Home News in Odia ଆପାର୍ଟମେଣ୍ଟରେ ଗଠନ ହୋଇପାରୁନି ସୋସାଇଟି

ଆପାର୍ଟମେଣ୍ଟରେ ଗଠନ ହୋଇପାରୁନି ସୋସାଇଟି

ଭୁବନେଶ୍ୱର : ରାଜଧାନୀରେ ବିଭିନ୍ନ ଘରୋଇ ସଂସ୍ଥା ମାଳ ମାଳ ଆପାର୍ଟମେଣ୍ଟ ନିର୍ମାଣ କରି ଲୋକଙ୍କୁ ବିକ୍ରି କରିଥିବାବେଳେ ଅଧିକାଂଶରେ କିନ୍ତୁ ସୋସାଇଟି ଗଠନ ହୋଇପାରୁ ନାହିଁ । ମାମଲାର ଆଳ ଦେଖାଇ ଆପାର୍ଟମେଣ୍ଟ ମାଲିକମାନେ କେଉଁଠି ସୋସାଇଟି ଗଠନରେ ବାଧକ ସାଜୁଛନ୍ତି ତ ଆଉ କେଉଁଠି ଦଖଲ ପ୍ରମାଣପତ୍ର (ଓସି) ଦେଉନଥିବାରୁ ସୋସାଇଟି ଗଠନ ହୋଇପାରୁ ନାହିଁ ।

ଆପାର୍ଟମେଣ୍ଟଗୁଡିକର ନିୟନ୍ତ୍ରଣ ପାଇଁ ରାଜ୍ୟ ସରକାର ଗଠନ କରିଛନ୍ତି ରେରା । ଯେଉଁଠାରେ ଆପାର୍ଟମେଣ୍ଟ ନିର୍ମାଣ ହୋଇ ବିକ୍ରି ହେଉଛି ସେଠାରେ ସମ୍ପୃକ୍ତ ଆପାର୍ଟମେଣ୍ଟରେ ତୁରନ୍ତ ସୋସାଇଟି ଗଠନ ପାଇଁ କୁହାଯାଇଛି । କାରଣ ସୋସାଇଟି ହିଁ ପରବର୍ତ୍ତୀ ସମୟରେ ଆପାର୍ଟମେଣ୍ଟର ସୁରକ୍ଷା, ରକ୍ଷଣାବେକ୍ଷଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଆଦିର ଦାୟିତ୍ୱ ବହନ କରିବ । ଆପାର୍ଟମେଣ୍ଟ ବିକ୍ରି କରିସାରିବାପରେ ନିର୍ମାଣକାରୀ ସଂସ୍ଥାର ଆଉ କୌଣସି କର୍ତ୍ତୃତ୍ୱ ରହିବନାହିଁ ।
ତେବେ କେତେକ ଆପାର୍ଟମେଣ୍ଟ ନିର୍ମାତା ଏହି ନିୟମକୁ ଅଣଦେଖା କରିବାପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି । ଏପରିକି କିଛି ଲୋକଙ୍କୁ ଲଗାଇ ମାମଲା ବି ରୁଜୁ କରୁଛନ୍ତି । ଆପାର୍ଟମେଣ୍ଟର କିଛି ଘର ବିକ୍ରି ନକରି ତାହାକୁ ନିଜ ଦଖଲରେ ରଖିବା ସହିତ ସେଠାରେ ନିଜର ଅନୁଗତଙ୍କୁ ରଖି ବିଶୃଙ୍ଖଳା ସୃଷ୍ଟି କରୁଛନ୍ତି । ସ୍ଥାନୀୟ ଲୋକେ ପ୍ରତିବାଦ କଲେ ଏମାନେ ଧମକ ଚମକ ଦେଉଛନ୍ତି ।

ଆପାର୍ଟମେଣ୍ଟର ମାଲିକାନା କାଳେ ନିଜ ହାତରୁ ଚାଲିଯିବ ସେଥିପାଇଁ ସୋସାଇଟି ଗଠନ ଦେଉନଥିବାବେଳେ ପାରିପାଶ୍ୱିର୍କ ବିକାଶ ବି ହୋଇପାରୁ ନାହିଁ । ବିଶେଷକରି ଆପାର୍ଟମେଣ୍ଟରେ ଛୋଟ ପିଲାଙ୍କ ପାଇଁ ପାର୍କ, ବୃକ୍ଷରୋପଣ, ବର୍ଷାଜଳଅମଳ ପ୍ରକଳ୍ପ ଆଦି ବି କାର୍ଯ୍ୟକାରୀ ହେଉନାହିଁ । ଅଧିକାଂଶ ଆପାର୍ଟମେଣ୍ଟ ଭିତରେ ବିଲ୍ଡରମାନେ ନିଜର ଦୁଇ ତିନିଟି ଘର ରଖି ମନମୁଖି କାର୍ଯ୍ୟ ଚଳାଇଛନ୍ତି ।

ଆପାର୍ଟମେଣ୍ଟ ନିର୍ମାଣ ପାଇଁ ଅନୁମତି ଦେଇଥିବା ବିଡିଏ, ବିଏମସି ଅଥବା ନିୟନ୍ତ୍ରଣ ପାଇଁ ଗଠନ ହୋଇଥିବା ସଂସ୍ଥା ରେରା ଏ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଫଳରେ ଲକ୍ଷାଧିକ ଟଙ୍କା ଦେଇ ଘରଟିଏ କିଣିଥିବା ଲୋକେ ଏବେ ଛୋଟିଆ ଭୋଜିଭାତ କରିବାକୁ ହେଲେ ବିଲ୍ଡରଙ୍କ ଠାରୁ ଅନୁମତି ଆଣିବାକୁ ପଡୁଛି । ସେହିଭଳି ସୋସାଇଟି ଗଠନ ହୋଇପାରୁ ନଥିବାରୁ ଆପାର୍ଟମେଣ୍ଟର ଲିଫ୍ଟ ଖରାପ ହେଲେ କିମ୍ବା ସିସିଟିଭି ଅଚଳ ହେଲେ ତାହା ସହଜରେ ମରାମତି ହୋଇପାରୁ ନାହିଁ ।

ଦଖଲ ପ୍ରମାଣପତ୍ର ନଥିବାରୁ ଅନେକ ଘର ମାଲିକ ଆବଶ୍ୟକସ୍ଥଳେ ନିଜ ନିଜ ଘରକୁ ବି ଆଇନ ଅନୁଯାୟୀ ବିକ୍ରି କରିପାରୁ ନାହାନ୍ତି । ସେହିଭଳି ମାମଲା ଚାଲିଥିବାରୁ ଆପାର୍ଟମେଣ୍ଟ ଖରିଦ କରିବାକୁ ବି ରାଷ୍ଟ୍ରାୟତ ବ୍ୟାଙ୍କ୍‍ଗୁଡିକ ଋଣ ଦେଉ ନାହାନ୍ତି । ମୋଟାମୋଟି ଭାବେ ରାଜଧାନୀର ଶତାଧିକ ଆପାର୍ଟମେଣ୍ଟ ନିର୍ମାଣ କରିଥିବା ବିଲ୍ଡରଙ୍କ ଦୟାରେ ଏବେ ଘର କିଣିଥିବା ଲୋକେ ରହିଛନ୍ତି । କାଁ ଭାଁ କେତୋଟି ସ୍ଥାନକୁ ବାଦ୍‍ ଦେଲେ ବହୁ ସ୍ଥାନରେ ବର୍ଷ ବର୍ଷ ଧରି ବିଲ୍ଡରମାନେ ନିଜର ପତିଆରା ଛାଡିବାକୁ ରାଜି ହେଉନାହାନ୍ତି ଏବଂ ବିକ୍ରି ନକରି ପକାଇ ରଖିଥିବା ଘରକୁ ଚଢା ଦରରେ ବିକିବାପାଇଁ ମୂଲଚାଲ କରୁଛନ୍ତି । (ତଥ୍ୟ)