ଭୁବନେଶ୍ୱର : କଟକର ନରାଜ ଠାରେ ୮୭୦ ଏକର ଜମିରେ ‘ଓଡ଼ିଶା ସିଲିକନ୍ ଭ୍ୟାଲି’ ପ୍ରତିଷ୍ଠା କରିବା ପାଇଁ ରାଜ୍ୟ ସରକାରଙ୍କ ଘୋଷଣା ଉପରେ ମହାନଦୀ ବଞ୍ଚାଅ ଆନ୍ଦୋଳନ ଗଭୀର ଉଦ୍ବେଗ ପ୍ରକାଶ କରିଛି। ସଂଗଠନ କହିଛି ଯେ ଶିଳ୍ପ ବିକାଶ ପାଇଁ ମହାନଦୀକୁ ଏକ ଅସୀମ ଜଳଭଣ୍ଡାର ଭାବେ ବ୍ୟବହାର କରାଯାଇପାରିବ ନାହିଁ।
ପ୍ରସ୍ତାବିତ ସିଲିକନ୍ ଭ୍ୟାଲିରେ ଅନେକ ସେମିକଣ୍ଡକ୍ଟର, ଆଇଟି ଇଲୋକଟ୍ରୋନିକ୍ସ ପ୍ରକଳ୍ପ ପ୍ରତିଷ୍ଠା ହେବ ଯାହା ପ୍ରଚୁର ପାଣି ଆବଶ୍ୟକ କରେ । ମହାନଦୀ ଜଳ ଉପରେ ଆଖି ରଖି ସରକାର ଏହି ସିଲିକନ୍ ଭ୍ୟାଲି ପ୍ରତିଷ୍ଠା କରିବା ପାଇଁ ଯୋଜନା କରୁଛନ୍ତି । ଏହା ମହାନଦୀର ନିରନ୍ତର ପ୍ରବାହ ଓ ତଳମୁଣ୍ଡରେ ଜଳର ଆବଶ୍ୟକତା ଉପରେ ଗଭୀର ପ୍ରଭାବ ପକେଇବ । ଶିଳ୍ପ ପାଇଁ ସରକାର କଣ ମହାନଦୀ କୁ ମାରିଦେବେ କି ?
ପୁଣି ଆଦାନୀ ଗୃପର ୧ ଗିଗାୱାଟ୍ ଏଆଇ ଡାଟା ସେଣ୍ଟର କୁ ନେଇ ଆମର ଉଦବେଗ ଆହୁରି ବଢୁଛି । ଏହି ପ୍ରକଳ୍ପରେ ପ୍ରାୟ ୧ ଲକ୍ଷ କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରସ୍ତାବ ରହିଛି ଏବଂ କଟକକୁ ସମ୍ଭାବ୍ୟ ସ୍ଥାନ ଭାବେ ବିଚାର କରାଯାଇଛି । ଏଠାରେ ମଧ୍ୟ ମହାନଦୀର ଜଳ ଉପରେ ଆଖି ପକାଇଛନ୍ତି ସରକାର । ଏହି ପ୍ରକଳ୍ପ ପ୍ରଚୁର ପାଣି ଆବଶ୍ୟକ କରେ ଯାହା ମହାନଦୀ ପାଖରେ ନହିଁ । ଏହି ଡାଟା ସେଣ୍ଟର ପାଇଁ ପ୍ରକୃତ ଜଳ ଆବଶ୍ୟକତାକୁ ସ୍ପଷ୍ଟ ଅନୁଧ୍ୟାନ ନକରି କୌଣସି ସ୍ଥାନ ଚୟନ କିମ୍ବା ଜଳ ଆବଣ୍ଟନ କରାଯିବା ଉଚିତ ନୁହେଁ ।
ଏ ସମ୍ପର୍କରେ ପୂର୍ବରୁ ଏକ ଗୁରୁତ୍ୱପୂର୍ଣ୍ଣ ନଜିର ରହିଛି। ପାରାଦୀପ ରିଫାଇନେରୀ ପାଇଁ ଜୋବ୍ରା ବ୍ୟାରେଜ୍ ଉପରମୁଣ୍ଡରୁ ମହାନଦୀ ଜଳ ଉଠାଣ ସମ୍ପର୍କିତ ଆଇଓସିଏଲ୍ ମାମଲାରେ ଓଡ଼ିଶା ହାଇକୋର୍ଟ ଚିନ୍ତା ପ୍ରକଟ କରିଛନ୍ତି ଓ ଶିଳ୍ପ ପାଇଁ ଜଳ ଉଠାଣ ଯୋଗୁଁ ଜଳସେଚନ ଓ କଟକର ପାନୀୟ ଜଳ ଆବଶ୍ୟକତା ଉପରେ କୁପ୍ରଭାବକୁ ବିଚାର କରି ଆଇଓସିଏଲ କୁ ଜୋରିମାନା ମଧ୍ୟ କରିଛନ୍ତି । କୋର୍ଟଙ୍କ ଆଦେଶରେ ଆଇଓସିଏଲକୁ ଦିନକୁ ୪୦ ମିଲିୟନ୍ ଗ୍ୟାଲନ୍ (ପ୍ରାୟ ୭୩.୨ କ୍ୟୁସେକ୍) ଜଳ ଉଠାଇବା ପାଇଁ ଅନୁମତି ଦିଆଯାଇଥିବା ଏବଂ ଅଣମୌସୁମୀ ଓ ନିଅଣ୍ଟିଆ ସମୟରେ ଜଳ ଉପଲବ୍ଧତା ଉପରେ ଏହା ନିର୍ଭରଶୀଳ ଥିବା ଉଲ୍ଲେଖ ରହିଛି। ଏହି ଆଦେଶ ମହାନଦୀରୁ ଜଳ ଉଠାଣ କେତେ ସମ୍ବେଦନଶୀଳ ଏବଂ କଟକର ଜଳ ସୁରକ୍ଷାକୁ କେତେ ଗୁରୁତ୍ୱ ଦେବା ଆବଶ୍ୟକ, ତାହା ସ୍ପଷ୍ଟ କରୁଛି ।
ଏହି ପ୍ରସଙ୍ଗକୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ୍ ଠାରୁ ଅଲଗା କରି ଦେଖାଯାଇପାରିବ ନାହିଁ । ଟ୍ରିବ୍ୟୁନାଲ୍ର ବୈଷୟିକ ପ୍ରକ୍ରିୟାରେ ମହାନଦୀର ଜଳ ଉପଲବ୍ଧତା, ବର୍ତ୍ତମାନର ବ୍ୟବହାର ଓ ଭବିଷ୍ୟତର ଜଳ ଆବଶ୍ୟକତା ଆଦିର ଅନୁଧ୍ୟାନ ଚାଲିଛି । ଓଡ଼ିଶା ଗୋଟେପଟେ ଟ୍ରିବ୍ୟୁନାଲରେ ମହାନଦୀ ଜଳର ନ୍ୟାୟସଙ୍ଗତ ଅଧିକାର ପାଇଁ ଲଢ଼ୁଥିବା ବେଳେ, ଅନ୍ୟପଟେ ମହାନଦୀର ଭବିଷ୍ୟତ ଜଳ ସନ୍ତୁଳନ ଉପରେ ପ୍ରଭାବକୁ ସ୍ପଷ୍ଟ ନକରି ବୃହତ୍ ଶିଳ୍ପ ପ୍ରକଳ୍ପ ପାଇଁ ଜଳ ଆବଣ୍ଟନର ପ୍ରତିଶ୍ରୁତି ଦେବା ଉଚିତ ନୁହେଁ।
ନିକଟରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଭୂତତ୍ତ୍ୱ ବିଭାଗ ଦ୍ୱାରା ନରାଜଠାରୁ ଜୋବ୍ରା ପର୍ଯ୍ୟନ୍ତ ମହାନଦୀ ଉପରେ ଚାଲିଥିବା ଗବେଷଣାର ନିର୍ଜୟାସକୁ ନେଇ ଯେଉଁ ତଥ୍ୟ ପ୍ରକାଶ ପାଇଛି ତାହା ଆମର ଉଦବେଗ କୁ ଆହୁରି ବଢେଇଦେଇଛି । ନଦୀର ଗତିପଥର ପରିବର୍ତ୍ତନ, ବାଲିଚର ଗଠନ ଓ ବାଲି ଖନନର ପ୍ରଭାବ ଭଳି ବିଷୟ ଏହି ଗବେଷଣାର ଅଂଶ । ଆଗାମୀ ନିକଟ ଭବିଷ୍ୟତରେ କଟକ ବାସୀ ଭୟଙ୍କର ଜଳ ସଙ୍କଟର ସମ୍ମୁଖିନ୍ନ ହେବେ ବୋଲି ଏହି ରିପୋର୍ଟ୍ ରେ ପ୍ରକାଶ ପାଇଛି । ସରକାର ଏଥି ପ୍ରତି ଚିନ୍ତା ପ୍ରକଟ କରୁଛନ୍ତି ବୋଲି ମାନେ ହୁଏନା । ଓଡ଼ିଶା ସିଲିକନ୍ ଭ୍ୟାଲି ଓ ଡାଟା ସେଣ୍ଟର ପାଇଁ ମହାନଦୀର ଜଳକୁ ଶିଳ୍ପ ପାଇଁ ଉସର୍ଗ କରି ସରକାର କଣ କଟକ ବାସୀଙ୍କୁ ଶୋଷ ରେ ମାରିଦେବେ କି ବୋଲି ପ୍ରଶ୍ନ କରିଛି ମହାନଦୀ ବଞ୍ଚାଅ ଆନ୍ଦୋଳନ ।
ପ୍ରସ୍ତାବିତ ସିଲିକନ୍ ଭ୍ୟାଲି ଓ ଡାଟା ସେଣ୍ଟର, ବର୍ତ୍ତମାନର ଶିଳ୍ପ ପାଇଁ ଜଳ ଆବଣ୍ଟନ ଏବଂ କଟକର ଭବିଷ୍ୟତର ପାନୀୟ ଜଳ ଆବଶ୍ୟକତାକୁ ନେଇ ଏକ ବିଜ୍ଞାନ ସମ୍ମତ ଜଳ ସନ୍ତୁଳନ ଅଧ୍ୟୟନ କରାଯାଉ । ବିଶେଷକରି ଡିସେମ୍ବରରୁ ମେ’ ପର୍ଯ୍ୟନ୍ତ ନିଅଣ୍ଟିଆ ସମୟରେ ମହାନଦୀର ନିର୍ଭରଯୋଗ୍ୟ ଜଳ ଉପଲବ୍ଧତା କେତେ, ପାନୀୟ ଜଳ, ଜଳସେଚନ, ପରିବେଶୀୟ ଆବଶ୍ୟକତା ଓ ନଦୀର ତଳ ଅଞ୍ଚଳର ଆବଶ୍ୟକତା ପୂରଣ ପରେ କେତେ ଜଳ ଶିଳ୍ପ ପାଇଁ ଉପଲବ୍ଧ ହେବ—ତାହା ସ୍ପଷ୍ଟ କରାଯିବା ଆବଶ୍ୟକ ।
ଏଭଳି ଅଧ୍ୟୟନ ନକରି ଓ ସର୍ବସାଧାରଣଙ୍କ ସମ୍ମୁଖରେ ଏହାର ରିପୋର୍ଟ୍ ପ୍ରକାଶ ନକରି ମହାନଦୀରୁ ନୂଆ ବୃହତ୍ ଶିଳ୍ପ ପାଇଁ ଜଳ ଆବଣ୍ଟନ କରାଯିବା ଉଚିତ ନୁହେଁ ।
ଏହି ପରିପ୍ରେକ୍ଷୀରେ “କଟକର ଜଳ ସୁରକ୍ଷା ଓ ପ୍ରସ୍ତାବିତ ଓଡ଼ିଶା ସିଲିକନ୍ ଭ୍ୟାଲି” ବିଷୟରେ କଟକରେ ଏକ ସେମିନାର ଆୟୋଜନ କରିବ ମହାନଦୀ ବଞ୍ଚାଅ ଆନ୍ଦୋଳନ । ଏଥିରେ ଜଳବିଜ୍ଞାନୀ, ଭୂତତ୍ତ୍ୱବିତ୍, ଶିକ୍ଷାବିତ୍, ଜଳସମ୍ପଦ ବିଶେଷଜ୍ଞ, ପରିବେଶ ସଂଗଠନ ଓ ସାଧାରଣ ନାଗରିକମାନେ ଯୋଗଦେବେ।
ଓଡ଼ିଶାକୁ ପୁଞ୍ଜିନିବେଶ ଓ ପ୍ରଯୁକ୍ତି ଆବଶ୍ୟକ। କିନ୍ତୁ ଶିଳ୍ପ ବିକାଶ ନାମରେ କଟକର ଭବିଷ୍ୟତ ଜଳ ସୁରକ୍ଷା ଓ ମହାନଦୀର ପରିବେଶୀୟ ସୁରକ୍ଷାକୁ ବିପନ୍ନ କରାଯିବା ଉଚିତ ନୁହେଁ ବୋଲି ମହାନଦୀ ବଞ୍ଚାଅ ଆନ୍ଦୋଳନ ତରଫରୁ ଏକ ପ୍ରେସ ବିଜ୍ଞପ୍ତି ରେ କୁହାଯାଇଛି

