ଭୁବନେଶ୍ୱର : କ୍ୟାବ ଭଡା ଓ ଚାଳକଙ୍କ କମିଶନକୁ ନେଇ ରାଜଧାନୀରେ ମହାଭାରତ ସୃଷ୍ଟି ହୋଇ ଅନେକ ଗାଡିଚାଳକ ଜେଲ୍ ଯାଇଥିଲେ ମଧ୍ୟ ଯାତ୍ରୀସେବାରେ କୌଣସି ପରିବର୍ତ୍ତନ ହେଉନାହିଁ । କ୍ୟାବ୍ ଚାଳକମାନେ ପୂର୍ବଭଳି ଭଡା ବୁକିଂ କରୁଥିବା ଲୋକଙ୍କୁ ଅତିରିକ୍ତ ମାଗିବା ସହିତ ହଇରାଣ ହରକତ ଜାରି ରଖିଛନ୍ତି ।
ରାଜଧାନୀରେ କୌଣସି ସ୍ଥାନକୁ ଯିବାପାଇଁ ଯେଉଁମାନେ କ୍ୟାବ୍ ବୁକିଂ କରୁଛନ୍ତି ସେମାନଙ୍କୁ ତୁରନ୍ତ ସେବା ମିଳୁନାହିଁ । ଗାଡି ଚାଳକମାନେ ପ୍ରଥମେ କେଉଁଠାକୁ ଯିବେ, କେତେଜଣ ଯିବେ ଆଦି ବିଭିନ୍ନ ପ୍ରଶ୍ନ ପଚାରୁଛନ୍ତି । ଏହାପରେ ଯେତିକି ଭଡା ଦେବାପାଇଁ ଅନ୍ଲାଇନ୍ରେ ଦର୍ଶାଉଛି ତାହାଠାରୁ ଅଧିକ ଅର୍ଥ ଦାବି କରୁଛନ୍ତି । ଏପରିକି ବୁକିଂ ସ୍ଥଳରୁ ଦୂରରେ ରହିଥିବା ଦର୍ଶାଇବା ସହିତ ସେତିକି ବାଟ ଯିବାପାଇଁ ଆଉ କିଛି ଅର୍ଥ ଦେବାକୁ କହୁଛନ୍ତି । ଯେଉଁମାନେ ରାଜି ହେଉନାହାନ୍ତି ସେମାନଙ୍କୁ ବୁକିଂ ବାତିଲ କରିବାକୁ ବାଧ୍ୟ କରୁଛନ୍ତି । ତେବେ ଚାଳକଙ୍କ କଥାରେ ପଡି ଯେଉଁମାନେ ବୁକିଂ ବାତିଲ କରିଦେଉଛନ୍ତି ପରବର୍ତ୍ତୀ ବୁକିଂ ସମୟରେ ସେମାନଙ୍କୁ ଜୋରିମାନା ଗଣିବାକୁ ପଡୁଛି ।
ରାଜଧାନୀରେ ଏବେ ଓଲା, ଉବେର, ରାପିଡୋ ସହିତ ରାଜ୍ୟ ସରକାରଙ୍କ ସହିତ ରାଜିନାମା କରିଥିବା ଓଡିଶା ଯାତ୍ରୀ କ୍ୟାବ୍ ସେବା ଯୋଗାଇ ଦେଉଛନ୍ତି । ପୂର୍ବରୁ ଓଲା, ଉବେର ନାଁରେ ଅତିରିକ୍ତ ଅର୍ଥ ଦାବି କରିବାର ଅଭିଯୋଗ ଥିବାବେଳେ ଏବେ ସେଥିରେ ଓଡିଶା ଯାତ୍ରୀ ଯୋଡିହୋଇ ଯାଇଛି । ଏହାର ଚାଳକମାନେ ମଧ୍ୟ ଅନ୍ୟମାନଙ୍କ ଭଳି ଧାର୍ଯ୍ୟ ଭଡାଠାରୁ ଅଧିକ ଅର୍ଥ ଦାବି କରୁଛନ୍ତି ।
ରାଜ୍ୟ ସରକାରଙ୍କ ନିୟନ୍ତ୍ରଣାଧିନ ଓଡିଶାଯାତ୍ରୀ ଆପ୍ ବ୍ୟବହାର ପାଇଁ ଖୋଦ ସରକାର କହୁଛନ୍ତି । ଏହି ଆପ୍ରେ ପଞ୍ଜିକୃତ ଗାଡିଚାଳକଙ୍କୁ କମିଶନ ଦେବାକୁ ପଡୁନାହିଁ ଓ ସେମାନେ ଅଧିକ ଲାଭ ପାଉଥିବା ସରକାରୀ ସ୍ତରରେ କୁହାଯାଉଛି । ଏହା ସତ୍ୱେ ବି ଓଡିଶାଯାତ୍ରୀ ଚାଳକମାନେ ଲୋକଙ୍କ ଠାରୁ ଅଧିକ ଅର୍ଥ ଦାବି କରୁଛନ୍ତି । ଯେଉଁମାନେ ଅର୍ଥ ଦେବାକୁ ମନାକରି ଦେଉଛନ୍ତି ସେମାନଙ୍କ ବୁକିଂ ବାତିଲକରିବାକୁ ବି ପଛାଉ ନାହାନ୍ତି ।
ସେହିଭଳି ଏହି କ୍ୟାବସେବା ପ୍ରଦାନକାରୀ ସଂସ୍ଥା ବୁକିଂ କରୁଥିବା ଲୋକଙ୍କୁ ବହୁ ସମୟ ଧରି ଅପେକ୍ଷା କରାଉଛନ୍ତି । ପ୍ରଥମେ ଗୋଡିଏ ଗାଡିର ନମ୍ବର ଓ ଚାଳକଙ୍କ ନମ୍ବର ଆସୁଥିବାବେଳେ ପରବର୍ତ୍ତୀ ସମୟରେ ତାହା ଆପେ ଆପେ ବାତିଲ ହୋଇ ଅନ୍ୟ ଗାଡି ସହିତ ଯୋଡି ହୋଇ ଯାଉଛି । ସଂଧ୍ୟା ଓ ରାତି ସମୟରେ ରାଜଧାନୀବାସୀଙ୍କ ସହିତ ଏହା ପ୍ରାୟ ନିୟମିତ ଭାବେ ଘଟୁଛି । ସମସ୍ତେ ସବୁ ଜାଣୁଛନ୍ତି ଓ ଦେଖୁଛନ୍ତି, ହେଲେ ଲୋକେ କିଭଳି ଉତ୍ତମ ପରିବହନ ସେବା ପାଇପାରିବେ ସେ ଦିଗରେ କେହି ପଦକ୍ଷେପ ଗ୍ରହଣ କରିପାରୁ ନାହାନ୍ତି । ଫଳରେ ରେଳଷ୍ଟେସନ, ବିମାନ ବନ୍ଦର ଓ ବସଷ୍ଟାଣ୍ଡରୁ ରାତ୍ରୀ ଓ ଭୋର ସମୟରେ ନିଜ ନିଜ ଗନ୍ତବ୍ୟସ୍ଥଳକୁ ଯାଉଥିବା ଲୋକେ ଶୋଷଣର ଶିକାର ହେଉଛନ୍ତି । (ତଥ୍ୟ)

