Home General ଦେବୀ ମୁହାଣରେ ନୂଆ ପ୍ରଜାତିର ଦ୍ୱିଖୋଳକ ଜୀବ

ଦେବୀ ମୁହାଣରେ ନୂଆ ପ୍ରଜାତିର ଦ୍ୱିଖୋଳକ ଜୀବ

କଟକ: ଓଡ଼ିଶାର ସାମୁଦ୍ରିକ ଜୈବ ବିବିଧତାକୁ ନେଇ ଗବେଷଣା କ୍ଷେତ୍ରରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛି ଦେବୀ ନଦୀ ମୁହାଣ । ଏଠାରୁ ମିଳିଛି ୭ ମିଲିମିଟରରୁ କମ୍ ଆକାରର ଏକ ନୂଆ ପ୍ରଜାତିର ଦ୍ୱିଖୋଳକ ଜୀବ । ଏହି କ୍ଷୁଦ୍ର ଜୀବର ଆବିଷ୍କାର କେବଳ ଜୀବ ବିଜ୍ଞାନୀଙ୍କ ପାଇଁ ନୁହେଁ, ଓଡ଼ିଶା ଉପକୂଳରେ ଲୁଚି ରହିଥିବା ଅଜଣା ଜୀବଜଗତ ସମ୍ପର୍କରେ ନୂଆ ଆଶା ସୃଷ୍ଟି କରିଛି । ରେଭେନ୍ସା ବିଶ୍ୱବିଦ୍ୟାଳୟ ଓ ନେଦରଲ୍ୟାଣ୍ଡସ୍‌ ନାଚୁରାଲିସ୍‌ ଜୈବ ବିବିଧତା କେନ୍ଦ୍ରର ଗବେଷକମାନେ ଏହି ଜୀବକୁ ଚିହ୍ନଟ କରିଛନ୍ତି । ନୂଆ ପ୍ରଜାତିର ନାମ ‘ଡେଲ୍ଟାକିଅନ୍‌ ରେଭେନ୍ସା’ ରଖାଯାଇଛି । ରେଭେନ୍ସା ବିଶ୍ୱବିଦ୍ୟାଳୟର ଗବେଷଣା ଅବଦାନକୁ ସମ୍ମାନ ଜଣାଇ ଏପରି ନାମକରଣ କରାଯାଇଛି ।

ଚଳିତ ବର୍ଷ ଫେବ୍ରୁଆରୀରେ ଦେବୀ ନଦୀ ମୁହାଣ ନିକଟ ଅସ୍ତରଙ୍ଗ ଅଞ୍ଚଳରେ ସାମୁଦ୍ରିକ ଜୀବଜନ୍ତୁ ସମ୍ପର୍କିତ ସର୍ଭେକ୍ଷଣ ବେଳେ ଗବେଷକମାନେ ଏହି ଜୀବର ତିନୋଟି ନମୁନା ସଂଗ୍ରହ କରିଥିଲେ । ବାଲୁକାମୟ ଅଞ୍ଚଳରୁ ସଂଗ୍ରହ କରାଯାଇଥିବା ନମୁନାକୁ ପରେ ଅତ୍ୟନ୍ତ ସୂକ୍ଷ୍ମ ଭାବେ ପରୀକ୍ଷା କରାଯାଇଥିଲା । ଏହାର ଖୋଳର ଆକାର, ଗଠନ ଓ ପୃଷ୍ଠରେ ଥିବା ବିଶେଷ ଚିହ୍ନକୁ ଅନ୍ୟ ନିକଟ ସମ୍ପର୍କୀୟ ପ୍ରଜାତି ସହ ତୁଳନା କରାଯାଇଥିଲା । ଅଧ୍ୟୟନ ପରେ ଏହା ଏକ ସ୍ୱତନ୍ତ୍ର ପ୍ରଜାତି ବୋଲି ଗବେଷକମାନେ ନିଶ୍ଚିତ ହୋଇଥିଲେ । ଅଧ୍ୟୟନ ଅନୁଯାୟୀ, ଭାରତରେ ବର୍ତ୍ତମାନ ଡୋନାସିଡେ ପରିବାରର ୧୨ଟି ପ୍ରଜାତି ରେକର୍ଡ ହୋଇଛି । ସେଥିମଧ୍ୟରୁ ୭ଟି ପ୍ରଜାତି ଓଡ଼ିଶା ଉପକୂଳରୁ ଚିହ୍ନଟ ହୋଇଛି । ତେବେ ଭାରତୀୟ ଡୋନାସିଡେ ପ୍ରଜାତି ଉପରେ ଗବେଷଣା ଏବେ ବି ସୀମିତ ରହିଛି ।

ଏହି ଜୀବର ଆକାର ପ୍ରାୟ ୦.୯ ମିଲିମିଟର । ଏହାର ଖୋଳ ଲମ୍ବା ଓ ତ୍ରିକୋଣାକାର । ଏହାର ପୃଷ୍ଠରେ ଥିବା ଜାଲି ଭଳି ବିଶେଷ ଗଠନ ଏହାକୁ ଅନ୍ୟ ପ୍ରଜାତିଠାରୁ ସ୍ୱତନ୍ତ୍ର ପରିଚୟ ଦେଇଛି । ଆକାରରେ ଏତେ ସୂକ୍ଷ୍ମ ହୋଇଥିଲେ ମଧ୍ୟ ଏହାର ଗଠନ ଓ ଜୀବନଧାରା ଗବେଷକଙ୍କ ଆଗ୍ରହ ବଢ଼ାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହି ନୂଆ ପ୍ରଜାତି ନଦୀ ଓ ସମୁଦ୍ରର ମିଶ୍ରିତ ଜଳ ଥିବା ଦେବୀ ମୁହାଣ ଅଞ୍ଚଳରେ ମିଳିଛି । ଏଠାରେ ଜଳର ଲବଣତା ସମୟ ଓ ଋତୁ ଅନୁଯାୟୀ ବଦଳିଥାଏ । ଏଭଳି ପରିବେଶରେ ଏହି ଜୀବ କିପରି ନିଜକୁ ଖାପ ଖୁଆଇଛି, ତାହା ଆଗାମୀ ଗବେଷଣାର ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେବ । ଗବେଷକମାନଙ୍କ ମତରେ, ଓଡ଼ିଶାର ବିସ୍ତୃତ ଉପକୂଳ, ନଦୀ ମୁହାଣ ଓ ବାଲୁକାମୟ ଅଞ୍ଚଳରେ ଅଧିକ ସର୍ଭେ କରାଗଲେ ଏଭଳି ଅନେକ ଅଜଣା ପ୍ରଜାତି ସାମ୍ନାକୁ ଆସିପାରନ୍ତି । ଏହି ଆବିଷ୍କାର ଓଡ଼ିଶାର ଉପକୂଳୀୟ ଜୈବ ବିବିଧତାକୁ ପୁଣିଥରେ ପ୍ରମାଣିତ କରିବା ସହ ଏହାର ସୁରକ୍ଷା ଓ ଅଧିକ ଗବେଷଣାର ଆବଶ୍ୟକତାକୁ ସାମ୍ନାକୁ ଆଣିଛି ।