Home Finance ଶିକ୍ଷା, ଘର ଋଣ ପରିମାଣ କମୁଛି

ଶିକ୍ଷା, ଘର ଋଣ ପରିମାଣ କମୁଛି

ଭୁବନେଶ୍ୱର : ପାଠପଢା ଓ ଘରତିଆରି ପାଇଁ ଦିଆଯାଉଥିବା ଋଣ ପରିମାଣ ଗତବର୍ଷ ତୁଳନାରେ ହ୍ରାସ ପାଇଛି । ସେହିଭଳି କୃଷି କ୍ଷେତ୍ରରେ ଋଣ ଯୋଗାଣ ପରିମାଣ କମିଥିବାବେଳେ ଏମଏସଏମଇ କ୍ଷେତ୍ରରେ କିନ୍ତୁ ଏହା ସାମାନ୍ୟ ବୃଦ୍ଧି ପରିଲକ୍ଷିତ ହୋଇଛି ।

ଋଣ ପ୍ରଦାନ ସଂକ୍ରାନ୍ତୀୟ ଆକଳନରୁ ଜଣାଯାଇଛି ଗତ ଆର୍ଥିକ ବର୍ଷରେ ଜୁନ୍‍ ଶେଷ ସୁଦ୍ଧା ରାଜ୍ୟରେ କୃଷି କ୍ଷେତ୍ରକୁ ବ୍ୟାଙ୍କ୍‍ମାନେ ୧୯,୭୪୫ କୋଟି ଟଙ୍କାର ଋଣ ପ୍ରଦାନ କରିଥିଲେ ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୨୧ ପ୍ରତିଶତ ରହିଥିଲା । କିନ୍ତୁ ଚଳିତ ଆର୍ଥିକ ବର୍ଷରେ ଯଦିଓ ଋଣ ପ୍ରଦାନର ପରିମାଣ ବୃଦ୍ଧି ପାଇଛି କିନ୍ତୁ ଏହା ଧାର୍ଯ୍ୟଲକ୍ଷ୍ୟ ତୁଳନାରେ ଏକ ପ୍ରତିଶତ ହ୍ରାସ ପାଇଛି । ଚଳିତ ଆର୍ଥିକ ବର୍ଷରେ ଜୁନ୍‍ ସୁଦ୍ଧା ରାଜ୍ୟରେ ୨୩ହଜାର କୋଟି ଟଙ୍କାରୁ ଅଧିକ କୃଷି ଋଣ ପ୍ରଦାନ କରାଯାଇଥିବାବେଳେ ଏହା ଧାର୍ଯ୍ୟ ଲକ୍ଷ୍ୟର ୨୦ ପ୍ରତିଶତ ରହିଛି ।

ଶିକ୍ଷା ଏକ୍ଷେତ୍ରରେ ଋଣ ପ୍ରଦାନ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଗତ ଆର୍ଥିକ ବର୍ଷରେ ଜୁନ୍‍ ସୁଦ୍ଧରେ ରାଜ୍ୟରେ ୧୫୪ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା, ଯାହା କି ଧାର୍ଯ୍ୟ ଲକ୍ଷ୍ୟର ୧୧ ପ୍ରତିଶତ ଥିଲା । ଚଳିତ ଆର୍ଥିକ ବର୍ଷରେ ଏହି ସମୟରେ ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୮ ପ୍ରତିଶତ ଋଣ ଆକାରରେ ପ୍ରଦାନ କରାଯାଇପାରିଛି । ଗୃହ ଋଣ କ୍ଷେତ୍ରରେ ମଧ୍ୟ ଅନୁରୂପ ଅବସ୍ଥା ପରିଲକ୍ଷିତ ହୋଇଛି । ଗତବର୍ଷ ବ୍ୟାଙ୍କ୍‍ମାନେ ଏଥିପାଇଁ ୬୫୨ କୋଟି ଟଙ୍କାର ଋଣ ପ୍ରଦାନ କରିଥିଲେ, ଯାହା କି ଧାର୍ଯ୍ୟ ଲକ୍ଷ୍ୟର ୮ ପ୍ରତିଶତ ଥିବାବେଳେ ଚଳିତ ଆର୍ଥିକ ବର୍ଷରେ ଜୁନ୍‍ ସୁଦ୍ଧା ଋଣ ପରିମାଣ ୭ଶହ କୋଟି ଟଙ୍କାକୁ ଟପିଥିଲେ ମଧ୍ୟ ଏହା ଧାର୍ଯ୍ୟ ଲକ୍ଷ୍ୟର ମାତ୍ର ୬ ପ୍ରତିଶତକୁ ଖସି ଆସିଛି ।

ଅନ୍ୟାନ୍ୟ କ୍ଷେତ୍ରକୁ ଋଣ ଯୋଗାଣ କ୍ଷେତ୍ରରେ ମଧ୍ୟ ଅତ୍ୟନ୍ତ ମାନ୍ଦାବସ୍ଥା ପରିଲକ୍ଷିତ ହୋଇଛି । ଗତ ଆର୍ଥିକ ବର୍ଷର ଜୁନ୍‍ ସୁଦ୍ଧା ଏହିସବୁ କ୍ଷେତ୍ରକୁ ୨୮୯୬ କୋଟି ଟଙ୍କାର ଋଣ ପ୍ରଦାନ କରାଯାଇଥିଲା, ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୧୬ ପ୍ରତିଶତ ରହିଥିଲା । ଚଳିତ ଆର୍ଥିକବର୍ଷର ଏହି ଅବଧିକ ଅନ୍ୟାନ୍ୟ କ୍ଷେତ୍ରକୁ ଋଣ ପରିମାଣ ୧୫୨୯ କୋଟି ଟଙ୍କାକୁ ହ୍ରାସ ପାଇଛି ଯାହା କି ଧାର୍ଯ୍ୟଲକ୍ଷ୍ୟର ମାତ୍ର ୭ ପ୍ରତିଶତ ରହିଛି ।

ତେବେ ରୋଜଗାର ସୃଷ୍ଟି କରୁଥିବା ଏମଏସଏମଇ କ୍ଷେତ୍ର ଉପରେ ସରକାର ଗୁରୁତ୍ୱ ଦେଉଥିବାରୁ ଏହି କ୍ଷେତ୍ରକୁ ଋଣ ପରିମାଣ ବଢିଛି । ଗତ ଆର୍ଥିକ ବର୍ଷରେ ଜୁନ୍‍ ସୁଦ୍ଧା ଏହି କ୍ଷେତ୍ରକୁ ପ୍ରାୟ ୩୭ହଜାର କୋଟି ଟଙ୍କାର ଋଣ ମିଳିଥିଲା, ଯାହାକି ଧାର୍ଯ୍ୟ ଲକ୍ଷ୍ୟର ୩୦ ପ୍ରତିଶତ ରହିଥିଲା । ଚଳିତ ଆର୍ଥିକବର୍ଷର ଏହି ଅବଧିରେ ଏମଏସଏମଇକୁ ଋଣ ପ୍ରଦାନ ପରିମାଣ ୪୬ହଜାର କୋଟି ଟଙ୍କାକୁ ଟପିଯାଇଛି, ଯାହା ଧାର୍ଯ୍ୟ ଲକ୍ଷ୍ୟର ୩୧ ପ୍ରତିଶତ । ସେହିଭଳି ରପ୍ତାନି ଋଣ (ଏକ୍ସପୋର୍ଟ କ୍ରେଡିଟ୍‍) ପରିମାଣ ଗତବର୍ଷ ଧାର୍ଯ୍ୟ ଲକ୍ଷ୍ୟର ୧୨ ପ୍ରତିଶତ ରହିଥିବାବେଳେ ଚଳିତବର୍ଷ ଏହା ଜୁନ୍‍ ସୁଦ୍ଧା ଦୁଇଗୁଣରୁ ଅଧିକ ହୋଇ ୨୬ ପ୍ରତିଶତରେ ପହଞ୍ଚିଛି । ତେବେ ଶିକ୍ଷା, କୃଷି ଆଦି କ୍ଷେତ୍ରକୁ ଋଣ ପରିମାଣ ହ୍ରାସ ପାଇବା ଏହି ଆର୍ଥିକ ବିଶେଷଜ୍ଞମାନଙ୍କୁ ଚିନ୍ତାରେ ପକାଇଛି । ଏହାଦ୍ୱାରା ରାଜ୍ୟରେ କୃଷି ଉତ୍ପାଦନ ସହିତ ଉଚ୍ଚଶିକ୍ଷା ପ୍ରଭାବିତ ହେବାନେଇ ଆଶଙ୍କା ପ୍ରକାଶ ପାଇଛି । (ତଥ୍ୟ)