଇଦା ଉଠାଉଛନ୍ତି । ଓଡ଼ିଶାରେ ଏହି ମାଗଣା ଚାଉଳ ବଣ୍ଟନରେ ଅନ୍ୟୁନ ୨୮ ପ୍ରତିଶତ ହେର୍‍ଫେର୍‍ ହେଉଛି ବୋଲି ସର୍ଭେ ରିପୋର୍ଟରେ କୁହାଯାଉଥିବାବେଳେ ବାସ୍ତବରେ କିନ୍ତୁ ଅଯୋଗ୍ୟ ହିତାଧିକାରୀଙ୍କ ସଂଖ୍ୟା ଢେର ଅଧିକ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।(ତଥ୍ୟ)