Home Banking କମୁଛି ବ୍ୟାଙ୍କ୍‍ ଏଟିଏମ୍‍ ସଂଖ୍ୟା

କମୁଛି ବ୍ୟାଙ୍କ୍‍ ଏଟିଏମ୍‍ ସଂଖ୍ୟା

ଭୁବନେଶ୍ୱର : ୟୁପିଆଇ ପେମେଣ୍ଟର ନୂଆ ନିୟମକୁ ଦେଖି ଲୋକେ ପୁଣି ନଗଦ କାରବାର ଚିନ୍ତାରେ ଥିବାବେଳେ ବ୍ୟାଙ୍କ୍‍ମାନଙ୍କର ଏଟିଏମ ସଂଖ୍ୟା କିନ୍ତୁ କମିବାରେ ଲାଗିଛି । ବିଶେଷକରି ୟୁପିଆଇର ବ୍ୟବହାର ଯୋଗୁଁ ବ୍ୟାଙ୍କ୍‍ଗୁଡିକର ଏଟିଏମ୍‍ ଅଲୋଡା ହେବାପରେ ସଂଖ୍ୟା ହ୍ରାସ କରିବାରେ ଲାଗିଛନ୍ତି ।

ବ୍ୟାଙ୍କ୍‍ ଖାତାଧାରୀମାନେ ନଗଦ ଅର୍ଥ ପାଇଁ ସାଧାରଣତଃ ବ୍ୟାଙ୍କ୍‍ ଶାଖା ବଦଳରେ ଏଟିଏମରୁ ହିଁ ଟଙ୍କା ଉଠାଇଥାନ୍ତି । ଗୋଟିଏ ବ୍ୟାଙ୍କ୍‍ର କାର୍ଡଧାରୀ ଯେକୌଣସି ବ୍ୟାଙ୍କ୍‍ର ଏଟିଏମ୍‍ରୁ ଟଙ୍କା ବାହାର କରିବାର ସୁବିଧା ରହିଛି । ଏଥିପାଇଁ ସହରାଞ୍ଚଳରେ ପ୍ରାୟ ସମସ୍ତ ବ୍ୟାଙ୍କ୍‍ ନିଜ ନିଜ ଗ୍ରାହକଙ୍କ ସୁବିଧା ପାଇଁ ଏକାଧିକ ଏଟିଏମ୍‍ ବସାଇଥିବାବେଳେ ଗାଁ ଗହଳରେ ମଧ୍ୟ ସେମାନଙ୍କର ବ୍ୟବସାୟ ବୃଦ୍ଧି ପାଇଁ ଏହି ସୁଯୋଗ ଉପଲବ୍ଧ କରିଥିଲେ । ତେବେ ୟୁପିଆଇର ବହୁଳ ବ୍ୟବହାର ଯୋଗୁଁ ଲୋକେ ଆଉ ଏଟିଏମ୍‍ରୁ ପୂର୍ବଭଳି ଟଙ୍କା ଉଠାଇଲେ ନାହିଁ । ଫଳରେ ବ୍ୟାଙ୍କ୍‍ଗୁଡିକ ଧିରେ ଧିରେ ସମାନଙ୍କର ଏଟିଏମ ସଂଖ୍ୟା କମାଇଦେଲେ ।

ସୂଚନା ଅନୁଯାୟୀ ଗତ ବର୍ଷ ମଧ୍ୟରେ ବିଭିନ୍ନ ବ୍ୟାଙ୍କ୍‍ ୪୬୩ଟି ଏଟିଏମ୍‍ ବନ୍ଦ କରିଦେଇଛନ୍ତି । ଏଥିରେ ସର୍ବାଧିକ ରହିଛି ଭାରତୀୟ ଷ୍ଟେଟ୍‍ ବ୍ୟାଙ୍କ୍‍ର । ଗତବର୍ଷ ଜୁନ୍‍ ସୁଦ୍ଧା ଏସବିଆଇର ରାଜ୍ୟରେ ୩୩୯୦ଟି ଏଟିଏମ୍‍ ଥିବାବେଳେ ଚଳିତବର୍ଷ ଜୁନ୍‍ ସୁଦ୍ଧା ଏଥିରୁ ୨୩୯ଟି ହ୍ରାସ ପାଇ ୩୧୫୧ରେ ପହଞ୍ଚିଛି । ସେହିଭଳି ଆକ୍ସିସ ବ୍ୟାଙ୍କ୍‍ ତାହାର ଏଟିଏମ ସଂଖ୍ୟା ଏହି ସମୟ ମଧ୍ୟରେ ୧୫୦ଟି କମାଇ ଦେଇଥିବାବେଳେ ଆଇସଆଇସିଆଇ ୩୩ଟି, କାନାରାବ୍ୟାଙ୍କ୍‍ ୧୪ଟି, ସେଣ୍ଟ୍ରାଲ ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆ ୧୧ଟି ହ୍ରାସ କରିଛି । ଏହି ତାଲିକାରେ ପଞ୍ଜାବ ନେସନାଲ ବ୍ୟାଙ୍କ୍‍ର ୫ଟି ଏଟିଏମ୍‍ ଥିବାବେଳେ ବ୍ୟାଙ୍କ୍‍ ଅଫ୍‍ ଇଣ୍ଡିଆର ୪ଟି, ବନ୍ଧନ ବ୍ୟାଙ୍କ୍‍ର ୨ଟି, ଲକ୍ଷ୍ମୀ ବିଳାସ ବ୍ୟାଙ୍କ୍‍, ଆଇଡିବିଆଇ ଓ ଇଣ୍ଡସ ଇଣ୍ଡ୍‍ ବ୍ୟାଙ୍କ୍‍ ଗୋଟିଏ କରି ବନ୍ଦ କରିଛନ୍ତି ।

ବର୍ତ୍ତମାନ ୟୁପିଆଇର ନୂତନ ପେମେଣ୍ଟ ବ୍ୟବସ୍ଥାରେ ବ୍ୟବସାୟୀଙ୍କ ପାଇଁ ୨ହଜାର ଟଙ୍କାରୁ ଅଧିକ ଅର୍ଥ ୟୁପିଆଇ ଜରିଆରେ ଗ୍ରହଣ କଲେ ଟିକସ ଦେବାକୁ ପଡିବ ବୋଲି ପ୍ରଚାର ପରେ ବ୍ୟବସାୟୀମାନେ ୟୁପିଆଇ ଜରିଆରେ ଅର୍ଥ ନେବେନାହିଁ ବୋଲି କହିଲେଣି । ତେଣୁ ବଜାରରେ ନଗଦ କାରବାର ନିଶ୍ଚିତ ବଢିବ ବୋଲି ଆର୍ଥିକ ବିଶେଷଜ୍ଞମାନେ ଆକଳନ କରୁଛନ୍ତି ।

ଏଭଳି ସ୍ଥିତିରେ ବ୍ୟାଙ୍କ୍‍ଗୁଡିକର ଏଟିଏମ୍‍ ହ୍ରାସ ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି । କାରଣ ସେମାନେ ବ୍ୟାଙ୍କ୍‍ ଶାଖାକୁ ଯାଇ ଅର୍ଥ ଉଠାଇବା ଏକ ପ୍ରକାରା ପାଶୋରୀ ଦେଲେଣି । ଲୋକଙ୍କ ଭିଡ ହ୍ରାସ ଯୋଗୁଁ ବ୍ୟାଙ୍କ୍‍ଗୁଡିକ ମଧ୍ୟ କର୍ମଚାରୀ ସଂଖ୍ୟା ହ୍ରାସ କରିଛନ୍ତି । ସେହିଭଳି ୟୁପିଆଇ ଯୋଗୁଁ ଏଟିଏମ୍‍ ଏକ ପ୍ରକାର ଅଚଳ ହେବାପରେ ବ୍ୟାଙ୍କ୍‍ଗୁଡିକ ନିଜର ଅର୍ଥ ସଞ୍ଚୟପାଇଁ ତାହାକୁ ମଧ୍ୟ ବନ୍ଦ କରିବାରେ ଲାଗିଛନ୍ତି । ଏଭଳି ସ୍ଥିତିରେ ଲୋକେ ନଗଦ ଅର୍ଥ କେଉଁଠୁ ଆଣି କାରବାର କରିବେ ତାହାକୁ ନେଇ ଚିନ୍ତାରେ ପଡିଥିବାବେଳେ ୟୁପିଆଇର ନୂତନ ପେମେଣ୍ଟ ନିୟମକୁ ନେଇ ଏବେ ରାଜନୀତି ଜୋର ଧରିବା ସହିତ ସାଧାରଣ ଲୋକେ ବି ତର୍ଜମା କରିବାରେ ଲାଗିଛନ୍ତି । (ତଥ୍ୟ)